ମଇ ୪ରେ ଅର୍ଥନୀତିରେ ଅାସିପାରେ ବଡ଼ ପରିବର୍ତ୍ତନ ! ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ: ମଇ ୪ ତାରିଖରେ ଜିଏସଟି କାଉନ୍‌ସିଲର ୨୭ତମ ବୈଠକ ଅନୁଷ୍ଠିତ ହେବ। ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ରାଜ୍ୟର ଅର୍ଥମନ୍ତ୍ରୀ ବି ସାମିଲ ରହିବେ। ବୈଠକ ଭିଡିଓ କନ୍‌ଫରେନ୍ସ ଜରିଆରେ ହେବ। ଏହି ବୈଠକ ଏଥିପାଇଁ ମହତ୍ତ୍ୱପୂର୍ଣ୍ଣ କାରଣ, ଏହାପରେ କର୍ଣ୍ଣାଟକରେ ବିଧାନସଭା ନିର୍ବାଚନ ରହିଛି।

ପେଟ୍ରୋଲ ଡିଜେଲ ଦର ଉପରେ ଜିଏସଟି କାଉନ୍‌ସିଲ ବୈଠକରେ ହୋଇପାରେ ବଡ଼ ନିଷ୍ପତ୍ତି। ବର୍ତ୍ତମାନ ସମୟରେ ପେଟ୍ରୋଲ ଓ ଡିଜେଲ ଦର ନିଆଁ ଭଳି ବଢ଼ି ଚାଲିଛି। ଅନେକ ଦିନ ହେବ ପେଟ୍ରୋଲ ଓ ଡିଜେଲକୁ ଜିଏସ୍‌ଟିରେ ସାମିଲ କରିବା ପାଇଁ ସାଧାରଣଜନତା ଦାବି କରି ଆସିଛନ୍ତି। ଏପରି କଲେ ପେଟ୍ରୋଲ ଓ ଡିଜେଲ ଦର ହ୍ରାସ ପାଇପାରେ। ତେବେ ଏହାକୁ ଜିଏସ୍‌ଟିରେ ଆଣିବାକୁ ଅନେକ ରାଜ୍ୟ ବିରୋଧ କରୁଛନ୍ତି , ଏପରି କରିବା ଦ୍ୱାରା ରାଜ୍ୟର  କର ଭାଗ ହ୍ରାସ ପାଇପାରେ।

ନଗଦ ରାଶି ବଦଳରେ ଡିଜିଟାଲ ନେଣଦେଣ କରୁଥିବା ଉପଭୋକ୍ତାଙ୍କୁ ଏମ୍‌ଆରପି ଉପରେ ରିହାତି ପ୍ରଦାନ କରାଯିବ। ଏହି ରିହାତି ୧୦୦ଟଙ୍କା ପର୍ଯ୍ୟନ୍ତ ହୋଇପାରିବ। ଡିଜିଟାଲ ନେଣଦେଣକୁ ବୃଦ୍ଧି କରିବା ପାଇଁ ଏହି ପ୍ରସ୍ତାବକୁ ରାଜସ୍ୱ ବିଭାଗ ମଇ ୪ରେ ହେବାକୁ ଥିବା ଜିଏସ୍‌ଟି କାଉନ୍‌ସିଲ ବୈଠକରେ ଉପସ୍ଥାପିତ କରିବେ।

ଚିନି ଦର ବୃଦ୍ଧି ପାଇବ। ଅର୍ଥାତ୍‌ ଏହି ବୈଠକରେ ଏଭିଳି ନିଷ୍ପତ୍ତି ନିଆଯିବାର ଯୋଜନା ରହିଛି, ଯେଉଁଥିରେ ପ୍ରତିକିଲୋ ଚିନି ଦରରେ ୧୫ ପ୍ରତିଶତ ବୃଦ୍ଧି ପାଇବ। ଏତଦ୍‌ବ୍ୟତୀତ ଚାଲାଣ ହେବ ଅଟୋ ଜେନେରେସନ୍‌।

ସମ୍ବନ୍ଧିତ ଖବର