ତଲାବିରା-୧ ଖଣିକୁ ନେଇ ଗ୍ରିନ୍‌ ଟ୍ରିବ୍ୟୁନାଲ୍‌ରେ ମାମଲା

ଭୁବନେଶ୍ବର: ବନ୍ଦ ହୋଇପଡ଼ିରହିଥିବା ତଲାବିରା-୧ ଓପନ୍ କାଷ୍ଟ୍‌ କୋଇଲା ଖଣିକୁ ନେଇ ନ୍ୟାସନାଲ୍ ଗ୍ରିନ୍‌ ଟ୍ରିବ୍ୟୁନାଲ୍‌ର କୋଲକାତା ଠାରେ ଥିବା ପୂର୍ବାଞ୍ଚଳ ଖଣ୍ଡପୀଠରେ ଏକ ମାମଲା ଦାୟର କରାଯାଇଛି। ଏହି ଖଣିରେ ଏବେବି ୭.୧୨ ନିୟୁତ ଟନ୍ କୋଇଲା ଗଚ୍ଛିତ ରହିଛି। ତାହାକୁ ଉତ୍ତୋଳନ କରିବା ଲାଗି ଖଣିର ନୂଆ ମାଲିକ ‘ରାୟପୁର ଏନରଜେନ୍ ଲିମିଟେଡ୍‌’ ପ୍ରସ୍ତୁତ ହେଉଛି। ସେଥିପାଇଁ ସଂଶୋଧିତ ଖଣି ଯୋଜନା ପ୍ରସ୍ତୁତ କରି କୋଇଲା ମନ୍ତ୍ରଣାଳୟର ଅନୁମୋଦନ ପାଇଁ ପଠାଯାଇଛି। ଏହି ଖଣି ଲାଗି ସବୁ ପ୍ରକାର ମଞ୍ଜୁରି ହାସଲ କରିବା ପରେ ସେଥିରୁ ଉତ୍ତୋଳନ ପାଇଁ ଅନୁମତି ଦିଆଯାଉ ବୋଲି ଆବେଦନକାରୀ ଟ୍ରିବ୍ୟୁନାଲ୍‌ଙ୍କୁ ଅନୁରୋଧ କରିଛନ୍ତି। ଏହି ମାମଲାରେ ସେ କେନ୍ଦ୍ର ଜଙ୍ଗଲ, ପରିବେଶ ଓ ପାଣିପାଗ ପରିବର୍ତ୍ତନ ମନ୍ତ୍ରଣାଳୟକୁ ପକ୍ଷଭୁକ୍ତ କରିଛନ୍ତି।

