ଜେଟ୍‌କୁ ଉଡ଼ାଇବ ହିନ୍ଦୁଜା

ମୁମ୍ବାଇ: ଆର୍ଥିକ ସଙ୍କଟ କାରଣରୁ ବନ୍ଦ ହୋଇ ଯାଇଥିବା ଜେଟ୍ ଏୟାରୱେଜ୍‌କୁ ହିନ୍ଦୁଜା ଗ୍ରୁପ୍ କିଣିବା ଲାଗି ଆଗ୍ରହ ପ୍ରକାଶ କରିଛି। ଚଳିତ ସପ୍ତାହରେ ହିନ୍ଦୁଜା ପକ୍ଷରୁ ଏଥିପାଇଁ ନିଲାମ ଡାକିବା ପ୍ରକ୍ରିୟା ଆରମ୍ଭ ହେବ। ଜେଟ୍‌ ଏୟାରୱେଜ୍‌ର ପ୍ରତିଷ୍ଠାତା ନରେଶ ଗୋୟଲ ଏବଂ ଏତିହାଦ ଏୟାରୱେଜ୍‌ ଭଳି ପ୍ରମୁଖ ନିବେଶକଙ୍କ ସବୁଜ ସଙ୍କେତ ପାଇବା ପରେ ହିନ୍ଦୁଜା ଗ୍ରୁପ୍ ଏ କ୍ଷେତ୍ରରେ ଆଗକୁ ବଢ଼ିବା ଆରମ୍ଭ କରିଛି।
ଏସ୍‌ବିଆଇ କ୍ୟାପିଟାଲ ମାର୍କେଟ୍ସ ନେତୃତ୍ବରେ ଇନଭେଷ୍ଟ ବ୍ୟାଙ୍କରଙ୍କୁ ଏଥିପାଇଁ ନିୟୋଜିତ କରିଛି। ତଥ୍ୟାଭିଜ୍ଞ ମହଲର କହିବାନୁଯାୟୀ, ନରେଶ ଗୋୟଲ ଏବଂ ହିନ୍ଦୁଜା ପରିବାର ମଧ୍ୟରେ ଉତ୍ତମ ସମ୍ପର୍କ ଦୀର୍ଘ ଦୁଇ ଦଶନ୍ଧିରୁ ଅଧିକ ସମୟ ହେଲା ରହିଆସିଛି। ଜେଟ୍ ଏୟାରୱେଜ୍‌ଠାରୁ ବ୍ୟାଙ୍କ ଗୁଡ଼ିକ ପ୍ରାୟ ୧୨ ହଜାର କୋଟି ଟଙ୍କା ପାଇବାକୁ ରହିଛି ବୋଲି ପ୍ରାରମ୍ଭିକ ଆକଳନ କରାଯାଇଛି। କିନ୍ତୁ ବ୍ୟାଙ୍କ ଗୁଡ଼ିକ ଏ କ୍ଷେତ୍ରରେ କିଛି ରିହାତି ଦେବାକୁ ହିନ୍ଦୁଜା ଗ୍ରୁପ୍ ଆଶା ରଖିଛି। ଉଲ୍ଲେଖଯୋଗ୍ୟ ଯେ, ପୂର୍ବରୁ ଜେଟ୍ ଏୟାରୱେଜକୁ କିଣିବା ପାଇଁ ଟାଟା ଗ୍ରୁପ୍ ଆଗ୍ରହ ଦେଖାଇଥିଲା। କିନ୍ତୁ ପରବର୍ତୀ ପର୍ଯ୍ୟାୟରେ ଟାଟା ଗ୍ରୁପ ଆଉ ଆଗକୁ ବଢ଼ି ନଥିଲା। ଅନ୍ୟପକ୍ଷରେ ପୂର୍ବରୁ ସରକାରୀ ବିମାନ ସେବା ପ୍ରଦାନକାରୀ କମ୍ପାନି ଏୟାର ଇଣ୍ଡିଆକୁ ଅତୀତରେ ହିନ୍ଦୁଜା ଗ୍ରୁପ୍ କ୍ରୟ କରିବା ଲାଗି ଆଶାୟୀ ଥିଲା। କିନ୍ତୁ ଏ କ୍ଷେତ୍ରରେ ଅଗ୍ରଗତି କିଛି ହୋଇପାରି ନାହିଁ।
ତେବେ ଜେଟ ଏୟାରୱେଜ୍‌ ବନ୍ଦ ହେବାପରେ ଏହାର ସମସ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ବେସାମରିକ ବିମାନ ସେବା ନିର୍ଦେଶାଳୟ (ଡିଜିସିଏ) ପକ୍ଷରୁ ଜେଟ୍ ଏୟାରୱେଜ୍‌ର କେତେକ ଘରୋଇ ମାର୍ଗକୁ ଅନ୍ୟ କମ୍ପାନିକୁ ଅସ୍ଥାୟୀ ଭାବେ ପ୍ରଦାନ କରାଯାଇ ସାରିଛି। ଏତଦବ୍ୟତୀତ ଜେଟ୍ ଏୟାରୱେଜ୍‌ର କେତେକ ବିଦେଶୀ ମାର୍ଗ ଉପରେ ଅନ୍ୟ ଏୟାରଲାଇନ୍ସ ଗୁଡ଼ିକ ଆଖି ପକାଇବା ଆରମ୍ଭ କରିଦେଲେଣି। ସେହିଭଳି ଜେଟ୍‌ର ପାଇଲଟ୍ ଏବଂ ଅନ୍ୟ କର୍ମଚାରୀମାନେ କମ୍ପାନି ଛାଡ଼ି ଅନ୍ୟତ୍ର ପଳାଇ ଗଲେଣି। ତେଣୁ ଯେଉଁ କମ୍ପାନି ଏବେ ଜେଟ୍‌ ଏୟାରୱେଜ୍‌କୁ ନେବ ସେ ଆରମ୍ଭରୁ ପୁଣି ସବୁକିଛି ଆରମ୍ଭ କରିବାକୁ ହେବ। ତେଣୁ ଜେଟ୍‌କୁ ପୁଣି ଥରେ ଛିଡ଼ା କରାଇବାରେ ପ୍ରତିଷ୍ଠାତା ନରେଶ ଗୋୟଲ ଏବଂ ଏତିହାଦର ସହଯୋଗ ଏକାନ୍ତ ଜରୁରୀ।
ଉଲ୍ଲେଖଯୋଗ୍ୟ, ହିନ୍ଦୁଜା ଗ୍ରୁପ୍‌ର ବିଶାଳ ବ୍ୟବସାୟ ସାମ୍ରାଜ୍ୟ ରହିଛି। ଅଟୋମୋବାଇଲଠାରୁ ଆରମ୍ଭ କରି ସୂଚନା ପ୍ରଯୁକ୍ତି, ଭିତ୍ତିଭୂମି ପ୍ରକଳ୍ପ, ଶକ୍ତି, ରିଅଲ ଇଷ୍ଟେଟ, ସ୍ବାସ୍ଥ୍ୟସେବା ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ଏହି ଗ୍ରୁପ୍ ବ୍ୟବସାୟ ଚଳାଇଛି। ଗ୍ରୁପ୍ ଅଧୀନରେ ପ୍ରାୟ ଦେଢ଼ ଲକ୍ଷରୁ ଅଧିକ କର୍ମଚାରୀ କାର୍ଯ୍ୟ କରୁଛନ୍ତି।

ସମ୍ବନ୍ଧିତ ଖବର