୨୦୧୭-୧୮ରେ ହିରୋ ମୋଟୋକର୍ପ ବିକ୍ରି ୭ ନିୟୁତ ୟୁନିଟ୍‌ ଟପିଲା

ନୂଆଦିଲ୍ଲୀ: ବିଶ୍ୱର ବୃହତ୍‌ ଦୁଇଚକିଆ ଯାନ ନିର୍ମାତା ହିରୋ ମୋଟୋ କର୍ପ ଲିଃ. ୨୦୧୭-୧୮ଆର୍ଥିକ ବର୍ଷରେ ରେକର୍ଡ ସଂଖ୍ୟକ ଯାନ ବିକ୍ରି କରି ଇତିହାସ ସୃଷ୍ଟି କରିଛି। ଏହି ସମୟରେ କମ୍ପାନୀ ମୋଟ ୭,୫୮୭,୧୩୦ ୟୁନିଟ୍‌ ଯାନ ବିକ୍ରି କରିଛି। ଗତ ବର୍ଷ ବିକ୍ରି ତୁଳନାରେ କମ୍ପାନୀର ବିକ୍ରି ବୃଦ୍ଧି ହାର ୧୪ ପ୍ରତିଶତ ରହିଛି। ୨୦୧୭ ଆର୍ଥିକ ବର୍ଷରେ ଏହା ୬୬,୬୪,୨୪୦ ୟୁନିଟ୍‌ ଥିଲା। ସେହିପରି ଗତ ବର୍ଷର ପ୍ରତି ମାସ ପିଛା ବିକ୍ରି ଆଧାରରେ କମ୍ପାନୀ ୨୦୧୮ ମାର୍ଚ୍ଚ ମାସରେ ୭୩୦୪୭୩ ଲକ୍ଷ ଯାନ ବିକ୍ରି କରି ୨୦ ପ୍ରତିଶତ ଅଭିବୃଦ୍ଧି ହାସଲ କରିବାକୁ ସକ୍ଷମ ହୋଇଛି। ୨୦୧୭ ମାର୍ଚ୍ଚ ମାସରେ ଏହାର ପରିମାଣ ୬୦୯୯୫୧ ୟୁନିଟ୍‌ ଥିଲା। ୭ ଲକ୍ଷ ୟୁନିଟ ଅତିକ୍ରମ କରି କମ୍ପାନୀ ପ୍ରତିପାଦିତ କରିଛି ଯେ, ବଜାରରେ ଗ୍ରାହକମାନେ ହିରୋ ମୋଟୋକର୍ପ ଯାନକୁ ଅଧିକ ପସନ୍ଦ କରୁଛନ୍ତି ।

କମ୍ପାନୀ ଇତି ମଧ୍ୟରେ ଏହାର ୮ମ ନିର୍ମାଣ ୟୁନିଟ୍‌ ଆନ୍ଧ୍ରପ୍ରଦେଶର ଚିତୁରଠାରେ ୨୦୧୮ ମାର୍ଚ୍ଚ ୧୮ ତାରିଖରେ ସ୍ଥାପିତ କରାଇପାରିଛି। ଏହାଦ୍ୱାରା କମ୍ପାନୀର ଉତ୍ପାଦନ କ୍ଷମତା ବାର୍ଷିକ ୧୧ ନିୟୁତ ୟୁନିଟ୍‌ ହେବାର ଆଶା ରହିଛି। ସମ୍ପ୍ରତି କମ୍ପାନୀର ଉତ୍ପାଦନ କ୍ଷମତା ବର୍ଷ ପିଛା ୯.୨ ନିୟୁତ ୟୁନିଟ୍‌ ରହିଛି। ୨୦୧୭ ମଇ ମାସରେ କମ୍ପାନୀ ବାଲାଂଦେଶରେ ଏହାର ନିର୍ମାଣ ୟୁନିଟ୍‌ ସ୍ଥାପିତ କରିଛି । କମ୍ପାନୀର ନୂତନ ବାଇକ୍‌ ମଧ୍ୟରେ ପ୍ୟାସନ ପ୍ରୋ, ପ୍ୟାସନ୍‌ ଏକ୍ସପ୍ରୋ ଏବଂ ସୁପର ସ୍ପ୍ଲେଣ୍ଡର ବେଶ୍‌ ଗ୍ରାହକ ଆଦୃତି ଲାଭ କରିପାରିଛି। ୨୦୧୮-୧୯ ଆର୍ଥିକ ବର୍ଷରେ କମ୍ପାନୀ ୪ ଟି ନୂତନ ଉତ୍ପାଦ ପ୍ରିମିୟମ୍‌ ମୋଟର ସାଇକେଲ ଏବଂ ସ୍କୁଟର ସେଗମେଂଟ୍‌ରେ ବଜାର ପ୍ରବେଶ କରାଇବାର ଯୋଜନା ରଖିଛି । ସେଥି ମଧ୍ୟରେ ଏକ୍ସଟ୍ରିମ୍‌ ୨୦୦ଆର୍‌ ଏବଂ ଏକ୍ସପ୍ଲସ୍‌ ମୋଟର ସାଇକେଲ୍‌ ତଥା ଡୁଏଟ୍‌ ୧୨୫ ଏବଂ ମାଷ୍ଟ୍ରୋ ଏଡଜ୍‌ ୧୨୫ ସ୍କୁଟର ରହିଛି । ହିରୋ ମୋଟୋକର୍ପ ଘରୋଇ ବଜାରରେ ୫୦ ପ୍ରତିଶତରୁ ଅଧିକ ମାର୍କେଟ୍‌ ଶେୟାର ହାସଲ କରିବାକୁ ସକ୍ଷମ ହୋଇଛି।

ସମ୍ବନ୍ଧିତ ଖବର