ଦେଶକୁ ଚତୁର୍ଥ ମାନ୍ଦାବସ୍ଥା ବିପଦ, ଅଭିବୃ୍ଦ୍ଧି -୬.୮% ହେବ: ଷ୍ଟେଟ୍‌ ବ୍ୟାଙ୍କ

ନୂଆଦିଲ୍ଲୀ: ଭାରତୀୟ ଅର୍ଥନୀତି ଚତୁର୍ଥ ଥର ଲାଗି ମାନ୍ଦାବସ୍ଥା କବଳରେ ପଡ଼ିବାର ବିପଦ ସୃଷ୍ଟି ହୋଇଛି। କରୋନା ସଙ୍କଟ ପ୍ରଭାବରେ ୨୦୨୦-୨୧ ଆର୍ଥିକ ବର୍ଷରେ ଭାରତରେ ମାନ୍ଦାବସ୍ଥା ଦେଖାଦେବ ବୋଲି ରେଟିଂ ଏଜେନ୍ସି ‘କ୍ରିସିଲ୍‌’ ଆକଳନ କରିଛି।

କ୍ରିସିଲ୍‌ ମତରେ, କରୋନା ସଙ୍କଟ ପ୍ରଭାବରେ ଭାରତର ମୋଟ ଘରୋଇ ଉତ୍ପାଦ (ଜିଡିପି)ର ୧୦% କ୍ଷତି ହେବ। ଅଭିବୃଦ୍ଧିରେ ୫ ପ୍ରତିଶତ ହ୍ରାସ ଘଟିବ। କରୋନା ସଙ୍କଟ ପୂର୍ବରୁ ଭାରତର ଅଭିବୃଦ୍ଧି ଯେଉଁ ହାରରେ ରହିବ ବୋଲି ଆକଳନ କରାଯାଇଥିଲା ସେହି ସ୍ତରରେ ପୁଣି ଥରେ ପହଞ୍ଚିବା ଲାଗି ତିନି ବର୍ଷ ସମୟ ଲାଗିବ। ଭାରତ ସ୍ବାଧୀନ ହେବାର ପରବର୍ତୀ ୬୯ ବର୍ଷ ଭିତରେ ମାତ୍ର ତିନି ଥର ମାନ୍ଦାବସ୍ଥା ଦେଖାଦେଇଥିଲା। ୧୯୫୮, ୧୯୬୬ ଓ ୧୯୮୦ରେ ସେହି ମାନ୍ଦାବସ୍ଥା ସୃଷ୍ଟି ହୋଇଥିଲା। ପ୍ରତି ଥରର କାରଣ ଗୋଟିଏ ଥିଲା-ଦୁର୍ବଳ ‌ମୌସୁମୀ। ଅତୀତରେ ଭାରତୀୟ ଅର୍ଥନୀତି କୃଷି ଉପରେ ଅତ୍ୟଧିକ ନିର୍ଭରଶୀଳ ଥିଲା। ଜିଡିପିକୁ ଏହି କ୍ଷେତ୍ରର ଅବଦାନ ମଧ୍ୟ ବହୁତ ଅଧିକ ଥିଲା। ତେଣୁ ମୌସୁମୀ ବର୍ଷାର ଅଭାବରେ ଫସଲ ଅମଳ ଭଲ ହେବା କାରଣରୁ ଦେଶ ମାନ୍ଦାବସ୍ଥା ମଧ୍ୟକୁ ଠେଲି ହୋଇଯାଇଥିଲା। କିନ୍ତୁ ୧୯୯୧ ପରବର୍ତୀ ସମୟରେ ଥରେ ହେଲେ ବି ଅର୍ଥନୀତିରେ ମାନ୍ଦାବସ୍ଥା ଦେଖାଦେଇନଥିଲା। ୨୦୦୮-୦୯ରେ ଯେଉଁ ମାନ୍ଦାବସ୍ଥା ଦେଖାଦେଇଥିଲା ତାହା ଥିଲା ବିଶ୍ବସ୍ତରୀୟ ମାନ୍ଦାବସ୍ଥା। ଭାରତ କେବଳ ତାହା ଦ୍ବାରା ପ୍ରଭାବିତ ହୋଇଥିଲା। ତାହା ଦେଶ ଭିତରୁ ସୃଷ୍ଟି ହୋଇଥିବା ମାନ୍ଦାବସ୍ଥା ନଥିଲା। ନବେ ଦଶକର ଉଦାରୀକରଣ ପରବର୍ତୀ ସମୟରେ ଭାରତ ପ୍ରଥମ ଥର ଲାଗି ଓ ସ୍ବାଧୀନତା ପରବର୍ତୀ ସମୟରେ ଚତୁର୍ଥ ଥର ଲାଗି ମାନ୍ଦାବସ୍ଥା କବଳରେ ପଡ଼ିବାର ବିପଦ ସୃଷ୍ଟି ହୋଇଛି। ସବୁଠୁ ବଡ଼ କଥା ହେଉଛି ଏଥରର ମାନ୍ଦାବସ୍ଥାର ପ୍ରଭାବକୁ କୃଷି କ୍ଷେତ୍ର ହିଁ କିଛି ମାତ୍ରାରେ କମ୍ କରିବ। କାରଣ ଚଳିତ ବର୍ଷ ମୌସୁମୀ ଆଗମନ ସ୍ବାଭାବିକ ରହିବ ବୋଲି ପାଣିପାଗ ବିଭାଗ ଆକଳନ କରୁଥିବା ବେଳେ ରେକର୍ଡ ପରିମାଣର ଫସଲ ଅମଳ ହେବ ବୋଲି କୃଷି ବିଭାଗ ଅନୁମାନ ଲଗାଇଛି। ପୂର୍ବର ତିନି ମାନ୍ଦାବସ୍ଥା ଲାଗି ଯେଉଁ କୃଷି କ୍ଷେତ୍ର ଦାୟୀ ଥିଲା ଏଥର ସେହି କ୍ଷେତ୍ର ମାନ୍ଦାବସ୍ଥାର ପ୍ରଭାବକୁ କମ୍ କରିବ।

