ମହଙ୍ଗା ହେବ ଋଣ

୪ ବର୍ଷ ପରେ ସୁଧ ବଢ଼ାଇଲା ରିଜର୍ଭ ବ୍ୟାଙ୍କ

ମୁମ୍ବାଇ: ମୋଦି ସରକାର ଶାସନ ଭାରତ ଗ୍ରହଣ କରିବା ପରେ ଥରେ ହେଲେ ବି ସୁଧ ହାର ବଢ଼ାଇନଥିବା ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଆଜି ରେପୋ ହାରରେ ୦.୨୫% ବୃଦ୍ଧି ଘୋଷଣା କରାଯାଇଛି। ସାଢ଼େ ଚାରି ବର୍ଷ ପରେ ରିଜର୍ଭ ବ୍ୟାଙ୍କ ସୁଧ ହାର ବଢ଼ାଇ ସମସ୍ତଙ୍କୁ ଚକିତ କରିଦେଇଛି। ଶେଷ ଥର ପାଇଁ ୨୦୧୮ ଜାନୁଆରି ୨୮ରେ ସୁଧ ହାର ବୃଦ୍ଧି ପାଇଥିଲା। ଏହା ପରେ ରିଜର୍ଭ ବ୍ୟାଙ୍କ ପକ୍ଷରୁ ୬ ଥର ସୁଧ ହାର ହ୍ରାସ କରାଯାଇଥିଲା। ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଉର୍ଜିତ ପଟେଲ୍‌ଙ୍କ ନେତୃତ୍ୱାଧୀନ ମୁଦ୍ରାନୀତି କମିଟି (ଏମ୍‌ପିସି) ସୁଧ ବଢ଼ାଇବା ପ୍ରସ୍ତାବ ଉପରେ ମୋହର ଲଗାଇଥିଲା। ଏମ୍‌ପିସିର ସମସ୍ତ ୬ ସଦସ୍ୟ ସୁଧ ହାର ବଢ଼ାଇବା ପାଇଁ ଭୋଟ୍‌ ଦେଇଥିଲେ। ରେପୋ ହାର ଏବେ ୬.୨୫%କୁ ବୃଦ୍ଧି ପାଇଛି। ରିଭର୍ସ ରେପୋ ହାର ମଧ୍ୟ ୦.୨୫% ବୃଦ୍ଧି ପାଇ ୬% ହୋଇଛି। ସୁଧ ହାର ବଢ଼ାଇବା ବେଳେ ରିଜର୍ଭ ବ୍ୟାଙ୍କ ପକ୍ଷରୁ କୁହାଯାଇଛି ଯେ ନିକଟ ଅତୀତରେ ତେଲ ଦରରେ ହୋଇଥିବା ବୃଦ୍ଧି ଓ ଉଚ୍ଚ ମୁଦ୍ରାସ୍ଫୀତି ହାରକୁ ବିଚାରକୁ ନେଇ ସୁଧ ହାର ବଢ଼ାଇବା ନିଷ୍ପତ୍ତି ଗ୍ରହଣ କରାଯାଇଛି। ମୁଦ୍ରାସ୍ଫୀତି ହେଉଛି ବିଭିନ୍ନ ସାମଗ୍ରୀର ଦରଦାମରେ ହେଉଥିବା ହ୍ରାସ କିମ୍ବା ବୃଦ୍ଧିର ଏକ ସୂଚକାଙ୍କ। ରେପୋ ହାର ବଢ଼ିଥିବାରୁ ଗ୍ରାହକମାନଙ୍କ ପାଇଁ ଘର, ଗାଡ଼ି ଓ ବ୍ୟକ୍ତିଗତ ଋଣ ମହଙ୍ଗା ହୋଇଯିବ। ସେମାନଙ୍କ ମାସିକ ଋଣ କିସ୍ତି ବୃଦ୍ଧି ପାଇବ। କିଛି ଦିନ ତଳେ ଅନେକ ବ୍ୟାଙ୍କ ନିଜର ମାର୍ଜିନାଲ୍‌ କଷ୍ଟ ଅଫ ଲେଣ୍ଡିଂ ରେଟ୍‌ (ଏମ୍‌ସିଏଲ୍‌ଆର୍‌)ରେ ବୃଦ୍ଧି ଘୋଷଣା କରିଥିଲେ। ଏବେ ରିଜର୍ଭ ବ୍ୟାଙ୍କ ସୁଧ ହାର ବଢ଼ାଇ ଦେଇଥିବାରୁ ବ୍ୟାଙ୍କଗୁଡ଼ିକର ନିଜ ନିଜର ଋଣ ସୁଧ ବିଷୟରେ ସମୀକ୍ଷା କରିବେ। ଏହି ପ୍ରକ୍ରିୟାରେ କିଛି ବ୍ୟାଙ୍କ ସୁଧ ହାର ବଢ଼ାଇବାକୁ ନିଷ୍ପତ୍ତି ନେଇପାରନ୍ତି। ତାହା ହେଲେ ଉଭୟ ଋଣ ନେଇଥିବା ଓ ଋଣ ନେବାକୁ ଚାହୁଁଥିବା ଗ୍ରାହକମାନେ ପ୍ରଭାବିତ ହେବେ।

