ଜିଏସ୍‌ଟି ଦେଉଥିବା ସଂସ୍ଥାକୁ ସହଜରେ ମିିଳିବ ଋଣ

ଭୁବନେଶ୍ୱର: ଲଘୁ, କ୍ଷୁଦ୍ର ଓ ମଧ୍ୟମ ଧରଣର ଶିଳ୍ପ ସଂସ୍ଥା (ଏମ୍‌ଏସ୍‌ଏମ୍‌ଇ)ଗୁଡ଼ିକ ବ୍ୟାଙ୍କ ଋଣ ହାସଲ କରିବା ବେଳେ ଅନେକ ସମସ୍ୟା ସାମ୍ନା କରନ୍ତି। ଦେଶରେ ଥିବା ୯୨% ଏମ୍‌ଏସ୍‌ଏମ୍‌ଇକୁ ସଂଗଠିତ କ୍ଷେତ୍ରରୁ ଋଣ ମିଳେନାହିଁ। ଏହି ଚିତ୍ର ଆଗାମୀ କିଛି ଦିନ ଭିତରେ ବଦଳିବାକୁ ଯାଉଛି। ଯେଉଁ କ୍ଷୁଦ୍ର ଓ ମଧ୍ୟମ ଧରଣର ସଂସ୍ଥା ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ଦାଖଲ କରୁଛନ୍ତି ସେମାନଙ୍କୁ ସହଜରେ ଋଣ ମିଳିବ। ଋଣ ଆବେଦନ ବେଳେ ତାଙ୍କୁ କୌଣସି ସମ୍ପତ୍ତି ବନ୍ଧକ ରଖିବାକୁ ପଡ଼ିବ ନାହିଁ। ଜିଏସ୍‌ଟି ଦାଖଲ କରୁଥିଲେ ସେହି ଆଧାରରେ ବ୍ୟାଙ୍କ ଓ ଅନ୍ୟାନ୍ୟ ଆର୍ଥିକ ସଂସ୍ଥା ସେମାନଙ୍କୁ ଋଣ ପ୍ରଦାନ କରିବେ। ମୁମ୍ବାଇ ଭଳି ସହରରେ ଏହି ଧାରା ଆରମ୍ଭ ହୋଇଗଲାଣି। ଆଗାମୀ ଦୁଇ ମାସ ଭିତରେ ଅନ୍ୟ ପ୍ରମୁଖ ସହଗୁଡ଼ିକରେ ଜିଏସ୍‌ଟି ଆଧାରରେ ଋଣ ଦେବା ପ୍ରକ୍ରିୟା ଆରମ୍ଭ ହୋଇଯିବ। ଓଡ଼ିଶା ଭଳି ରାଜ୍ୟରେ ୬ ମାସ ଭିତରେ ଏହି ଧାରା ଆରମ୍ଭ ହେବ ବୋଲି ଆଇରିସ୍‌ ବିଜ୍‌ନେସ୍‌ ସର୍ଭିସେସ୍‌ ଲିମିଟେଡ୍‌ର ସିଇଓ ଏସ୍‌ ସ୍ୱାମୀନାଥନ୍‌ କହିଛନ୍ତି। ଓଡ଼ିଶାର ସୁନ୍ଦରଗଡ଼ ଜିଲ୍ଲାରେ ଜନ୍ମ ଗ୍ରହଣ କରିଥିବା ଶ୍ରୀ ସ୍ୱାମୀନାଥନ କହିଲେ, ସବୁ ବଡ଼ ବଡ଼ ବ୍ୟାଙ୍କ, ଅଣ ବ୍ୟାଙ୍କିଙ୍ଗ ଆର୍ଥିକ ସଂସ୍ଥା (ଏନ୍‌ବିଏଫ୍‌ସି) ଓ ଫାଇନାନ୍ସ ସଂସ୍ଥାଗୁଡ଼ିକ ଜିଏସ୍‌ଟି ରିଟର୍ଣ୍ଣ ଆଧାରରେ ଋଣ ପ୍ରଦାନ କରିବାକୁ ନିଜକୁ ପ୍ରସ୍ତୁତ କରୁଛନ୍ତି। ଆର୍ଥିକ ସଂସ୍ଥାଗୁଡ଼ିକୁ ଆଇରିସ୍‌ ବିଜ୍‌ନେସ୍‌ ସର୍ଭିସେସ୍‌ ଜିଏସ୍‌ଟି ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ସୂଚନା ପ୍ରଦାନ କରିବ। ଏହା ହେଉଛି ଦେଶରେ ଥିବା ୨୦ଟି ଜିଏସ୍‌ଟି ସୁବିଧା ପ୍ରଦାନକାରୀ ସଂସ୍ଥା ମଧ୍ୟରୁ ଅନ୍ୟତମ।

ସମ୍ବନ୍ଧିତ ଖବର