ସଫଳ ଉଦ୍ୟୋଗୀ ହେବାର ମନ୍ତ୍ର ଶିଖିଲେ ମହିଳା

ଭୁବନେଶ୍ବର: ଉଦ୍ୟୋଗୀ ହୋଇ କିଭଳି ସଫଳ ହେବେ ସେ ନେଇ ଆଜି ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ ମହିଳାମାନଙ୍କୁ ଶିଖାଇଛନ୍ତି ବିଭିନ୍ନ କ୍ଷେତ୍ରର ୩ ଜଣ ସଫଳ ମହିଳା। ସେମାନେ ହେଲେ ଦେଶର ପ୍ରଥମ ଘରୋଇ ମହାକାଶ ଷ୍ଟାର୍ଟଅପ୍ ଉଦ୍ୟୋଗ ଆର୍ଥ୨ଅର୍ବିଟ୍‌ର ପ୍ରତିଷ୍ଠାତା ସୁସ୍ମିତା ମହାନ୍ତି, ଗୁଜରାଟ ସେବା ସଂସ୍ଥାର ମିରାଇ ଚାଟାର୍ଜୀ ଏବଂ ଜାଗରନ ଗ୍ରୁପ୍‌ର ସିଇଓ ଅପୂର୍ବା ପୁରୋହିତ। ସୁସ୍ମିତା କହିଥିଲେ, ସଫଳତା ପାଇବାକୁ ହେଲେ ମୁଖ୍ୟତଃ ୩ଟି ବିଷୟର ଆବଶ୍ୟକତା ରହିଛି। ସେଗୁଡ଼ିକ ହେଲା କଳ୍ପନାକୁ ଛାଡ଼ିବା ନାହିଁ, ଭୟ ଛାଡ଼ିବା ଏବଂ ସବୁ ପ୍ରକାର ଶ୍ରମକୁ ସମ୍ମାନ କରିବା। ସେହିଭଳି ଅହମ୍ମଦାବାଦସ୍ଥିତ ସେବା ସଂସ୍ଥାର ଶ୍ରୀମତୀ ଚାଟାର୍ଜୀ କହିଲେ, ସଫଳତା ପାଇଁ ପୁରୁଷଙ୍କ ସହଯୋଗ ନେବା, ଭାଗିଦାରୀରେ କାର୍ଯ୍ୟ କରିବା, କ୍ଷମତା ବଢ଼ାଇବା ଆଦି ଜରୁରୀ। ଏତଦବ୍ୟତୀତ ମହିଳା ଉଦ୍ୟୋଗୀଙ୍କଠାରୁ ସାମଗ୍ରୀ ବିନା ଟେଣ୍ଡରରେ ସରକାର କିଣିବା, ଜିଏସଟି ଛାଡ଼ କରିବାର ଆବଶ୍ୟକତା ମଧ୍ୟ ରହିଛି ବୋଲି ସେ କହିଥିଲେ। ଶ୍ରୀମତୀ ପୁରୋହିତ କହିଥିଲେ ସକାରାତ୍ମମ ମନୋଭାଗ, କଠିନ ପରିଶ୍ରମ ଏବଂ ବ୍ୟକ୍ତିଗତ ଉତ୍ତରଦାୟିତ୍ବ ରହିଲେ ହିଁ ଜଣେ ମହିଳା ଉଦ୍ୟୋଗୀ ସଫଳ ହୋଇପାରିବେ। ଏହି ଅବସରରେ ଫିକି ମହିଳା ଫୋରମର ବରିଷ୍ଠ ଉପସଭାପତି ହରଜିନ୍ଦର କୌର ମଧ୍ୟ ମହିଳାମାନଙ୍କୁ ସଫଳ ଉଦ୍ୟୋଗୀ ହେବାର ସୂତ୍ର ବତାଇଥିଲେ। ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷର ଅଧ୍ୟକ୍ଷ ସୁବ୍ରତ ବାଗଚି ଏହି କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର