ଜିଏସ୍‌ଟିରେ ସାମିଲ ହେବ ପ୍ରାକୃତିକ ଗ୍ୟାସ, ବିମାନ ଇନ୍ଧନ

ନୂଆଦିଲ୍ଲୀ: ଜିଏସ୍‌ଟି ପରିଷଦର ପରବର୍ତି ବୈଠକରେ ପ୍ରାକୃତିକ ଗ୍ୟାସ୍‌ ଓ ବିମାନ ଇନ୍ଧନକୁ ଜିଏସ୍‌ଟିରେ ସାମିଲ କରିବା ନେଇ ଆଲୋଚନା ହେବ। ପରିଷଦର ଯୁଗ୍ମ ସଚିବ ଧୀରଜ ରସ୍ତୋଗି ଏହି ସୂଚନା ଦେଇଛନ୍ତି। କିରାସିନି, ନାପ୍‌ଥା ଓ ଏଲ୍‌ପିଜି ଉପରେ ଜିଏସ୍‌ଟି ଲାଗୁ କରାଯାଇଛି। ମାତ୍ର ଅଶୋଧିତ ତୈଳ, ପ୍ରାକୃତିକ ଗ୍ୟାସ୍‌, ବିମାନ ଇନ୍ଧନ, ଡିଜେଲ ଓ ପେଟ୍ରୋଲ୍‌ ଉପରେ ଜିଏସ୍‌ଟି ଲଗାଯାଇନାହିଁ। ପେଟ୍ରୋଲ୍‌ ଓ ଡିଜେଲ୍‌କୁ ଜିଏସ୍‌ଟିରେ ସାମିଲ କରିବା ପାଇଁ କେନ୍ଦ୍ର ସରକାର ଉଦ୍ୟମ କରୁଛନ୍ତି। କିନ୍ତୁ ରାଜ୍ୟଗୁଡ଼ିକ ସେଥିପ୍ରତି ବିଶେଷ ଆଗ୍ରହ ଦେଖାଉନାହାନ୍ତି। କାରଣ ରାଜ୍ୟ ରାଜସ୍ୱର ଏକ ବଡ଼ ଭାଗ ତେଲ ଟିକସରୁ ଆଦାୟ ହେଉଛି। ଜିଏସ୍‌ଟି ଲାଗୁ ହେଲେ ତେଲରୁ ହେଉଥିବା ରାଜ୍ୟମାନଙ୍କ ଆୟ କମିଯିବ। ଅନ୍ୟ ଏକ କାର୍ଯ୍ୟକ୍ରମରେ ଅର୍ଥ ରାଷ୍ଟ୍ରମନ୍ତ୍ରୀ ଶିବ ପ୍ରସାଦ ଶୁକ୍ଳା କହିଛନ୍ତି ଯେ, ଜିଏସ୍‌ଟିର ଆହୁରି ସରଳୀକରଣ କରାଯିବ। ଏ ବିଷୟରେ ଖୁବଶୀଘ୍ର ବଡ଼ ପଦକ୍ଷେପ ଘୋଷଣା କରାଯିବ। ଜିଏସ୍‌ଟିରେ ଏବେ ୫, ୧୨, ୧୮ ଓ ୨୮% ଭଳି ଚାରିଟି ସ୍ଲାବ୍‌ ରହିଛି। ବିଭିନ୍ନ ସାମଗ୍ରୀ ଓ ସେବା ଉପରୁ ଜିଏସ୍‌ଟି କମ୍‌ କରିବା ଓ ସ୍ଲାବ୍‌ ସଂଖ୍ୟା କମାଇବାକୁ ସିଆଇଆଇ ଭଳି ଶିଳ୍ପ ସଂଘଗୁଡ଼ିକ ଦାବି କରୁଛନ୍ତି। ପୂର୍ବରୁ ଅର୍ଥମନ୍ତ୍ରୀ ଅନେକ ଥର କହିଛନ୍ତି ଯେ, ଯଦି ଟିକସ ଆଦାୟ ବଢ଼ିବ ତେବେ ଜିଏସ୍‌ଟିର ଆହୁରି ସରଳୀକରଣ କରାଯିବ। ମାର୍ଚ ମାସରେ ଜିଏସ୍‌ଟି ଆଦାୟ ଏକ ଲକ୍ଷ କୋଟି ଟଙ୍କାରୁ ଅଧିକ ହୋଇଥିଲା।

ସମ୍ବନ୍ଧିତ ଖବର