ହାର୍ଲେ-ଡେଭିଡ୍‌ସନ୍‌ର ପ୍ରଥମ ସୋ’ରୁମ୍‌

‘କୋଣାର୍କ ହାର୍ଲେ-ଡେଭିଡ୍‌ସନ୍‌’

ଭୁବନେଶ୍ୱର: ବିଶ୍ୱ ସ୍ତରରେ ବାଇକ୍‌ ଚାଳକଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିବା ଆମେରିକୀୟ ବାଇକ୍‌ କଂପାନି ହାର୍ଲେ-ଡେଭିଡ୍‌ସନ୍‌ ପକ୍ଷରୁ ଓଡ଼ିଶାରେ ଏହାର ପ୍ରଥମ ସୋ’ରୁମ୍‌ ଖୋଲାଯାଇଛି। ଜାତୀୟ ନଖରା ପାଖାପାଖି ଜାତୀୟ ରାଜପଥ-୫ ପାର୍ଶ୍ୱରେ ଥିବା ପଦ୍ମା ଗେଟ୍‌େଓ୍ଵଠାରେ ଏହି ନୂଆ ସୋ’ରୁମ୍‌ ଖୋଲିଛି ଯାହାର ନାମ ହେଉଛି ‘କୋଣାର୍କ ହାର୍ଲେ-ଡେଭିଡ୍‌ସନ୍‌’। ପାଖାପାଖି ୫୮୧୩ ବର୍ଗଫୁଟ ପରିମିତ ଅଞ୍ଚଳରେ ସ୍ଥାପନ କରାଯାଇଥିବା ଏହି ସୋ’ରୁମ୍‌ରେ ହାର୍ଲେ-ଡେଭିଡ୍‌ସନ୍‌ର ସମସ୍ତ ୧୪ଟି ମଡେଲ୍‌ ବିକ୍ରି ପାଇଁ ଉପଲବ୍ଧ ରହିଛି।

ସାରା ଦେଶରେ ଏହା ହାର୍ଲେ-ଡେଭିଡ୍‌ସନ୍‌ର ୨୮ତମ ସୋ’ରୁମ୍‌। ଏହି ଅବସରରେ ହାର୍ଲେ ଡେଭିଡ୍‌ସନ୍‌ର ଭାରତ ଏବଂ ଚୀନ୍‌ ବଜାର ପରିଚାଳନା ନିର୍ଦେଶକ ପିଟର ମାକେନ୍‌ଜି କହିଛନ୍ତି ଯେ ଆମର ଡିଲର ପ୍ରିନ୍‌ସପାଲ ଦେବଜ୍ୟୋତି ପଟ୍ଟନାୟକଙ୍କ ଜରିଆରେ ଆମେ ଓଡ଼ିଶା ବଜାରରେ ପ୍ରବେଶ କରିଥିବାରୁ ବହୁତ ଖୁସି। ପୂର୍ବ ଭାରତର ହାର୍ଲେ-ଡେଭିଡ୍‌ସନ୍‌ ବାଇକ୍‌ ଆବଶ୍ୟକତାକୁ ଏହା ପୂରଣ କରିବ। ଏଠାରେ କଂପାନିର ବାଇକ୍‌ ସହିତ ଆକ୍‌ସେସୋରିଜ୍‌ ଏବଂ ଆପାରେଲ୍‌ (ପୋଷାକ) ଆଦି ବିକ୍ରି କରାଯିବ। କୋଣାର୍କ ହାର୍ଲେ ଡେଭିଡ୍‌ସନ୍‌କୁ ସେ ଶ୍ରେଷ୍ଠ ବ୍ୟବସାୟୀ ପାର୍ଟନର ବୋଲି କହିଛନ୍ତି। ହାର୍ଲେ-ଡେଭିଡ୍‌ସନ୍‌ ବାଇକ୍‌ଗୁଡ଼ିକର ଏକ୍ସ ସୋ’ରୁମ୍‌ ମୂଲ୍ୟ ୫.୧୫ ଲକ୍ଷ ଟଙ୍କାରୁ ଆରମ୍ଭ ହୋଇ ୫୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିଛି। ଆଜି ହାର୍ଲେ-ଡେଭିଡ୍‌ସନ୍‌ର ଶତାଧିକ ବାଇକ୍‌ ଚାଳକ ‘ଫାଉଣ୍ଡର୍ସ ରାଇଡ୍‌’ କାର୍ଯ୍ୟକ୍ରମରେ ଭାଗ ନେଇ ସୋ’ରୁମ୍‌ରୁ ବାହାରି ପୁରୀ ଯାଇଥିଲେ ଏବଂ ସେଠାରୁ ଟ୍ରାଇଡେଣ୍ଟ୍‌ ହୋଟେଲ୍‌୍‌କୁ ଆସିଥିଲେ।