କ୍ରିସିଲ୍ ମତରେ ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସର ଅଭିବୃଦ୍ଧି ଗୁରୁତର ଭାବେ ପ୍ରଭାବିତ ହେବ। କେବଳ ଅଣ କୃଷି କ୍ଷେତ୍ର ନୁହେଁ, ଶିକ୍ଷା, ଗମନାଗମନ ଓ ପର୍ଯ୍ୟଟନ କ୍ଷେତ୍ର ଗୁରୁତର ଭାବେ ପ୍ରଭାବିତ ହେବ। ଯେହେତୁ ଏହି କ୍ଷେତ୍ରରେ ବିପୁଳ ପରିମାଣର କର୍ମଚାରୀ ନିୟୋଜିତ ଅଛନ୍ତି ତେଣୁ ସେହି ସବୁ କ୍ଷେତ୍ରରେ ନିଯୁକ୍ତି ଓ ଆୟରେ ବ୍ୟାପକ ହ୍ରାସ ଘଟିବାର ଆଶଙ୍କା ରହିଛି ବୋଲି କ୍ରିସିଲ୍‌ କହିଛି।

ଅଭିବୃ୍ଦ୍ଧି -୬.୮% ହେବ: ଷ୍ଟେଟ୍‌ ବ୍ୟାଙ୍କ
ମୁମ୍ବାଇ: ଚଳିତ ଆର୍ଥିକ ବର୍ଷ ୨୦୨୦-୨୧ରେ ଭାରତର ଅଭିବୃଦ୍ଧି ହାର ଋଣାତ୍ମକ (-) ୬.୮ ପ୍ରତିଶତ ରହିବ ବୋଲି ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କର ଏହାର ଇକୋରାପ୍ ରିପୋର୍ଟ‌ରେ ଆକଳନ କରିଛି। ୨୦୧୯-୨୦ ଆର୍ଥିକ ବର୍ଷରେ କିନ୍ତୁ ଅଭିବୃଦ୍ଧି ୪.୨ ପ୍ରତିଶତ ରହିବ ବୋଲି ଏହା ଜଣାଇଛି। କରୋନା ସଙ୍କଟ ମୁକାବିଲା ଘୋଷଣା କରାଯାଇଥିବା ଲକ୍‌ଡାଉନ୍‌ର ପ୍ରଥମ ସାତ ଦିନରେ ଅର୍ଥନୀତିକୁ ୧.୪ ଲକ୍ଷ କୋଟି ଟଙ୍କାର କ୍ଷତି ହୋଇଛି। ୧୦ଟି ରାଜ୍ୟରେ କ୍ଷତି ସବ୍ରାଧିକ ରହିଛି। ଏଥିରେ ମହାରାଷ୍ଟ୍ର ସବୁଠୁ ଆଗରେ ଥିବା ବେଳେ ଏହା ପଛକୁ ତାମିଲନାଡୁ ଓ ଗୁଜରାଟ ଅଧିକ କ୍ଷତି ସହିଥିବା ଏସ୍‌ବିଆଇ ଇକୋରାପ୍ ରିପୋର୍ଟରେ କୁହାଯାଇଛି।

ସମ୍ବନ୍ଧିତ ଖବର