ଆବେଦନକାରୀ ଟ୍ରିବ୍ୟୁନାଲ୍‌ଙ୍କୁ ଜଣାଇଛନ୍ତି ଯେ, ତଲାବିରା-୧ର ଖଣି ଯୋଜନା ୨୦୧୮ ମାର୍ଚ ୩୧ରୁ ଶେଷ ହୋଇଯାଇଛି ଏବଂ ୨୦୧୮ ଏପ୍ରିଲ୍ ପରଠାରୁ ସେଠାରେ ଖଣି କାର୍ଯ୍ୟ ସମ୍ପୂର୍ଣ୍ଣ ବନ୍ଦ ରହିଛି। ଅବଶ୍ୟ, ପୂର୍ବରୁ ଦିଆଯାଇଥିବା ଅନୁମତି ମୁତାବକ ଏହି ଖଣିରୁ ୨.୭ ଲକ୍ଷ ଟନ୍ କୋଇଲାକୁ ସମ୍ପୂର୍ଣ୍ଣ ଉତ୍ତୋଳନ କରାଯିବା ପରେ ୨୦୧୭ ଡିସେମ୍ବର ଠାରୁ ତାହା ବନ୍ଦ ରହିଥିଲା। ‌ଚଳିତ ବର୍ଷ ସେପ୍ଟେମ୍ବରରେ ତଲାବିରା-୧ର ସ୍ଥିତି ଅନୁଧ୍ୟାନ କରାଯାଇଥିଲା। ଅନୁଧ୍ୟାନରୁ ଜଣାପଡ଼ିଛି ଯେ, ତଲାବିରା-୧ର ମାଲିକ ପରିବର୍ତ୍ତନ ହୋଇଯାଇଛି। ଏହାର ନୂଆ ମାଲିକ ହେଉଛି ରାୟପୁର ଏନରଜେନ୍ ଲିମିଟେଡ୍। ତେବେ ପୂର୍ବ ମାଲିକ ଖଣିରୁ କୋଇଲା କାଢ଼ିନେବା ପରେ ଯେଉଁ ଫାଙ୍କା ସ୍ଥାନ ସୃଷ୍ଟି ହୋଇଥିଲା ସେଥିରେ ଆଉ ଫ୍ଲାଏ ଆସ୍ ଭର୍ତ୍ତି କରାଯାଇନାହିଁ। ଖଣି ଅଞ୍ଚଳରେ ଉପରି ଭାଗରେ ତିନିଟି ବଡ଼ ଓଭର୍‌ବର୍ଡେନ୍ ଡମ୍ପ୍ ରହିଛି। ସେହି ଡମ୍ପ୍‌ଗୁଡ଼ିକୁ ଯେଉଁଭଳି ଭାବେ ପରିଚାଳନା କରାଯିବା କଥା ତାହା କରାଯାଇନାହିଁ। ମୋଟ ୩୬ ହେକ୍ଟର ଅଞ୍ଚଳରେ ଏହି ଡମ୍ପ୍‌ଗୁଡ଼ିକ ରହିଛି। ଡମ୍ପ୍‌ଗୁଡ଼ିକରେ ବୃକ୍ଷରୋପଣ ମଧ୍ୟ କରାଯାଇନାହିଁ। ଏକ ଡମ୍ପ୍ ତଳ ଭାଗରେ ଡ୍ରେନ୍ ବ୍ୟବସ୍ଥା ନଥିବାରୁ ମୃତିକା କ୍ଷୟ ହେଉଛି। ଖଣିର ନୂଆ ମାଲିକଙ୍କ ସଂଶୋଧିତ ଖଣି ଯୋଜନାକୁ ମଞ୍ଜୁରି ମିଳିନଥିବାରୁ ଓଭରବର୍ଡେନ୍ ଡମ୍ପ୍‌ରେ ବୃକ୍ଷରୋପଣ ହୋଇପାରୁନାହିଁ ଏବଂ ଫାଙ୍କା ସ୍ଥାନରେ ଫ୍ଲାଏ ଆସ୍‌ ଭର୍ତ୍ତି କରାଯାଇପାରୁନାହିଁ। ଖଣିର ନୂଆ ମାଲିକ ଏହି ସବୁ କାର୍ଯ୍ୟ କରିବ‌ା ଦରକାର ବୋଲି ଆବେଦକାରୀ ଟ୍ରିବ୍ୟୁନାଲ୍‌ଙ୍କୁ ଜଣାଇଛନ୍ତି।

ଏହି ଖଣିର ଉତ୍ପାଦନ କ୍ଷମତାକୁ ବାର୍ଷିକ ୩ ନିୟୁତ ଟନ୍‌ ପର୍ଯ୍ୟନ୍ତ ବଢ଼ାଇବା ଲାଗି କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ ତରଫରୁ ହିଣ୍ଡାଲ୍‌କୋକୁ ପରିବେଶ ମଞ୍ଜୁରି ପ୍ରଦାନ କରାଯାଇଥିଲା। ମୋଟ୍ ଲିଜ୍ ଅଞ୍ଚଳ ଥିଲା ୧୭୦.୩୦ ‌ହେକ୍ଟର। ୨୦୧୫ରେ ଖଣିର ପରିବେଶ ମଞ୍ଜୁରିକୁ ‌କୋଇଲା ମନ୍ତ୍ରଣାଳୟର ଅନୁମୋଦନକ୍ରମେ ଜିଏମ୍‌ଆର୍‌ ଛତିଶଗଡ଼ ଏନର୍ଜି ନାମକୁ ୨୦୧୫ ମାର୍ଚ ୨୩ରେ ସ୍ଥାନାନ୍ତର କରାଯାଇଥିଲା। ଖଣି କାର୍ଯ୍ୟ ଚାଲୁ କରିବା ଲାଗି ୨୦୧୬ ମାର୍ଚ ୨୮ରେ ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅନୁମୋଦନ ପ୍ରଦାନ କରିଥିଲା। ପରବର୍ତ୍ତି ସମୟରେ ଏହାର ମାଲିକାନା ରାୟପୁର ଏନରଜେନ୍ ଲିମିଟେଡ୍‌ ପାଖରେ ପହଞ୍ଚିଛି।

ସମ୍ବନ୍ଧିତ ଖବର