ହାର୍ଲେ-ଡେଭିଡ୍‌ସନ୍‌ କେବଳ ଏକ ବାଇକ୍‌ ନୁହେଁ: ଏମ୍‌ଡି

ହାର୍ଲେ-ଡେଭିଡ୍‌ସନ୍‌ କେବଳ ଏକ ବାଇକ୍‌ ନୁହେଁ। ଏହା ବହୁତ କିଛି। ଏହି ବାଇକ୍‌ ଏକ ପୂର୍ଣ୍ଣତା ଭଳି। ଯେଉଁମାନେ କଂପାନିର ବାଇକ୍‌ ଚଲାଇଛନ୍ତି ସେମାନେ ଜାଣିଛନ୍ତି ଏହା କ’ଣ ବୋଲି ହାର୍ଲେ-ଡେଭିଡସନ୍‌ ଭାରତ ଏବଂ ଚୀନ୍‌ର ପରିଚାଳନା ନିର୍ଦେଶକ ପିଟର ମାକେନ୍‌ଜି କହିଛନ୍ତି। ଏହି ଅବସରରେ ସେ ଓଡ଼ିଶା ଏବଂ ଭାରତ ବଜାର ବିଷୟରେ ଯାହା କହିଥିଲେ ତାହାକୁ ଏଠାରେ ଉପସ୍ଥାପନ କରାଯାଉଛି ।

ଓଡ଼ିଶା ବଜାରକୁ ଆପଣ କିଭଳି ଦେଖୁଛନ୍ତି?

ମୁଁ ଏଠାକୁ ଆସି ବହୁତ ଆନନ୍ଦିତ। ମୋତେ ବହୁତ ଖୁସି ଲାଗୁଛି। ଆମେ ଭାରତରେ ହାର୍ଲେ-ଡେଭିଡ୍‌ସନ୍‌ର ପରବର୍ତି ପିଢ଼ି ବିକଶିତ କରିବା ଉପରେ କାମ କରୁଛୁ। ସେହି ଲକ୍ଷ୍ୟ ହାସଲ କରିବାରେ ଏହି ବଜାର ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଆମେ ଯେଉଁ ନୂଆ ଡିଲରସିପ୍‌ ସ୍ଥାପନ କରିଛୁ ତାହା ଜରିଆରେ ହାର୍ଲେ-ଡେଭିଡ୍‌ସନ୍‌ ବାଇକ୍‌ ଅଧିକ ଗ୍ରାହକଙ୍କ ପାଖରେ ପହଞ୍ଚିପାରିବ। ସେମାନେ ବାଇକ୍‌୍‌ଗୁଡ଼ିକୁ ଦେଖିପାରିବେ, ପରଖିପାରିବେ ଏବଂ ସେଗୁଡ଼ିକୁ ଚଲାଇବାର ମଜା ନେଇପାରିବେ।
ଭାରତ ପାଇଁ କ’ଣ ଯୋଜନା ରହିଛି?

ଆମେ ୨୦୧୦ରେ ଭାରତରେ ପ୍ରବେଶ କରିବା ପରେ ୨୦୧୧ ପରଠାରୁ କାରବାରୁ ଆରମ୍ଭ କରିଥିଲୁ। ହରିଆନାର ବଓ୍ଵାଲ୍‌ଠାରେ ଆମର ଉତ୍ପାଦନ କାରଖାନା ରହିଛି। ସେଠାରେ ଆମେ ଷ୍ଟ୍ରିଟ୍‌ ୭୫୦ ଏବଂ ଷ୍ଟ୍ରିଟ୍‌ ରଡ୍‌କୁ ଉତ୍ପାଦନ କରୁଛୁ। ଏହି ଦୁଇଟି ବାଇକ୍‌୍‌ ହେଉଛି ଆମର ମେଡ୍‌-ଇନ୍‌-ଇଣ୍ଡିଆ ବାଇକ୍‌। ଏହି କାରଖାନା ଭାରତୀୟ ଗ୍ରାହକଙ୍କ ଆବଶ୍ୟକତା ପୂରଣ କରିବା ସହ ରପ୍ତାନି ବଜାର ପାଇଁ ମଧ୍ୟ ଉତ୍ପାଦ ଯୋଗାଉଛି। ଏହି କାରଖାନାରେ ଆମର ଗୋଟିଏ ଆସେମ୍ବଲି ଲାଇନ୍‌ ରହିଛି ଯେଉଁଠାରେ ଆମର ଅନ୍ୟ ସବୁ ବିଶ୍ୱ ସ୍ତରୀୟ ମଡେଲ୍‌କୁ ଆସେମ୍ବଲି କରାଯାଉଛି।

କେତୋଟି ନୂଆ ଡିଲରସିପ୍‌ ଖୋଲିବା ଯୋଜନା ରହିଛି?

