ତେଲରେ ଉଭୟ ଜିଏସ୍‌ଟି, ଭାଟ୍‌ ଲାଗିବ!

ନୂଆଦିଲ୍ଲୀ: ପେଟ୍ରୋଲ ଓ ଡିଜେଲ୍‌କୁ ଜିଏସ୍‌ଟିରେ ସାମିଲ କରିବାକୁ ଦୀର୍ଘ ଦିନ ଧରି ଚର୍ଚା ହେଉଛି। ଏଥିପାଇଁ ସରକାର ଏକ ନୂଆ ଯୋଜନା ଉପରେ କାମ କରୁଛନ୍ତି। ଯେହେତୁ ସମଗ୍ର ବିଶ୍ୱର କୌଣସି ଦେଶରେ ପେଟ୍ରୋଲ୍‌ ଓ ଡିଜେଲ୍‌ ଉପରେ ଜିଏସ୍‌ଟି ଲଗାଯାଇ ନାହିଁ, ତେଣୁ ଭାରତରେ ମଧ୍ୟ ସେଭଳି ହେବ ନାହିଁ। ତେଲ ପରେ ଉଭୟ ଜିଏସ୍‌ଟି ଓ ଭାଟ୍‌ ଲଗାଇବା ଉପରେ ବିଚାର କରାଯାଉଛି। ପେଟ୍ରୋଲିୟମ୍‌ ସାମଗ୍ରୀ ଉପରେ ୨୮%ର ଜିଏସ୍‌ଟି ଓ ସ୍ଥାନୀୟ ଟିକସ ଭାବେ ଭାଟ୍‌ ଲଗାଯିବ। ଏହା ହେଲେ ବର୍ତ୍ତମାନ ପେଟ୍ରୋଲ୍‌ ଓ ଡିଜେଲ ଉପରେ ଟିକସ ପରିମାଣ ଯାହା ରହିଛି ଜିଏସ୍‌ଟିରେ ସାମିଲ ହେବା ପରେ ମଧ୍ୟ ତାହା ସମାନ ସ୍ତରରେ ରହିବ। ବର୍ତ୍ତମାନ ପେଟ୍ରୋଲିୟମ୍‌ ସାମଗ୍ରୀ ଉପରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଟିକସ ଲାଗୁ କରିଛନ୍ତି। ତେବେ ତେଲ କେବେ ଜିଏସ୍‌ଟିରେ ସାମିଲ ହେବ ତାହା ରାଜନୈତିକ ନିଷ୍ପତ୍ତି ଉପରେ ନିର୍ଭର କରୁଛି ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଏବେ ଏକ ଲିଟର ପେଟ୍ରୋଲ୍‌ ଉପରେ କେନ୍ଦ୍ର ସରକାର ୧୯ ଟଙ୍କା ୪୮ ପଇସାର କେନ୍ଦ୍ରୀୟ ଉତ୍ପାଦନ ଶୁଳ୍କ ଲଗାଇଥିବା ବେଳେ ରାଜ୍ୟଗୁଡ଼ିକରୁ ୨୬%ରୁ ଅଧିକ ହାରରେ ଭାଟ୍‌ ଲଗାଇଛନ୍ତି ତାହାର ମୂଲ୍ୟ ଲିଟର ପିଛା ୧୫ ଟଙ୍କାରୁ ଅଧିକ। ଗ୍ରାହକମାନେ କିଣୁଥିବା ଏକ ଲିଟର ପେଟ୍ରୋଲ୍‌ ଉପରେ ୪୫-୫୦% ଅର୍ଥ ଟିକସ ଆକାରରେ ଗଣୁଛନ୍ତି।

ସମ୍ବନ୍ଧିତ ଖବର