ନୂଆଦିଲ୍ଲୀ: ଚିନି ଉପରେ ସେସ୍ ଲଗାଇବା ପ୍ରସ୍ତାବକୁ ଅନେକ ରାଜ୍ୟ ବିରୋଧ କରିଛନ୍ତି। ଆଜି ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲିଙ୍କ ଅଧ୍ୟକ୍ଷତାରେ ଭିଡିଓ କନ୍ଫରେନ୍ସିଂ ଜରିଆରେ ଅନୁଷ୍ଠିତ ଜିଏସ୍ଟି ପରିଷଦର ୨୭ତମ ବୈଠକରେ ଅନେକ ରାଜ୍ୟ ଚିନି ସେସ୍ ନେଇ ଆପତ୍ତି ଉଠାଇଛନ୍ତି। ଜିଏସ୍ଟି ଉପରେ ସେସ୍ ଲଗାଇବା ବିଷୟକୁ ରାଜ୍ୟଗୁଡ଼ିକ ସହଜରେ ଗ୍ରହଣ କରିପାରୁ ନାହାନ୍ତି। ସେସ୍ ଲାଗୁ କରି ଜିଏସ୍ଟିକୁ ଅଧିକ ଜଟିଳ ନକରିବାକୁ ଅନେକ ରାଜ୍ୟ କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେଇଛନ୍ତି। କେରଳର ଅର୍ଥମନ୍ତ୍ରୀ ଥୋମାସ୍ ଆଇଜ୍ୟାକ୍ କହିଛନ୍ତି ଯେ, କୌଣସି ଏକ ନିର୍ଦିଷ୍ଟ ସାମଗ୍ରୀ ଉପରେ ସେସ୍ ଲଗାଇବା ଦ୍ୱାରା ଦ୍ୱନ୍ଦ୍ୱ ସୃଷ୍ଟି ହେବ। କେବଳ ଚିନି ନୁହେଁ, ଦେଶରେ ଆହୁରି ଅନେକ ସାମଗ୍ରୀ ରହିଛି ଯାହାକୁ ଉତ୍ପାଦନ କରି ଚାଷୀମାନେ କ୍ଷତି ସହୁଛନ୍ତି। ସେସବୁ ସାମଗ୍ରୀ ପାଇଁ ମଧ୍ୟ ସେସ୍ ବ୍ୟବସ୍ଥା କରାଯିବ କି? ବୋଲି ରାଜ୍ୟଗୁଡ଼ିକ ପ୍ରଶ୍ନ କରିଛନ୍ତି।
• ଜିଏସ୍ଟି ରିଟର୍ଣ୍ଣର ସରଳୀକରଣ ହେବ
• ମାସକୁ ଥରେ ରିଟର୍ଣ୍ଣ ଫାଇଲ୍ କରିବା ସୁବିଧା ମିଳିବ
• ସରକାରଙ୍କ ପୂର୍ଣ୍ଣ ମାଲିକାନାକୁ ଆସିବ ଜିଏସ୍ଟିଏନ୍
ଜିଏସ୍ଟି ପରିଷଦ ବୈଠକରେ ଆଜି ପାଖାପାଖି ସାଢ଼େ ତିନି ଘଣ୍ଟାର ଆଲୋଚନା ହୋଇଥିଲା। ଦୁଇଟି ପ୍ରମୁଖ ପ୍ରସ୍ତାବକୁ ନେଇ କେନ୍ଦ୍ର ଓ ରାଜ୍ୟଗୁଡ଼ିକ ମଧ୍ୟରେ କୌଣସି ସହମତି ହୋଇପାରି ନଥିଲା। ସେଥି ମଧ୍ୟରୁ ଗୋଟିଏ ହେଉଛି ଚିନି ସେସ୍ ପ୍ରସ୍ତାବ ଓ ଅନ୍ୟଟି ହେଉଛି ଡିଜିଟାଲ୍ ଓ ଚେକ୍ ପେମେଣ୍ଟ୍ ବଢ଼ାଇବା ପାଇଁ ପ୍ରୋତ୍ସାହନ ପ୍ରଦାନ କରିବା ପ୍ରସ୍ତାବ। ଏହି ଦୁଇ ପ୍ରସ୍ତାବ ଉପରେ ଅଧିକ ବିଚାରବିମର୍ଶ ପାଇଁ ଦୁଇଟି ପୃଥକ କମିଟି ଗଠନ କରିବାକୁ ନିଷ୍ପତ୍ତି ହୋଇଛି। ଚିନି ସେସ୍କୁ ନେଇ ଏକ ପାଞ୍ଚ ଜଣିଆ ମନ୍ତ୍ରୀ ଗୋଷ୍ଠୀ ଗଠନ କରାଯିବ। କମିଟିର ରିପୋର୍ଟ ଉପରେ ଏହି ଦୁଇ ପ୍ରସ୍ତାବର ଭାଗ୍ୟ ନିର୍ଭର କରିବ। ଦୁଇ ସପ୍ତାହ ଭିତରେ କମିଟି ରିପୋର୍ଟ ଦାଖଲ କରିବେ। ତା’ଉପରେ ପରିଷଦର ପରବର୍ତୀ ବୈଠକରେ ଆଲୋଚନା ହେବ ବୋଲି ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲି କହିଛନ୍ତି। ଉଲ୍ଲେଖଯୋଗ୍ୟ, ଆଖୁଚାଷୀମାନଙ୍କୁ ସେମାନଙ୍କ ପ୍ରାପ୍ୟ ପ୍ରଦାନ କରିବା ନିମନ୍ତେ ପାଣ୍ଠି ଯୋଗାଡ଼ କରିବା ପାଇଁ ସ୍ୱତନ୍ତ୍ର ଚିନି ସେସ୍ ଲାଗୁ କରିବାକୁ ଖାଦ୍ୟ ମନ୍ତ୍ରଣାଳୟ ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା। ଯେହେତୁ ସେସ୍ ଜରିଆରେ ଆଦାୟ ହେଉଥିବା ରାଜସ୍ୱ ଉପରେ ରାଜ୍ୟଗୁଡ଼ିକର ଭାଗ ନାହିଁ ତେଣୁ ସେମାନେ ଏହାକୁ ବିରୋଧ କରିବା ସ୍ୱାଭାବିକ। ଜିଏସ୍ଟି ରିଟର୍ଣ୍ଣ ଫାଇଲ୍ର ସରଳୀକରଣ କରିବାକୁ ଆଜି ନିଷ୍ପତ୍ତି ହୋଇଛି। ମାସକୁ ଗୋଟିଏ ରିଟର୍ଣ୍ଣ ଫାଇଲ୍ କରିବାକୁ ପଡ଼ିବ। ତେବେ ଏହି ନୂତନ ବ୍ୟବସ୍ଥା ଲାଗୁ କରିବାକୁ ଛଅ ମାସ ସମୟ ଲାଗିଯିବ। ସେହି ସମୟ ପର୍ଯ୍ୟନ୍ତ ଏବେ ଯେମିତି ରିଟର୍ଣ୍ଣ ଫାଇଲ୍ ଚାଲିଛି ତାହା ଚାଲିବ। ଜିଏସ୍ଟି ନେଟ୍ଓ୍ଵର୍କରେ ଆବଶ୍ୟକ ପରିବର୍ତ୍ତନ ଅଣାଯିବା ପରେ ମାସକୁ ଗୋଟିଏ ରିଟର୍ଣ୍ଣ ଫାଇଲ୍ ହୋଇପାରିବ। ତେବେ କମ୍ପୋଜିଟ୍ ଡିଲର୍ମାନେ ତିନି ମାସରେ ଥରେ ରିଟର୍ଣ୍ଣ ଫାଇଲ୍ କରିପାରିବେ।
ସେହିପରି ଜିଏସ୍ଟି ନେଟ୍ଓ୍ଵର୍କ (ଜିଏସ୍ଟିଏନ୍)ର ମାଲିକାନାରେ ପରିବର୍ତ୍ତନ ଆଣିବାକୁ ମଧ୍ୟ ନିଷ୍ପତ୍ତି ହୋଇଛି। ଏଥିରେ କେନ୍ଦ୍ର ସରକାରଙ୍କ ୫୦% ଓ ରାଜ୍ୟମାନଙ୍କର ୫୦% ଅଂଶଧନ ରହିବ। ଯେଉଁ ରାଜ୍ୟର ଟିକସ ଭାଗ ହାର ଯାହା ସେହି ଅନୁପାତରେ ଜିଏସ୍ଟିଏନ୍ରେ ତାହାର ଅଂଶଧନ ରହିବ। ବର୍ତ୍ତମାନ ଜିଏସ୍ଟିଏନ୍ ଉଭୟ ସରକାର ଓ ଘରୋଇ ସଂସ୍ଥା ମାଲିକାନାରେ ରହିଛି। ଜିଏସ୍ଟିଏନ୍ର ୫୧% ଅଂଶଧନ ଘରୋଇ କଂପାନିଗୁଡ଼ିକ ହାତରେ ରହିଛି। ବଳକା ୪୯%ରୁ ଅଧା କେନ୍ଦ୍ର ନିକଟରେ ଓ ଅଧା ରାଜ୍ୟ ସରକାରମାନଙ୍କ ପାଖରେ ରହିଛି। ଘରୋଇ ସଂସ୍ଥାର ଅଂଶଧନକୁ ସରକାର କିଣିନେବେ। ଓଡ଼ିଶା ତରଫରୁ ଆଜିର ବୈଠକରେ ରାଜ୍ୟ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା, ଅର୍ଥ ବିଭାଗର ପ୍ରମୁଖ ସଚିବ ତୁହିନ୍ କାନ୍ତ ପାଣ୍ଡେ, ସ୍ୱତନ୍ତ୍ର ଶାସନ ସଚିବ ଅଶୋକ କୁମାର ମୀନା, ବାଣିଜ୍ୟ କର ଆୟୁକ୍ତ ଶାଶ୍ୱତ ମିଶ୍ର, ଅତିରିକ୍ତ ସଚିବ ନିଧି କୁମାର ରାଉତରାୟ ଓ ଜିଏସ୍ଟି ସେଲ୍ର ଭାରପ୍ରାପ୍ତ ଅଧିକାରୀ ସହଦେବ ସାହୁ ଅଂଶଗ୍ରହଣ କରିଥିଲେ।