ମୁଦ୍ରାନୀତି ସମୀକ୍ଷା ରିପୋର୍ଟରେ ଆକଳନ କରାଯାଇଛି ଯେ ଦେଶର ଅଭିବୃଦ୍ଧି ହାର ୨୦୧୮-୧୯ରେ ୭.୪% ହେବ। ମୁଦ୍ରାସ୍ଫତି ଏହି ସମୟରେ ୪.୬ରୁ ୪.୭% ମଧ୍ୟରେ ରହିବ। ଦୀର୍ଘକାଳୀନ ଭିତ୍ତିରେ ମୁଦ୍ରାସ୍ଫୀତିକୁ ୪% ମଧ୍ୟରେ ରଖିବାକୁ ପ୍ରୟାସ କରାଯିବ ବୋଲି ରିଜର୍ଭ ବ୍ୟାଙ୍କ କହିଛି। ଦେଶର ଅର୍ଥନୀତି ପ୍ରତି ଥିବା ବିପଦଗୁଡ଼ିକ ବିଷୟରେ ରିଜର୍ଭ ବ୍ୟାଙ୍କ କହିଛି ଯେ, ଭୌଗଳିକ-ରାଜନୈତିକ ବିପଦ, ବିଶ୍ୱ ସ୍ତରର ପୁଞ୍ଜି ବଜାରରେ ଅସ୍ଥିରତା ଓ ବ୍ୟବସାୟକୁ ନେଇ ବିଭିନ୍ନ ଦେଶ ଅଧିକ ରକ୍ଷଣଶୀଳ ମନୋଭାବ ପୋଷଣ କରୁଥିବାରୁ ତାହାର ପ୍ରଭାବ ଦେଶର ଅର୍ଥନୀତି ଉପରେ ପଡ଼ିବ।

ଶିଳ୍ପ ଜଗତ ନିରାଶ
ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କର ସୁଧ ହାର ବୃଦ୍ଧି ନିଷ୍ପତ୍ତି ଶିଳ୍ପ ଜଗତକୁ ନିରାଶ କରିଛି। ସିଆଇଆଇ ପକ୍ଷରୁ କୁହାଯାଇଛି ଯେ ଏହି ନିଷ୍ପତ୍ତି ଦେଶର ଅଭିବୃଦ୍ଧିକୁ ପ୍ରଭାବିତ କରିବ। ସେହିପରି ଆସୋଚାମ୍‌ କହିଛି ଯେ, ଆଗାମୀ କିଛି ଦିନ ପର୍ଯ୍ୟନ୍ତ ସୁଧ ହାର ଏଭଳି କଠୋର ସ୍ଥିତିରେ ରହିପାରେ। ତେବେ କିଛି ଶିଳ୍ପ ସଂଗଠନ ରିଜର୍ଭ ବ୍ୟାଙ୍କର ନିଷ୍ପତ୍ତିକୁ ସ୍ୱାଗତ ମଧ୍ୟ କରିଛନ୍ତି। ନାରେଡ୍‌କୋ ପକ୍ଷରୁ କୁହାଯାଇଛି ଯେ ମୁଦ୍ରାସ୍ଫୀତି ଦୃଷ୍ଟିରୁ ଏହି ନିଷ୍ପତ୍ତି ଯୁକ୍ତିଯୁକ୍ତ।

ଅର୍ବାନ କୋଅପରେଟିଭ୍‌ ବ୍ୟାଙ୍କ ହୋଇପାରିବେ ସ୍ମଲ୍‌ ଫାଇନାନ୍ସ ବ୍ୟାଙ୍କ
ମୁମ୍ବାଇ: ଅର୍ବାନ କୋଅପରେଟିଭ୍‌ ବ୍ୟାଙ୍କଗୁଡ଼ିକ ସ୍ୱେଚ୍ଛାକୃତ ଭାବେ ସ୍ମଲ୍‌ ଫାଇନାନ୍ସ ବ୍ୟାଙ୍କରେ ପରିଣତ ହୋଇପାରିବେ। ୨୦୧୫ ଅଗଷ୍ଟରେ ରିଜର୍ଭ ବ୍ୟାଙ୍କର ତତ୍କାଳୀନ ଡେପୁଟି ଗଭର୍ଣ୍ଣର ଆର୍‌ ଗାନ୍ଧୀଙ୍କ ନେତୃତ୍ୱରେ ଗଠିତ ଏକ ଉଚ୍ଚ ସ୍ତରୀୟ କମିଟି ଦେଇଥିବା ସୁପାରିସ୍‌କୁ ରିଜର୍ଭ ବ୍ୟାଙ୍କ ଗ୍ରହଣ କରି ଏହି ନିଷ୍ପତ୍ତି ନେଇଛନ୍ତି। ଏହି ସ୍କିମ୍‌ର ସମ୍ପୂର୍ଣ୍ଣ ବିବରଣୀ ଶୀଘ୍ର ଘୋଷଣା କରାଯିବ। କମିଟି ସୁପାରିସ କରିଥିଲା ଯେ, ଯେଉଁ ଅର୍ବାନ କୋଅପରେଟିଭ୍‌ ବ୍ୟାଙ୍କଗୁଡ଼ିକର ବ୍ୟବସାୟ ପରିମାଣ ୨୦,୦୦୦ କୋଟି ଟଙ୍କା କିମ୍ବା ତା’ଠାରୁ ଅଧିକ ସେଗୁଡ଼ିକୁ ସାଧାରଣ ବ୍ୟାଙ୍କରେ ପରିଣତ କରାଯାଉ। ସେହିପରି ଛୋଟ ଅର୍ବାନ କୋଅପରେଟିଭ୍‌ ବ୍ୟାଙ୍କଗୁଡ଼ିକ କିଛି ନିର୍ଦିଷ୍ଟ ସର୍ତ୍ତାବଳୀ ପୂରଣ କରି କ୍ଷୁଦ୍ର ଫାଇନାନ୍ସ ବ୍ୟାଙ୍କରେ ପରିଣତ ହୋଇପାରିବେ ବୋଲି କମିଟି ସୁପାରିସ୍‌ କରିଥିଲା।

ସମ୍ବନ୍ଧିତ ଖବର