ଜିଏସ୍‌ଟି ପରିଷଦ ବୈଠକ ୨୧ରେ ଆଣ୍ଟି ପ୍ରଫିଟିଅରିଂ ଅଥରିଟି କାର୍ଯ୍ୟକାଳ ବଢ଼ିବ!

ନୂଆଦିଲ୍ଲୀ: ଆସନ୍ତା ୨୧ ତାରିଖରେ ନୂଆ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଜିଏସଟି ପରିଷଦ ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ମୁନାଫାଖୋର ବ୍ୟବସାୟୀ ଓ କମ୍ପାନିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ଲାଗି ଗଠିତ ନ୍ୟାସନାଲ ଆଣ୍ଟି ପ୍ରଫିଟିଅରିଂ ଅଥରିଟି (ଏନ୍‌ଏଏ)ର କାର୍ଯ୍ୟକାଳ ଆଉ ୧ ବର୍ଷ ପାଇଁ ବୃଦ୍ଧି କରାଯିବା ନେଇ ନିଷ୍ପତ୍ତି ନିଆଯିବାର ସମ୍ଭାବନା ରହିଛି। ଏଥିସହିତ ଜିଏସଟି ପରିଷଦର ଆସନ୍ତା ୩୫ତମ ବୈଠକରେ ଦୁଇଟି ଆପିଲେଟ ଟ୍ରିବ୍ୟୁନାଲ ସ୍ଥାପନ ନେଇ ନିଷ୍ପତ୍ତି ‌ନିଆଯାଇପାରେ। ଏଥିରୁ ଗୋଟିଏ ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ଏବଂ ଅନ୍ୟଟି ସମସ୍ତ କେନ୍ଦ୍ର ଶାସିତ ଅଞ୍ଚଳ ପାଇଁ ଗଠନ ‌ହେବ। ଏବେ ବି କମ୍ପାନି ଗୁଡ଼ିକର ଲାଭଖୋର ମନୋବୃତ୍ତି ନେଇ ଅଭିଯୋଗ ମିଳୁଥିବାରୁ ଏନଏଏର କାର୍ଯ୍ୟକାଳ ୧ ବର୍ଷ ପାଇଁ ଅର୍ଥାତ୍ ୨୦୨୦ ନଭେମ୍ବର ୩୦ ପର୍ଯ୍ୟନ୍ତ ବୃଦ୍ଧି କରିବା ଲାଗି ଅର୍ଥ ମନ୍ତ୍ରାଳୟ ମତ ଦେଉଛି। କିନ୍ତୁ କାର୍ଯ୍ୟକାଳ ୨ ବର୍ଷ ବୃଦ୍ଧି ନେଇ ଏନଏଏ ଆଶାବାଦୀ ରହିଛି। ତେଣୁ ଯାହା କିଛି ନିଷ୍ପତ୍ତି ୨୧ ତାରିଖରେ ନିଆଯିବ। ଦେଶରେ ୨୦୧୭ ଜୁଲାଇ ପହିଲାରୁ ଜିଏସଟି କାର୍ଯ୍ୟକାରୀ ହୋଇଥିଲା। କିନ୍ତୁ ଦେଶରେ ୨୦୧୭ ନଭେମ୍ବର ୩୦ରୁ ଏନଏଏ ଗଠନ ହୋଇଥିଲା। ସରକାର ପ୍ରଥମେ ୨ ବର୍ଷ ପାଇଁଏହାକୁ ମଞ୍ଜୁରି ଦେଇଥିଲେ। ୨ ବର୍ଷ ମଧ୍ୟରେ ଏନଏଏ ୬୭ଟି ମାମଲାର ବିଚାର କରି ଏହାର ରାୟ ଦେଇଛି। ଜିଏସଟି ଆଇନରେ ସବୁ ରାଜ୍ୟରେ ଆପିଲେଟ୍ ଟ୍ରିବ୍ୟୁନାଲ ଖଣ୍ଡପୀଠ ଗଠନର ବ୍ୟବସ୍ଥା ରହିଛି। ଆସନ୍ତା ବୈଠକରେ ଦିଲ୍ଲୀ, ଓଡ଼ିଶା ଏବଂ ତେଲେଙ୍ଗାନାରେ ଆପିଲେଟ ଟ୍ରିବ୍ୟୁନାଲ ଖଣ୍ଡପୀଠ ଗଠନ ପ୍ରସ୍ତାବକୁ ପରିଷଦ ମଞ୍ଜୁରି ଦେବାର ସମ୍ଭାବନା ରହିଛି।

ଏଥିସହିତ ଆଖୁର ମୋଲାସରୁ ବାହାରୁ ଥିବା ଏକ୍ସଟ୍ରା ନ୍ୟୁଟ୍ରାଲ ଆଲକହଲ ଉପରେ ସାମଗ୍ରୀ ଏବଂ ସେବା ଟିକସ ଲାଗୁ କରିବା ପ୍ରସ୍ତାବ ଉପରେ ଆସନ୍ତା ବୈଠକରେ ବିଚାର ହେବ। ସେହିଭଳି ବାର୍ଷିକ ୫୦ କୋଟି ଟଙ୍କାରୁ ଅଧିକ କାରବାର କରୁଥିବା ବ୍ୟବସାୟୀଙ୍କ ପାଇଁ ଇ-ଇନଭଏସ କାର୍ଯ୍ୟକାରୀ କରିବା ଉପରେ ନିଷ୍ପତ୍ତି ନିଆଯିବ।

ସମ୍ବନ୍ଧିତ ଖବର