ଟିଭି, ଫ୍ରିଜ୍‌, ଏସିରୁ କମିଲା ଜିଏସ୍‌ଟି

ନୂଆଦିଲ୍ଲୀ: ଟିଭି, ଫ୍ରିଜ୍‌, ଏସି ଓ ଓ୍ଵାସିଂ ମେସିନ୍‌ ଭଳି ଇଲେକ୍‌ଟ୍ରୋନିକ୍ସ ସାମଗ୍ରୀ ଆହୁରି ଶସ୍ତା ହେବ। ଆସନ୍ତା ଶୁକ୍ରବାର ଠାରୁ ୧୦୦ରୁ ଅଧିକ ସାମଗ୍ରୀ ଶସ୍ତା ହେବ। ଏହି ସବୁ ସାମଗ୍ରୀ ଉପରେ ଜିଏସ୍‌ଟି ହାର ହ୍ରାସ ପାଇଛି। ଜିଏସ୍‌ଟି ପରିଷଦ ଆଜି ଗ୍ରହଣ କରିଥିବା ନିଷ୍ପତ୍ତି ଅନୁଯାୟୀ, ସାନିଟାରି ନାପ୍‌କିନ୍‌, ରାଖି, ଫୋର୍ଟିଫାଏଡ୍‌ ଦୁଗ୍ଧ, ସାଧାରଣ ଜନତାଙ୍କ ପାଇଁ ପାଣି ଯୋଗାଣ, ମାର୍ବଲ୍‌, କାଠ ଓ ପଥରରେ ନିର୍ମିତ ଠାକୁରଙ୍କ ପ୍ରତିମା, ଶାଳପତ୍ର, ଶିଆଳି ପତ୍ର ଓ ସେଥିରେ ନିର୍ମିତ ଉତ୍ପାଦ, ସବାଇ ଦଉଡ଼ି, ଫୁଲ ଝାଡ଼ୁ, ଖଲିଦନା ଓ ସ୍ମାରକୀ ମୁଦ୍ରା ଉପରୁ ଜିଏସ୍‌ଟି ଉଚ୍ଛେଦ କରାଯାଇଛି। ସେହିପରି, ଓ୍ଵାସିଂ ମେସିନ୍‌, ଏସି, ରେଫ୍ରିଜରେଟର, ଟିଭି, ଭିଡିଓଗେମ୍‌, ଭାକ୍ୟୁମ୍‌ କ୍ଲିନର୍‌, ଟ୍ରେଲର୍ସ, ଜୁସର ମିକ୍ସଚର୍‌, ଗ୍ରାଇଣ୍ଡର୍‌, ହେୟାର ଡ୍ରାୟର୍‌ ସେଭର୍‌, ଓ୍ଵାଟର୍‌ କୁଲର୍‌, ଓ୍ଵାଟର ହିଟର, ଲିଥିଅମ୍‌ ଆୟନ୍‌ ବ୍ୟାଟେରି, ଇଲେକ୍ଟ୍ରିକ୍‌ ଆଇରନ୍‌, ସେଣ୍ଟ୍‌, ଟଏଲେଟ୍‌ ସ୍ପ୍ରେ, ରଙ୍ଗ, ଓ୍ଵାଲ୍‌ପୁଟି, ବାର୍ନିସ୍‌, ସ୍ପେସିଆଲ୍‌ ପରପସ୍‌ ଭେଇକିଲ୍‌, ଓ୍ଵାର୍କ ଟ୍ରକ୍‌ ଓ ଟ୍ରେଲର୍‌ ଉପରୁ ଜିଏସ୍‌ଟି ପରିମାଣ ୨୮%ରୁ ହ୍ରାସ କରି ୧୮% କରାଯାଇଛି। ୨୭ ଇଞ୍ଚ୍‌ ପର୍ଯ୍ୟନ୍ତ ସାଇଜ୍‌ର ଟିିଭି ଉପରେ ୧୮% ଜିଏସ୍‌ଟି ଲାଗୁ କରାଯିବ। ହସ୍ତତନ୍ତ ସାମଗ୍ରୀ, ହାଣ୍ଡବ୍ୟାଗ୍‌, ବାଉଁଶ ଫ୍ଲୋରିଂ, ଜୁଏଲାରି ବକ୍ସ, ଉଡେନ୍‌ ବକ୍ସ ଫର ପେଣ୍ଟିଂ, ଆର୍ଟଓୟାର ଅଫ୍‌ ଗ୍ଲାସ୍‌, ଷ୍ଟୋନ୍‌, ଅଳଙ୍କାର ଖଚିତ ଦର୍ପଣ ଓ ହାତ ତିଆରି ଲ୍ୟାମ୍ପ୍‌ ଉପରେ ୧୨% ଟିକସ ଲାଗୁ କରିବାକୁ ନିଷ୍ପତ୍ତି ନିଆଯାଇଛି। ତେଲ କଂପାନି ବ୍ୟବହାର କରୁଥିବା ଇଥାନଲ୍‌ ଅଏଲ୍‌, ସଲିଡ୍‌ ବାୟୋ ଫୁଏଲ୍‌ ପେଲେଟ୍‌, ହାତ ତିଆରି ଗାଲିଚା, ହାତତିଆରି ଲେସ୍‌, ୧୦୦୦ ଟଙ୍କା ପର୍ଯ୍ୟନ୍ତ ଜୋତା, ଆମଦାନି ହେଉଥିବା ୟୁରିଆ, ଫେବ୍ରିକ୍‌, ହସ୍ତତନ୍ତ ଦରି, ସାର ଭାବେ ବ୍ୟବହୃତ ଫସ୍‌ଫରିକ୍‌ ଏସିଡ୍‌, ନିଟେଡ୍‌ କ୍ୟାପ୍‌ ଓ ଟୋପି ଉପରେ ୫% ଜିଏସ୍‌ଟି ଲାଗୁ କରାଯାଇଛି।