ସମଗ୍ର ବିଶ୍ୱରେ ଆମେ ୨୦୨୦ ସୁଦ୍ଧା ୧୫୦ଟି ନୂଆ ଡିଲରସିପ୍‌ ଖୋଲିବାକୁ ଯୋଜନା ରଖିଛୁ। ସେଥି ମଧ୍ୟରୁ ନିଶ୍ଚିତ କିଛି ଭାରତରେ ଖୋଲାଯିବ। ଯେଉଁଠାରେ ଆମେ ଉପଯୁକ୍ତ ବ୍ୟବସାୟ ପାର୍ଟନର୍‌ ପାଇବୁ ସେଠାରେ ଡିଲରସିପ୍‌ ଖୋଲିବା ଉପରେ ବିଚାର କରିବୁ ବୋଲି ସେ କହିଛନ୍ତି।
ନିବେଶ ଯୋଜନା କ’ଣ ରହିଛି?

ଭାରତରେ ଆମେ ଲୋକ, ପ୍ରକ୍ରିୟା ଏବଂ ଉତ୍ପାଦରେ ନିବେଶ କରୁଛୁ ଏବଂ ଏହି ପ୍ରଥା ଆଗକୁ ଜାରି ରହିବ। ଦିଲ୍ଲୀର ଆମର ହାର୍ଲେ ଡେଭିଡ୍‌ସନ୍‌ ବିଶ୍ୱବିଦ୍ୟାଳୟ ରହିଛି। ସେଠାରେ ଆମେ ବୈଷୟିକ ଏବଂ ଅଣ ବୈଷୟିକ କ୍ଷେତ୍ରରେ ତାଲିମ ପ୍ରଦାନ କରୁଛୁ। ଆମେରିକା ବାହାରେ ଆମର ଦୁଇଟି ବିଶ୍ୱବିଦ୍ୟାଳୟ ରହିଛି। ସେଥି ମଧ୍ୟରୁ ଗୋଟିଏ ଥାଇଲ୍ୟାଣ୍ଡ୍‌ରେ ଥିବା ବେଳେ ଦ୍ୱିତୀୟଟି ଦିଲ୍ଲୀରେ ଖୋଲାଯାଇଛି।

ଏକ ଶ୍ରେଷ୍ଠ ବ୍ରାଣ୍ଡ୍‌ ସହ ଜଡ଼ିତ ହୋଇ ଖୁସି ଲାଗୁଛି: ଦେବଜ୍ୟୋତି

?

ହାର୍ଲେ-ଡେଭିଡ୍‌ସନ୍‌କୁ ଭୁବନେଶ୍ୱରକୁ ଆଣିଥିବାରୁ ମୁଁ ଅତ୍ୟନ୍ତ ରୋମାଞ୍ଚିତ। ଏହି ବାଇକ୍‌ ସମଗ୍ର ବିଶ୍ୱରେ ଯେଉଁଥି ପାଇଁ ପ୍ରସିଦ୍ଧ ଗ୍ରାହକମାନେ ଆମ ଡିଲରସିପ୍‌ରେ ପହଞ୍ଚିବା ପରେ ସେହି ଅନୁଭୂତି ପାଇବେ। ମୋତେ ହାର୍ଲେ-ଡେଭିଡସନ୍‌ ଏହାର ସହଯୋଗୀ ଭାବେ ଚୟନ କରିଥିବାରୁ ମୁଁ ବହୁତ ଖୁସି। ଅଟୋମୋବାଇଲ୍‌ କାରବାର ଆମେ ୧୯୯୬ରେ ଏକ ଦୁଇ ଚକିଆ ବ୍ରାଣ୍ଡ୍‌ରୁ ଆରମ୍ଭ କରିଥିଲୁ। ଇତି ମଧ୍ୟରେ ୨୧ ବର୍ଷ ବିତିଗଲାଣି। ବହୁତ ପ୍ରତିଷ୍ଠିତ ବ୍ରାଣ୍ଡ୍‌ର ସହଯୋଗୀ ଭାବେ କାମ କରିବାର ସୁଯୋଗ ମିଳିଛି। ଏବେ ହାର୍ଲେ ଭଳି ଶ୍ରେଷ୍ଠ ବ୍ରାଣ୍ଡ୍‌କୁ ପାଇ ମୋତେ ବହୁତ ଖୁସି ଲାଗୁଛି। ସେମାନେ ମୋତେ ଚୟନ କରିଥିବାରୁ କଂପାନିକୁ ମୁଁ ବହୁତ ଧନ୍ୟବାଦ ପ୍ରଦାନ କରୁଛି। ଆଗାମୀ ଦିନରେ ଅନ୍ୟ ପ୍ରତିଷ୍ଠିତ ବ୍ରାଣ୍ଡ୍‌ ସହିତ ସହଯୋଗିତା ସ୍ଥାପନ କରିବା ପାଇଁ ଆମର ଉଦ୍ୟମ ଜାରି ରହିବ ବୋଲି କୋଣାର୍କ ହାଲେ-ଡେଭିଡସନ୍‌ର ଡିଲର ପ୍ରିନ୍‌ସିପାଲ୍‌ ଦେବଜ୍ୟୋତି ପଟ୍ଟନାୟକ କହିଛନ୍ତି।

ସମ୍ବନ୍ଧିତ ଖବର