ପେଟ୍ରୋଲ୍‌, ଡିଜେଲରେ ଲାଗିପାରେ ଜିଏସ୍‌ଟି

କେନ୍ଦ୍ରର ଅସୁବିଧା ନାହିଁ, ରାଜ୍ୟଗୁଡ଼ିକ ଚାହିଁଲେ ଲାଗିବ

ନୂଆଦିଲ୍ଲୀ: ପେଟ୍ରୋଲ ଏବଂ ଡିଜେଲକୁ ସାମଗ୍ରୀ ଓ ସେବା ଟିକସ(ଜିଏସ୍‌ଟି) ପରିସରକୁ ଆଣିବା ଲାଗି କେନ୍ଦ୍ର ସରକାର ରାଜି ଅଛନ୍ତି। କେନ୍ଦ୍ର ଅର୍ଥମନ୍ତ୍ରୀ ତଥା ଜିଏସ୍‌ଟି ପରିଷଦର ଅଧ୍ୟକ୍ଷ ଅରୁଣ ଜେଟ୍‌ଲି କହିଛନ୍ତି, ପେଟ୍ରୋଲ ଏବଂ ଡିଜେଲକୁ ଜିଏସ୍‌ଟି ପରିସରକୁ ଆଣିବା ସପକ୍ଷରେ କେନ୍ଦ୍ର ସରକାର ଅଛନ୍ତି। କିନ୍ତୁ ରାଜ୍ୟ ସରକାରଙ୍କ ସହମତି ହାସଲ ପରେ ହିଁ ଏହା କରାଯିବ ବୋଲି ଜେଟ୍‌ଲି ଆଜି କହିଛନ୍ତି।
ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ସହିତ ରାଜିହେବା ନେଇ ସେ ଆଶାବାଦୀ ରହିଥିବା କହିଛନ୍ତି। ରାଜ୍ୟସଭାରେ ଏକ ଲିଖିତ ଉତ୍ତରରେ ଜେଟ୍‌ଲି ଏହି ସୂଚନା ଦେଇଛନ୍ତି।
ଜେଟ୍‌ଲି ଏହା ମଧ୍ୟ କହିଛନ୍ତି ଯେ ପେଟ୍ରୋଲିୟମ ଉତ୍ପାଦକୁ ଜିଏସ୍‌ଟି ପରିସର ବାହାରେ ରଖାଯାଇ ନାହିଁ। ବରଂ ଏହାକୁ ଜିଏସ୍‌ଟି ଆଇନ ପରିସରରେ ରଖାଯାଇଛି। କିନ୍ତୁ ଜିଏସ୍‌ଟି ପରିଷଦ ୭୫ ପ୍ରତିଶତ ବା ତିନି ଚତୁର୍ଥାଂଶ ସଂଖ୍ୟା ଗରିଷ୍ଠ ମତରେ ଏହି ପ୍ରସ୍ତାବକୁ ମଞ୍ଜୁରି ଦେଲେ ପେଟ୍ରୋଲିୟମ ଉତ୍ପାଦ ଉପରେ ଜିଏସ୍‌ଟି ଲାଗୁ କରାଯାଇପାରିବ।
୧୧୫ତମ ସମ୍ବିଧାନ ସଂଶୋଧନରେ ଏ ବିଷୟ ପୂର୍ବରୁ ରହିଛି। ତେଣୁ ଏଥିପାଇଁ ଆଇନରେ କୌଣସି ପ୍ରକାର ସଂଶୋଧନର ଆବଶ୍ୟକତା ପଡ଼ିବ ନାହିଁ।
ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦମ୍ବରମ୍‌ଙ୍କ ଏକ ଅତିରିକ୍ତ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ଜେଟ୍‌ଲି କହିଛନ୍ତି ଯେ, ଜିଏସ୍‌ଟି ସମ୍ପର୍କିତ ସମ୍ବିଧାନ ସଂଶୋଧନ ଚିଠା ପ୍ରସ୍ତାବରେ ୟୁପିଏ ସରକାର ଏହାକୁ ସାମିଲ କରି ନଥିଲେ। କାରଣ ୟୁପିଏ ସରକାର ଜାଣିଥିଲା