ସାନିଟାରି ନାପ୍‌କିନ୍‌, ରାଖି ଉପରୁ ହଟିଲା ଟିକସ
୧୦୦ରୁ ଅଧିକ ସାମଗ୍ରୀ ଶସ୍ତା ହେବ
ଆମଦାନି ୟୁରିଆ ଉପରେ ୫% ଟିକସ

କୋଟା ପଥର, ବାଲି ପଥର ଓ ସେହି ଧରଣର ସ୍ଥାନୀୟ ପଥରଗୁଡ଼ିକ ଉପରୁ ଜିଏସ୍‌ଟି ହାର ୧୮%ରୁ ୧୨%କୁ ହ୍ରାସ କରାଯାଇଛି। ସବୁ ପ୍ରକାର ଚମଡ଼ା ସାମଗ୍ରୀ ଉପରୁ ଜିଏସ୍‌ଟି ହାର ୧୮%ରୁ ୧୨%କୁ ହ୍ରାସ କରାଯାଇଛି। ଆଜି ଅର୍ଥମନ୍ତ୍ରୀ ପୀୟୂଷ ଗୋୟଲ୍‌ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୨୮ତମ ଜିଏସ୍‌ଟି ପରିଷଦ ବୈଠକରେ ଏସବୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଜିଏସଟି ରିଟର୍ଣ୍ଣ ଫାଇଲିଂକୁ ସରଳ କରାଯାଇଛି। ମାସକୁ ୫ କୋଟି ଟଙ୍କା ପର୍ଯ୍ୟନ୍ତ କାରବାର କରୁଥିବା ବ୍ୟବସାୟୀଙ୍କୁ ଆଉ ମାସିକିଆ ରିଟର୍ଣ୍ଣ ଦାଖଲ କରିବାକୁ ପଡ଼ିବନି। ସେମାନେ ତ୍ରୟମାସିକ ରିଟର୍ଣ୍ଣ ଫାଇଲ୍‌ କରିବେ। ଏହି ନିଷ୍ପତ୍ତି ଯୋଗୁଁ ୯୩% କ୍ଷୁଦ୍ର ବ୍ୟବସାୟୀ ଲାଭବାନ ହେବେ। ଚିନି ସେସ୍‌ ଉପରେ କୌଣସି ନିଷ୍ପତ୍ତି ହୋଇପାରିନାହିଁ। ପରିବହନକାରୀଙ୍କ ପାଇଁ ଖୁବ୍‌୍‌ଶୀଘ୍ର ଜିଏସ୍‌ଟି ନେଟ୍‌ଓ୍ଵର୍କରେ ଆର୍‌ଆଇଡିଏଫ୍‌ ଟ୍ୟାଗ୍‌ କାର୍ଯ୍ୟକାରୀ କରାଯିବ ବୋଲି ନିଷ୍ପତ୍ତି ହୋଇଛି। ଟିକସରେ କରାଯାଇଥିବା ହ୍ରାସ ଯୋଗୁଁ ସରକାରଙ୍କୁ ୭୦୦୦ କୋଟି ଟଙ୍କାର ରାଜସ୍ୱ ହରାଇବାକୁ ପଡ଼ିବ। ଶେଷ ଥର ପାଇଁ ଚଳିତ ବର୍ଷ ଜାନୁଆରି ମାସରେ ୨୯ ପ୍ରକାର ସାମଗ୍ରୀ ଉପରୁ ଟିକସ ହ୍ରାସ କରାଯାଇଥିଲା। ଏହା ପୂର୍ବରୁ ୨୦୧୭ ନଭେମ୍ବରରେ ପ୍ରାୟ ୨୦୦ ସାମଗ୍ରୀ ଉପରୁ ଟିକସ କମ୍‌ କରାଯାଇଥିଲା। ଜିଏସ୍‌ଟି ପରିଷଦର ପରବର୍ତ୍ତୀ ବୈଠକ ଅଗଷ୍ଟ ୪ ତାରିଖରେ ଅନୁଷ୍ଠିତ ହେବ।

ଉଲ୍ଳେଖଯୋଗ୍ୟ, ପୂର୍ବରୁ ସାନିଟାରି ନାପ୍‌କିନ୍‌ ଉପରେ ୧୨% ଟିକସ ଲାଗୁ କରାଯାଇଥିଲା। ଏହାକୁ ବିଭିନ୍ନ ମହଲରେ ସମାଲୋଚନା କରାଯାଉଥିଲା ଓ ଟିକସ ଉଚ୍ଛେଦ କରିବାକୁ ଦାବି ହେଉଥିଲା।

ସମ୍ବନ୍ଧିତ ଖବର