ଜିଏସ୍‌ଟି ଆହୁରି ସରଳ ହେବ

ଆଜି ନିଆଯିବ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ନୂଆଦିଲ୍ଲୀ: ଜିଏସ୍‌ଟି ପରିଷଦର ୨୭ତମ ବୈଠକ ଆସନ୍ତାକାଲି (ଶୁକ୍ରବାର) ଅନୁଷ୍ଠିତ ହେବ। ଏହି ବୈଠକରେ ରିଟର୍ଣ୍ଣ ଫର୍ମକୁ ସରଳ କରିବା ସହିତ ଜିଏସ୍‌ଟି ଆଇନକୁ ସରଳ କରିବା ଲାଗି ଆବଶ୍ୟକ ସଂଶୋଧନ ଉପରେ ମଧ୍ୟ ଆଲୋଚନା ହେବ। ଏଥିସହିତ ଆଇଟି ଭିତ୍ତିଭୂମି ସେବା ପ୍ରଦାନ କରୁଥିବା କମ୍ପାନି ଜିଏସ୍‌ଟିଏନ୍‌କୁ ସରକାରୀ କମ୍ପାନିରେ ପରିବର୍ତନ ପାଇଁ ରହିଥିବା ଯୋଜନା ଉପରେ ମଧ୍ୟ ଆଲୋଚନା ହେବ। ପରିଷଦର ଏହି ବୈଠକ ଭିଡିଓ କନ୍‌ଫେରେନ୍ସିଂ ମାଧ୍ୟମରେ ହେବ। ବିହାର ଉପମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦିଙ୍କ ଅଧ୍ୟକ୍ଷତାରେ ଗଠିତ ମନ୍ତ୍ରୀଗୋଷ୍ଠୀ କମିଟି ରିଟର୍ଣ୍ଣ ବ୍ୟବସ୍ଥାର ସରଳୀକରଣ ପାଇଁ ପରିଷଦ ସମ୍ମୁଖରେ ୩ଟି ନୂଆ ମଡେଲ ଆଲୋଚନା ପାଇଁ ଉପସ୍ଥାପନ କରିବ । ଫଳରେ ରିଟର୍ଣ୍ଣ ସରଳୀକରଣ ପାଇଁ ଜିଏସ୍‌ଟି ବୈଠକରେ ନିଷ୍ପତ୍ତି ନିଆଯିବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି ଜଣେ ସରକାରୀ ଅଧିକାରୀ କହିଛନ୍ତି। କିଡ୍‌ନି ପ୍ରତିରୋପଣ ହୋଇଥିବାରୁ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲିଙ୍କୁ ସଂକ୍ରମଣ ଭୟ ରହିଛି। ତେଣୁ ଡାକ୍ତରମାନେ ତାଙ୍କୁ ଅନ୍ୟମାନଙ୍କ ସହ ନମିଶିବା ପାଇଁ ପରାମର୍ଶ ଦେଇଛନ୍ତି। ଫଳରେ ଆସନ୍ତାକାଲିର ଜିଏସ୍‌ଟି ପରିଷଦ ବୈଠକ ଭିଡିଓ କନ୍‌ଫେରେନ୍ସିଂ ମାଧ୍ୟମରେ କରିବାକୁ ସ୍ଥିର କରାଯାଇଛି। ଗତ ମାର୍ଚରେ ଅନୁଷ୍ଠିତ ଜିଏସ୍‌ଟି ପରିଷଦ ବୈଠକରେ ଜିଏସ୍‌ଟି ରିଟର୍ଣ୍ଣର ଦୁଇଟି ମଡେଲ ଉପରେ ଆଲୋଚନା ହୋଇଥିଲା। ମନ୍ତ୍ରୀଗୋଷ୍ଠୀ ଏହାର ଆହୁରି ସରଳୀକରଣ କରିବା ଆବଶ୍ୟକ ବୋଲି ମତ ଦେଇଥିବାରୁ ତୃତୀୟ ମଡେଲ ଉପସ୍ଥାପନ ଆଶା କରାଯାଉଛି। ପରିଷଦ ନୂଆ ଜିଏସ୍‌ଟି ରିଟର୍ଣ୍ଣ ଫର୍ମାଟକୁ ମଞ୍ଜୁରି ଦେବା ପରେ ହିଁ ଯାଇ ଆଇନରେ ସଂଶୋଧନ ଲାଗି ପଦକ୍ଷେପ ନିଆଯିବ। ଏତଦ୍‌ବ୍ୟତୀତ ଜିଏସ୍‌ଟି ପାଇଁ ଆଇଟି ଭିତ୍ତିଭୂମି ସେବା ଯୋଗାଇ ଦେଉଥିବା କମ୍ପାନି ଜିଏସ୍‌ଟି ନେଟଓ୍ଵାର୍କ (ଜିଏସ୍‌ଟିଏନ୍‌)ର ସଂଖ୍ୟାଗରିଷ୍ଠ ଅଂଶଧନ କିମ୍ବା ୧୦୦ ପ୍ରତିଶତ ଅଂଶଧନ ସରକାରଙ୍କ ନିକଟରେ ରଖିବାର ସମ୍ଭାବନା ସମ୍ପର୍କରେ ଅନୁଧ୍ୟାନ କରିବାକୁ ଅର୍ଥମନ୍ତ୍ରୀ ଶ୍ରୀ ଜେଟ୍‌ଲି ଅର୍ଥ ସଚିବ ହସ୍‌ମୁଖ ଆଧିଆଙ୍କୁ ନିର୍ଦେଶ ଦେଇଥିଲେ।

ସୂଚନାଯୋଗ୍ୟ ଯେ, ଏବେ ୫ଟି ଘରୋଇ ଆର୍ଥିକ ପ୍ରତିଷ୍ଠାନ ଯଥା ଏଚ୍‌ଡିଏଫ୍‌ସି, ଏଚ୍‌ଡିଏଫ୍‌ସି ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ, ଏନ୍‌ଏସ୍‌ଇ ଷ୍ଟ୍ରାଟେଜିକ୍‌ ଇନ୍‌ଭେଷ୍ଟମେଣ୍ଟ୍‌ କମ୍ପାନି ଏବଂ ଏଲ୍‌ଆଇସି ହାଉସିଂ ଫାଇନାନ୍ସ ଲିମିଟେଡ ନିକଟରେ ୫୧ ପ୍ରତିଶତ ଅଂଶଧନ ରହିଛି। ଅବଶିଷ୍ଟ ୪୯ ପ୍ରତିଶତ ଅଂଶଧନ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ନିକଟରେ ରହିଛି। ଉପା ସରକାରଙ୍କ ଅମଳରେ ୨୦୧୩ ମାର୍ଚ ୨୮ ତାରିଖରେ ଏହି କମ୍ପାନି ଗଠନ ହୋଇଥିଲା।

ସମ୍ବନ୍ଧିତ ଖବର