ଯେ ରାଜ୍ୟ ସରକାରଙ୍କ ସହିତ ଏ କ୍ଷେତ୍ରରେ ସେମାନଙ୍କୁ ସଫଳତା ମିଳିବ ନାହିଁ। ତେବେ ବହୁ ଆଲୋଚନା ପରେ ଆମେ ରାଜ୍ୟଗୁଡ଼ିକୁ ଏ ନେଇ ପ୍ରବର୍ତ୍ତାଇଥିଲୁ। ପ୍ରାରମ୍ଭିକ ପର୍ଯ୍ୟାୟରେ ରାଜ୍ୟଗୁଡ଼ିକ ଏ ନେଇ ସହମତ ହେଉ ନଥିଲେ। କିନ୍ତୁ ପରେ ସେମାନେ ଏହି ପ୍ରସ୍ତାବ ସହିତ ବହୁ କଷ୍ଟରେ ରାଜି ହୋଇଥିଲେ। ଶେଷରେ ଏହା ନିଷ୍ପତ୍ତି ହୋଇଥିଲା ଯେ, ରାଜ୍ୟ ଗୁଡ଼ିକ ଏ ନେଇ ରାଜି ହେଲେ ଜିଏସ୍‌ଟି ପରିଷଦ ଏ କ୍ଷେତ୍ରରେ ଆଗକୁ ଅଗ୍ରସର ହେବ।
ସେ ଏହା ମଧ୍ୟ କହିଛନ୍ତି ଯେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ମୂଲ୍ୟ ବୃଦ୍ଧି ଘଟିବା ପରେ କେନ୍ଦ୍ର ସରକାର ଏହା ଉପରୁ ଶୁଳ୍କ ହ୍ରାସ କରିବା ପାଇଁ ନିଷ୍ପତ୍ତି ନେଇଥିଲା। ରାଜ୍ୟ ଗୁଡ଼ିକୁ ମଧ୍ୟ ଏ ପ୍ରକାର ପଦକ୍ଷେପ ନେବାକୁ କେନ୍ଦ୍ର ସରକାର କହିଥିଲା। କିନ୍ତୁ ଏନ୍‌ଡିଏ ଶାସିତ ରାଜ୍ୟଗୁଡ଼ିକ ଏହି ପ୍ରସ୍ତାବରେ ସହଜରେ ରାଜି ହୋଇଯାଇଥିଲେ। କିନ୍ତୁ ୟୁପିଏ ଶାସିତ ରାଜ୍ୟଗୁଡ଼ିକ ଶୁଳ୍କ ହ୍ରାସ କରିବାକୁ ରାଜି ହୋଇ ନଥିଲେ। ଉଲ୍ଲେଖଯୋଗ୍ୟ ଯେ, ଜିଏସ୍‌ଟି କାର୍ଯ୍ୟକାରୀ ହେବା ପରେ ରାଜ୍ୟ ଗୁଡ଼ିକ ପେଟ୍ରୋଲ ଏବଂ ଡିଜେଲ ଉପରେ ଜିଏସଟି ଲାଗୁ କରିବାକୁ ରାଜି ହୋଇ ନଥିଲେ। ତେଣୁ ଜିଏସ୍‌ଟି ଲାଗୁ ହେବା ପରେ ଜିଏସ୍‌ଟି ପରିସର ବାହାରେ ପେଟ୍ରୋଲିୟମ ଉତ୍ପାଦ ଓ ମଦ ରହିଛି। ଫଳରେ ଏହା ଉପରେ ରାଜ୍ୟ ସରକାରମାନେ ଟିକସ ଆଦାୟ କରି ଆସୁଛନ୍ତି। କିନ୍ତୁ ପେଟ୍ରୋଲିୟମ ଉତ୍ପାଦ ଓ ମଦକୁ ବାଦଦେଲେ ଅନ୍ୟ ସବୁ ସାମଗ୍ରୀ ଓ ସେବା ବାବଦରେ ଆଦାୟ ହେଉଥିବା ଟିକସ ରାଶି କେନ୍ଦ୍ର ସରକାରଙ୍କ ନିକଟକୁ ଯାଉଛି। କେନ୍ଦ୍ର ସରକାର ଅର୍ଥ ଆୟୋଗର ସୁପାରିସ ଅନୁସାରେ ଏକ ନିର୍ଦ୍ଦିଷ୍ଟ ପ୍ରତିଶତର ରାଜସ୍ୱ ରାଜ୍ୟ ସରକାରମାନଙ୍କୁ ପ୍ରଦାନ କରି ଆସୁଛନ୍ତି।

ସମ୍ବନ୍ଧିତ ଖବର