ଅକ୍ଟୋବରରେ ଜିଏସ୍‌ଟି ଆଦାୟ ଲକ୍ଷେ କୋଟି ଟପିଲା

ନୂଆଦିଲ୍ଲୀ: ଅକ୍ଟୋବରରେ ଦେଶରେ ଜିଏସଟି ଆଦାୟ ରାଶି ୧ ଲକ୍ଷ କୋଟି ଟଙ୍କା ଟପିଛି। ୫ ମାସ ପରେ ଜିଏସଟି ଆଦାୟ ରାଶି ପୁଣି ୧ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଛି। ପାର୍ବଣ ଋତୁରେ ଲୋକଙ୍କ କିଣାକିଣି ବୃଦ୍ଧି ଓ ଟିକସ ଠକେଇ ବିରୋଧରେ ପଦକ୍ଷେପ ଯୋଗୁ ଜିଏସଟି ଆଦାୟ ରାଶିରେ ଏହି ବୃଦ୍ଧି ଦେଖାଦେଇଛି। ଅର୍ଥମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି, ଅକ୍ଟୋବରରେ ୬୭ ଲକ୍ଷ ୪୫ ହଜାର ବ୍ୟବସାୟୀ ଜିଏସଟି ରିଟର୍ଣ୍ଣ ଦାଖଲ କରିଛନ୍ତି। ସେମାନେ ମୋଟ ୧,୦୦, ୭୧୦ କୋଟି ଟଙ୍କାର ଜିଏସଟି ରାଶି ଜମା କରିଛନ୍ତି। ଗତ ଏପ୍ରିଲ ମାସରେ ଜିଏସଟି ଆଦାୟ ରାଶି ପ୍ରଥମ ଥର ପାଇଁ ୧ ଲକ୍ଷ କୋଟି ଟଙ୍କା ଟପି ୧,୦୩,୪୫୮ କୋଟି ଟଙ୍କା ରହିଥିଲା। ଏହାପରେ ମେ ମାସରେ ୯୪,୦୧୬ କୋଟି, ଜୁନରେ ୯୫,୬୧୦ କୋଟି, ଜୁଲାଇରେ ୯୬,୪୮୩ କୋଟି, ଅଗଷ୍ଟରେ ୯୩,୯୬୦ କୋଟି ଏବଂ ସେପ୍ଟେମ୍ବରରେ ୯୪,୪୪୨ କୋଟି ଟଙ୍କାର ଜିଏସଟି ଆଦାୟ ହୋଇଥିଲା। ଅକ୍ଟୋବରରେ ଯେଉଁ ରାଜ୍ୟ ଗୁଡ଼ିକର ଜିଏସଟି ଆଦାୟ ରାଶିରେ ଉଲ୍ଲେଖନୀୟ ଅଭିବୃଦ୍ଧି ଘଟିଛି ସେମାନଙ୍କ ମଧ୍ୟରେ କେରଳ (୪୪%), ଝାଡ଼ଖଣ୍ଡ (୨୦%), ରାଜସ୍ଥାନ (୧୪%), ଉତ୍ତରାଖଣ୍ଡ ( ୧୩%) ଏବଂ ମହାରାଷ୍ଟ୍ର (୧୧%) ଆଦି ରହିଛନ୍ତି।

ସମ୍ବନ୍ଧିତ ଖବର