ଜିଏସ୍‌ଟି ଉପରେ ହାଇକୋର୍ଟ ବିଚାରପତିଙ୍କ ମାନସ ମନ୍ଥନ

ନୂଆଦିଲ୍ଲୀ: ସାମଗ୍ରୀ ଏବଂ ସେବା ଟିକସ (ଜିଏସ୍‌ଟି)କୁ ନେଇ ଆସିବାକୁ ଥିବା ସମ୍ଭାବ୍ୟ ମାମଲାଗୁଡ଼ିକର ବିଚାର କିଭଳି କରାଯିବ ତାହା ଜାଣିବା ପାଇଁ ହାଇକୋର୍ଟର ବିଚାରପତିମାନେ ପ୍ରୟାସ ଆରମ୍ଭ କରିଦେଇଛନ୍ତି। ଦେଶର ୧୨ଟି ହାଇକୋର୍ଟର ୨୦ ବିଚାରପତି ଜିଏସ୍‌ଟିକୁ ବୁଝିବା ପାଇଁ ବିଶେଷଜ୍ଞ ଏବଂ ସରକାରୀ ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି। ଜିଏସ୍‌ଟି ନିୟମକୁ ସେମାନେ ସମ୍ପୂର୍ଣ୍ଣ ବୁଝିବାକୁ ଚେଷ୍ଟା କରିଛନ୍ତି। କେଉଁ କେଉଁ କ୍ଷେତ୍ରରେ ଆଗାମୀ ଦିନରେ ମାମଲା ଦାୟର ହୋଇପାରେ ତାହା ଜାଣିବାକୁ ବିଚାରପତିମାନେ ପ୍ରୟାସ କରିଛନ୍ତି।
ଜିଏସ୍‌ଟି ବିଶେଷଜ୍ଞ ଏବଂ କେନ୍ଦ୍ରୀୟ ଉତ୍ପାଦ ଏବଂ ସିମା ଶୁଳ୍କ(ସିବିଇସି)ର ଅଧିକାରୀମାନେ ହାଇକୋର୍ଟ ବିଚାରପତିମାନଙ୍କୁ ଜିଏସ୍‌ଟି କ’ଣ ତାହା ବୁଝାଇଛନ୍ତି। ଭୋପାଳର ନ୍ୟାସନାଲ୍‌ ଜୁଡିସିଆଲ୍‌ ଏକାଡେମି ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏକ ଜାତୀୟ ସମ୍ମିଳନୀ ଅବସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ହାଇକୋର୍ଟ ବିଚାରପତି ଏବଂ ବିଶେଷଜ୍ଞମାନେ ଏକଜୁଟ ହୋଇ ଜିଏସ୍‌ଟି ଉପରେ ମାନସ ମନ୍ଥନ କରିଥିଲେ।

ଜିଏସ୍‌ଟି ସମ୍ପର୍କିତ ମାମଲା ବିଭିନ୍ନ କୋର୍ଟରେ ଦାୟର ହେବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ସେ ଦୃଷ୍ଟିରୁ ଏହି ସମ୍ମିଳନୀର ଗୁରୁତ୍ୱ ବଢ଼ିଯାଇଛି। ଏହି କାର୍ଯ୍ୟକ୍ରମରେ ଆହ୍ଲାବାଦ, ଆନ୍ଧ୍ର ପ୍ରଦେଶ, ବମ୍ବେ, ଦିଲ୍ଲୀ, ଗୁଜରାଟ, ଜାମ୍ମୁ ଓ କାଶ୍ମୀର, କର୍ଣ୍ଣାଟକ, କେରଳ, ମଧ୍ୟ ପ୍ରଦେଶ ଏବଂ ମାଡ୍ରାସ ହାଇକୋର୍ଟର ବିଚାରପତିମାନେ ଭାଗ ନେଇଥିଲେ।
ଉଲ୍ଲେଖଯୋଗ୍ୟ, ସାନିଟାରି ନାପ୍‌କିନ୍‌ ଉପରେ ଲଗାଯାଇଥିବା ୧୨% ଜିଏସ୍‌ଟିକୁ ବିରୋଧ କରି ଦିଲ୍ଲୀ ହାଇକୋର୍ଟରେ ଏକ ମାମଲା ଦାୟର କରାଯାଇଥିଲା ଯାହାର ଶୁଣାଣି ଆରମ୍ଭ ହୋଇଯାଇଛି। ବିନ୍ଦି ଏବଂ ସିନ୍ଦୁର ଭଳି ସାମଗ୍ରୀକୁ ଜିଏସ୍‌ଟି ବାହାରେ ରଖାଯାଇଥିବା ବେଳେ ସାନିଟାରି ନାପ୍‌କିନ୍‌ ଉପରେ କାହିଁକି ଜିଏସ୍‌ଟି ଲଗାଯାଇଛି ତାହା ବୁଝାପଡ଼ୁନାହିଁ ବୋଲି ହାଇକୋର୍ଟର ବିଚାରପତି ଶୁଣାଣି ବେଳେ କହିଥିଲେ।

ସମ୍ବନ୍ଧିତ ଖବର