ହଂକଂ ନେଇପାରିବ ନିରବଙ୍କୁ ଗିରଫ ନିଷ୍ପତ୍ତି: ଚୀନ୍‌

ବେଜିଂ: ପିଏନ୍‌ବି ଠକେଇର ମୁଖ୍ୟ ଅଭିଯୁକ୍ତ ନିରବ ମୋଦିଙ୍କୁ ଗିରଫ କରିବା ହଂକଂ ନିଷ୍ପତ୍ତି ନେଇପାରିବ। ଚୀନ୍‌ ଆଜି ଭାରତକୁ ଏହା କହିଛି। ନିରବଙ୍କୁ ଗିରଫ କରାଯିବ ନା ନାହିଁ ସେ ନିଷ୍ପତ୍ତି ହଂକଂ ନେଇପାରିବ। ସେଠାରେ ପ୍ରଚଳିତ ଥିବା ନିୟମ ଅନୁସାରେ ହଂକଂ କାମ କରିବ ବୋଲି ଚୀନ୍‌ କହିଛି। ଚୀନ୍‌ର ବୈଦେଶିକ ମନ୍ତ୍ରଣାଳୟର ପ୍ରବକ୍ତା ଗେଙ୍ଗ୍‌ ସୁଆଙ୍ଗ ଏହା କହିଛନ୍ତି।
ଗତ ସପ୍ତାହରେ ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ଭି କେ ସିଂହ ସଂସଦରେ ସୂଚନା ଦେଇଥିଲେ ଯେ ପିଏନ୍‌ବି ଠକେଇର ମୁଖ୍ୟ ଅଭିଯୁକ୍ତ ନିରବ ମୋଦିଙ୍କୁ ଗିରଫ କରିବା ପାଇଁ ହଂକଂକୁ ଅନୁରୋଧ କରାଯାଇଛି। ନିରବ ହଂକଂରେ ଲୁଚିଥିବା ଭାରତ ସରକାର ସନ୍ଦେହ କରୁଛନ୍ତି।
ହଂକଂ ହେଉଛି ଚୀନ୍‌ର ଏକ ସ୍ୱତନ୍ତ୍ର ଅଞ୍ଚଳ। ଏହାର ନିଜସ୍ୱ ନିୟମ ଓ ଆଇନ ରହିଛି। ଏହା ସ୍ୱତନ୍ତ୍ର ପ୍ରଶାସନିକ ଅଞ୍ଚଳ ଭାବେ ପରିଚାଳିତ ହେଉଛି। ଶ୍ରୀ ସୁଆଙ୍ଗ୍‌ କହିଛନ୍ତି ଯେ ବିଚାର ବିଭାଗୀୟ ମାମଲାରେ ହଂକଂ ଅନ୍ୟ ରାଷ୍ଟ୍ରଗୁଡ଼ିକ ସହିତ ଦ୍ୱିପାକ୍ଷିପ ସମ୍ପର୍କ ସ୍ଥାପନ କରିବାର ନିଷ୍ପତ୍ତି ନିଜେ ନେଇପାରିବ। ନିରବଙ୍କୁ ଗିରଫ କରିବା ପାଇଁ ଯଦି ଭାରତ ସରକାର ହଂକଂକୁ ଅନୁରୋଧ କରିଛନ୍ତି ତେବେ ତା’ଉପରେ ହଂକଂ ନିଷ୍ପତ୍ତି ନେବ। ଆମେ ହଂକଂ ଉପରେ ସବୁ କିଛି ଛାଡ଼ିଦେଉଛୁ। ଭାରତ ସହିତ ବିଚାର ବିଭାଗୀୟ ବୁଝାମଣା ବେଳେ ହଂକଂ ସ୍ଥାନୀୟ ନୀତି ନିୟମକୁ ପାଳନ କରିବ ବୋଲି ଆମେ ଆଶା କରୁଛୁ ବୋଲି ଚୀନ୍‌ର ପ୍ରବକ୍ତା ଶ୍ରୀ ସୁଆଙ୍ଗ୍‌ କହିଛନ୍ତି।
ହଂକଂ ହେଉଛି ଚୀନ୍‌ ପ୍ରଦେଶର ଏକ ଅଂଶ। ମାତ୍ର ଚୀନ୍‌ର ସବୁ ନିୟମ ହଂକଂ ଉପରେ ଲାଗୁ ହୁଏ ନାହିଁ। ଚୀନ୍‌ କେବଳ ହଂକଂର ପ୍ରତିରକ୍ଷା ଓ ବୈଦେଶିକ ବ୍ୟାପାରରେ ମୁଣ୍ଡ ଖେଳାଏ। ହଂକଂ ସହିତ ଭାରତର ଦ୍ୱିପାକ୍ଷିତ ପ୍ରତ୍ୟର୍ପଣ ଚୁକ୍ତି ରହିଛି। କିନ୍ତୁ ଚୀନ୍‌ ସହିତ ନାହିଁ। କିଛି ଦିନ ହେଲାଣି ଚୀନ୍‌ ସହିତ ଭାରତର ସମ୍ପର୍କ ଭଲ ନାହିଁ। ଉଲ୍ଲେଖଯୋଗ୍ୟ, ପିଏନ୍‌ବିରୁ ୧୩ ହଜାର କୋଟି ଟଙ୍କାର ଋଣ ଠକେଇ କରି ନିରବ ଓ ତାଙ୍କ ମାମୁଁ ମେହୁଲ ଚୋକ୍‌ସି ଦେଶ ଛାଡ଼ି ଚାଲିଯାଇଛନ୍ତି। ସେମାନଙ୍କୁ ଫେରାଇ ଆଣିବାକୁ ଉଦ୍ୟମ ଜାରି ରହିଛି।

ସମ୍ବନ୍ଧିତ ଖବର