ସ୍ୱାସ୍ଥ୍ୟବୀମା ମହଙ୍ଗା

ନୂଆଦିଲ୍ଲୀ: କିଛି ବର୍ଷ ହେଲା ବୀମା କମ୍ପାନି ଗୁଡ଼ିକ ସ୍ୱାସ୍ଥ୍ୟ ବୀମା ପ୍ରିମିୟମ ରାଶିରେ ମାତ୍ରାଧିକ ବୃଦ୍ଧି କରିଛନ୍ତି। ସାଧାରଣତଃ ଜଣେ ୬୫ବର୍ଷ ବୟସର ଦମ୍ପତିଙ୍କ ପାଇଁ ୫ ବର୍ଷ ତଳେ ୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା ପାଇଁ ପ୍ରିମିୟମ ବାବଦରେ ବର୍ଷକୁ ୫୪ ହଜାର ଟଙ୍କା ଦେବାକୁ ପଡ଼ୁଥିବା ବେଳେ ଏବେ ଏହା ୮୪ ହଜାର ଟଙ୍କା ପଡ଼ୁଛି। ଏଥିଯୋଗୁଁ ବରିଷ୍ଠ ନାଗରିକମାନେ ଅସୁବିଧାରେ ପଡ଼ିଛନ୍ତି। ବିଶେଷକରି ପେନ୍‌ସନ୍‌ ଉପରେ ନିର୍ଭର କରି ଚଳୁଥିବା ବ୍ୟକ୍ତିଙ୍କ ପାଇଁ ଏହି ପ୍ରିମିୟମ ପ୍ରଦାନ କରିବା କଷ୍ଟକର ହୋଇ ପଡ଼ିଛି। ପରିଣତ ବୟସରେ ବରିଷ୍ଠ ନାଗରିକମାନେ ଗୋଟିଏ କମ୍ପାନି ଛାଡ଼ି ଅନ୍ୟ ଏକ ବୀମା କମ୍ପାନିକୁ ଯିବା ସମ୍ଭବ ହେଉନାହିଁ। ସେହିଭଳି ଅନ୍ୟ କମ୍ପାନିକୁ ଗଲେ ମଧ୍ୟ କିଛି ଲାଭ ହେଉନାହିଁ। କାରଣ ପ୍ରାୟତଃ ସବୁ କମ୍ପାନି ପ୍ରିମିୟମ ରାଶି ବଢ଼ାଇ ଦେଇଛନ୍ତି।
ପୂର୍ବରୁ ବୀମା ବାବଦରେ କୌଣସି ଦାବି କରି ନଥିବା ପଲିସିଧାରୀଙ୍କୁ ନୂଆ ପଲିସି ନବୀକରଣବେଳେ ୧୫ ପ୍ରତିଶତ ରିହାତି ଦିଆଯାଉଥିବା ବେଳେ ଏବେ ତାହାକୁ ପ୍ରତ୍ୟାହାର କରି ନିଆଯାଇଛି। ସେହିଭଳି ପରିବାରର ଅତିକମ୍‌ରେ ଦୁଇଜଣଙ୍କ ପାଇଁ ସ୍ୱାସ୍ଥ୍ୟ ବୀମା କ୍ରୟ କରୁଥିବା ବ୍ୟକ୍ତିଙ୍କୁ ଯେଉଁ ୧୦ ପ୍ରତିଶତ ରିହାତି ପ୍ରିମିୟମରେ ପ୍ରଦାନ କରାଯାଉଥିବା ତାହାକୁ ମଧ୍ୟ ପ୍ରତ୍ୟାହାର କରି ନିଆଯାଇଛି। ତେଣୁ ବୀମା କମ୍ପାନି ଗୁଡ଼ିକ ଏ ବାବଦରେ ଦେଉଥିବା ପ୍ରାୟ ୨୫ ପ୍ରତିଶତ ରିହାତି ପ୍ରତ୍ୟାହାର କରି ନେବାରୁ ସ୍ୱାସ୍ଥ୍ୟ ବୀମା କିଣିବା ମହଙ୍ଗା ହୋଇଯାଇଛି। ଯେଉଁ ପଲିସିଧାରୀମାନେ ବୀମା ବାବଦରେ ଅର୍ଥ ନେଇଛନ୍ତି ପରବର୍ତୀ ବର୍ଷରେ ସେମାନଙ୍କଠାରୁ ଅଧିକ ପ୍ରିମିୟମ ଆଦାୟ କରାଯାଇ ପାରିବ ନାହିଁ ବୋଲି ୨୦୧୩ରେ ଭାରତୀୟ ବୀମା ନିୟାମକ ପ୍ରାଧିକରଣ (ଆଇଆରଡିଏ) ନିୟମ କରିବା ଫଳରେ ବୀମା କମ୍ପାନି ଗୁଡ଼ିକ ଏ ବାବଦରେ ପ୍ରଦାନ କରୁଥିବା ରିହାତିକୁ ବନ୍ଦ କରିଦେଇଛନ୍ତି। ଏହି ରିହାତି ସବୁ ବର୍ଗର ଲୋକଙ୍କ ପାଇଁ ପ୍ରତ୍ୟାହାର କରି ନିଆଯାଇଥିଲେ ମଧ୍ୟ ବୟସ ଦୃଷ୍ଟିରୁ ବରିଷ୍ଠ ନାଗରିକମାନେ ଅଧିକ ପ୍ରିମିିୟମ ଦେଉଥିବାରୁ ସେମାନଙ୍କୁ ଏହା ଅଧିକ ଅଡ଼ୁଆରେ ପକାଇଛି।
ଅନ୍ୟପକ୍ଷରେ ଏକ ସାଧାରଣ ବୀମା କମ୍ପାନିର ବରିଷ୍ଠ ଅଧିକାରୀ କୁହନ୍ତି ତାଙ୍କ କମ୍ପାନି ବରିଷ୍ଠ ନାଗରିକଙ୍କୁ ସ୍ୱାସ୍ଥ୍ୟ ବୀମା ପ୍ରଦାନ ସେବା ବ୍ୟବସାୟରେ ୩୦୦ ପ୍ରତିଶତ କ୍ଷତି ସହୁଛି। ଡାକ୍ତରଖାନାରେ ଚିକିତ୍ସା ସେବା ମହଙ୍ଗା ହୋଇଥିବାରୁ ଏପରି ହୋଇଛି ବୋଲି ସେ ମତ ଦିଅନ୍ତି।
ଚିନ୍ତାରେ ବରିଷ୍ଠ ନାଗରିକ

ସମ୍ବନ୍ଧିତ ଖବର