ଜିଏସ୍‌ଟି ଲାଗିଲେ ପେଟ୍ରୋଲ୍‌ ଦର ୨୭ ଟଙ୍କା କମିବ

ଭୁବନେଶ୍ୱର: ପେଟ୍ରୋଲ୍‌ ଓ ଡିଜେଲ ଦର ନିୟମିତ ଭାବେ ବୃଦ୍ଧି ପାଉଥିବା ବେଳେ ଏହାକୁ ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି)ରେ ସାମିଲ କରିବା ପାଇଁ ଦାବି ହେଉଛି। କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ପ୍ରସ୍ତାବ ଦେଇଛନ୍ତି। ମାତ୍ର କଥା ଆଗକୁ ବଢ଼ୁନାହିଁ। ଜିଏସ୍‌ଟି ଏବେ ଚାରିଟି ସ୍ଲାବ୍‌ରେ ଲାଗୁ କରାଯାଉଛି। ତାହା ହେଉଛି ୫%, ୧୨%, ୧୮% ଓ ୨୮%। ଯଦି ୨୮% ହାରରେ ପେଟ୍ରୋଲ୍‌ ଉପରେ ଜିଏସ୍‌ଟି ଲାଗୁ କରାଯିବ ତେବେ ଏହାର ଦର ଲିଟର ପିଛା ୨୭ ଟଙ୍କା କମିଯିବ। ଲୋକମାନେ ୪୬-୪୭ ଟଙ୍କା ଭିତରେ ପେଟ୍ରୋଲ୍‌ କିଣିପାରିବେ। ସେହିପରି ଡିଜେଲ୍‌ ଉପରେ ଯଦି ୨୮%ର ଜିଏସ୍‌ଟି ଲାଗୁ କରାଯିବ ତେବେ ତାହାର ଲିଟର ପିଛା ଦର ୨୧ ଟଙ୍କା କମିଯିବ ବୋଲି ଆକଳନ କରାଯାଇଛି। ଗତକାଲି (ଏପ୍ରିଲ୍‌ ୨୨)ରେ ଭୁବନେଶ୍ୱରରେ ପେଟ୍ରୋଲ୍‌ର ଲିଟର ପିଛା ମୂଲ୍ୟ ୭୩ ଟଙ୍କା ୨୪ ପଇସା ଥିଲା। ତେଲ କଂପାନିଗୁଡ଼ିକ ପେଟ୍ରୋଲ୍‌ ପମ୍ପ୍‌ଗୁଡ଼ିକୁ ଲିଟର ପିଛା ୩୫ ଟଙ୍କା ୫୯ ପଇସାରେ ପେଟ୍ରୋଲ୍‌ ଯୋଗାଇ ଦେଉଛନ୍ତି। ଯଦି କୌଣସି ଟିକସ ନଥାନ୍ତା ତେବେ ଲୋକମାନଙ୍କୁ ୩୭-୩୮ ଟଙ୍କାରେ ପେଟ୍ରୋଲ୍‌ ମିଳିଯାଆନ୍ତୁ। ମାତ୍ର କେନ୍ଦ୍ର ସରକାର ୧୯ ଟଙ୍କା ୪୮ ପଇସା ଓ ରାଜ୍ୟ ସରକାର ୧୩ ଟଙ୍କା ୮୬ ପଇସାର ଟିକସ ଲାଗୁ କରିବା ପରେ ଡିଲରଙ୍କ କମିସନ ବାବଦରେ ୩ ଟଙ୍କା ୨୨ ପଇସା ଲାଗୁ କରାଯାଉଛି। ଅନ୍ୟାନ୍ୟ ଖର୍ଚକୁ ମିଶାଇବା ପରେ ପେଟ୍ରୋଲ୍‌ ଦର ୭୩ ଟଙ୍କା ୨୪ ପଇସାରେ ପହଞ୍ଚିଯାଉଛି। ଏହି ଦରରେ ଗ୍ରାହକମାନେ ପେଟ୍ରୋଲ୍‌ କିଣିବାକୁ ବାଧ୍ୟ ହେଉଛନ୍ତି। ସେହିପରି ଡିଜେଲର ଲିଟର ପିଛା ଦର ୭୦ ଟଙ୍କା ୪୪ ପଇସା ରହିଛି। ଏହା ଉପରେ କେନ୍ଦ୍ର ସରକାର ୧୫ ଟଙ୍କା ୩୩ ପଇସା ଓ ରାଜ୍ୟ ସରକାର ୧୩ ଟଙ୍କା ୮୬ ପଇସାର ଟିକସ ବସାଇଛନ୍ତି। ଡିଲର କମିସନ ବାବଦରେ ୨ ଟଙ୍କା ୨୧ ପଇସା ଲାଗୁ କରାଯାଇଛି। ଅନ୍ୟାନ୍ୟ ଖର୍ଚ ମିଶାଇବା ପରେ ଡିଜେଲ ଦର ୭୦ ଟଙ୍କାରୁ ଅଧିକ ହୋଇଯାଉଛି।

ସମ୍ବନ୍ଧିତ ଖବର