ଜିଏସ୍‌ଟି ଆପିଲିଟ ଟ୍ରିବ୍ୟୁନାଲ୍‌ର ଜାତୀୟ ବେଞ୍ଚ୍‌ ପ୍ରତିଷ୍ଠା ହେବ

ନୂଆଦିଲ୍ଲୀ: ସାମଗ୍ରୀ ଓ ସେବା କର (ଜିଏସ୍‌ଟି) ସଂକ୍ରାନ୍ତ ବିବାଦଗୁଡ଼ିକର ସମାଧାନ କରିବା ନିମନ୍ତେ ଏକ ରାଷ୍ଟ୍ରୀୟ ଆପିଲେଟ୍‌ ଟ୍ରିବ୍ୟୁନାଲ୍ ଗଠନ କରାଯିବ। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ କମିଟିରେ ଏହି ପ୍ରସ୍ତାବକୁ ମଞ୍ଜୁରି ପ୍ରଦାନ କରାଯାଇଛି। ଏହି ନୂତନ ‌ବେଞ୍ଚର ନାମ ରଖାଯିବ ‘ସାମଗ୍ରୀ ଓ ସେବା କର ଆପିଲେଟ ଟ୍ରିବ୍ୟୁନାଲ୍ ରାଷ୍ଟ୍ରୀୟ ବେଞ୍ଚ୍‌’(ଜିଷ୍ଟାଟ୍‌)। ଏହାକୁ ନୂଆଦିଲ୍ଲୀରେ ସ୍ଥାପନ କରାଯିବ। ଏଥିରେ ଜଣେ ସଭାପତି ଏବଂ ୨ ଜଣ ବୈଷୟିକ ସଦସ୍ୟ ରହିବେ। ‌ବୈଷୟିକ ସଦସ୍ୟଙ୍କ ମଧ୍ୟରୁ ଜଣେ ରାଜ୍ୟଗୁଡ଼ିକୁ ପ୍ରତିନିଧିତ୍ବ କରିବେ। ଜିଷ୍ଟାଟ୍‌ ଗଠନ ପାଇଁ ୯୨.୫୦ ଲକ୍ଷ ଟଙ୍କା ଖର୍ଚ କରାଯିବ। ବିଭିନ୍ନ ପର୍ଯ୍ୟାୟରେ ଅବଶ୍ୟ ଏଥିପାଇଁ ୬.୮୬ କୋଟି ଟଙ୍କା‌ ଖର୍ଚ ହେବ। କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଜିଏସଟି ଆଇନ କିମ୍ବା ତତ୍‌ ସଂକ୍ରାନ୍ତୀୟ ବିଷୟକୁ ନେଇ ବିବାଦ ଉପୁଜିଲେ ତାହାର ବିଚାର ଜିଷ୍ଟାଟ୍‌ରେ କରାଯିବ। ଏହା ଆବେଦନ ପୁନର୍ବିଚାରର ଦ୍ବିତୀୟ ଫୋରମ ଭାବେ କାମ କରିବ। ବର୍ତ୍ତମାନ ଉଭୟ କେନ୍ଦ୍ର ଓ ରାଜ୍ୟ ସ୍ତରରେ ଜିଏସ୍‌ଟି ପାଇଁ ଆପିଲେଟ୍‌ ଟ୍ରିବ୍ୟୁନାଲ୍ ଗଠନ କରାଯାଇଛି। ଏହି ଦୁଇ ସ୍ତରର ଟ୍ରିବ୍ୟୁନାଲ୍‌ରେ ଆଦେଶ ବିରୋଧରେ ଜାତୀୟ ଟ୍ରିବ୍ୟୁନାଲ୍‌ରେ ଆବେଦନ କରାଯାଇପାରିବ।

ସମ୍ବନ୍ଧିତ ଖବର