କର୍ପୋରେଟ ଟିକସ ହ୍ରାସ ତ ଟ୍ରେଲର ଥିଲା, ବଡ଼ ଘୋଷଣା ରବିବାରଦିନ ଆମେରିକାରେ ହୋଇପାରେ !

ନୂଆଦିଲ୍ଲୀ : ଆମେରିକାର ହଷ୍ଟନ ସହରରେ ସେପ୍ଟେମ୍ବର ୨୨ ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମିଳିତଭାବରେ ଏକ ଜନସଭାକୁ ସମ୍ବୋଧିତ କରିବେ । ଏହି ସଭାରେ ପ୍ରାୟ ୫୦ ହଜାର ପ୍ରବାସୀ ଭାରତୀୟ, ୟୁଏସ କଂଗ୍ରେସ ସଦସ୍ୟ ଓ ସ୍ଥାନୀୟ ଜନତା ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏହି ସଭାର ଠିକ ଦୁଇଦିନ ପୂର୍ବରୁ ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଭାରତରେ କର୍ପୋରେଟ ଟାକ୍ସ ୨୨ ପ୍ରତିଶତକୁ କମାଇଦେଇଛନ୍ତି, ଯାହାକି ଏସିଆର ପ୍ରମୁଖ ଦେଶଗୁଡ଼ିକ ମଧ୍ୟରେ ସର୍ବନିମ୍ନ । ବିଗତ କିଛି ଦଶନ୍ଧି ମଧ୍ୟରେ ଏହା ସମଗ୍ର ଭାରତୀୟ ଅର୍ଥନୀତି ପାଇଁ ଏକ ବଡ଼ ପଦକ୍ଷେପ ବୋଲି କୁହାଯାଉଛି । ତେବେ ବିଶେଷଜ୍ଞମାନେ ଭାରତର ଏହି ପଦକ୍ଷେପକୁ ଏକ ଭିନ୍ନ ଦୃଷ୍ଟିକୋଣରୁ ଦେଖୁଛନ୍ତି । ମୋଦି ଓ ଟ୍ରମ୍ପଙ୍କ ସଭା ସହ ଏହାକୁ ଯୋଡାଯାଉଛି ।

ବ୍ରୁକିଂସ ଇନଷ୍ଟିଚ୍ୟୁଟର ସିନିୟର ଫେଲୋ ତଥା ପ୍ରଧାନମନ୍ତ୍ରୀଙ୍କ ଆର୍ଥିକ ପରାମର୍ଶଦାତା ସମିକା ରବି କହିଛନ୍ତି ଯେ ବୋଧହୁଏ ରବିବାରଦିନ ହଷ୍ଟନଠାରେ ମୋଦୀ ଓ ଟ୍ରମ୍ପ କିଛି ବଡ଼ ଘୋଷଣା କରିପାରନ୍ତି । ଆମେରିକା ସହିତ ଚୀନର ଏବେ ବାଣିଜ୍ୟ ଯୁଦ୍ଧ ଚାଲିଛି । ଚୀନରେ ନିବେଶ କରିଥିବା ବଡ଼ ବଡ଼ ଆମେରିକୀୟ କମ୍ପାନି ଏବେ ସେଠାରୁ ବାହାରିବାକୁ ଚାହୁଁଛନ୍ତି । ଏହି ସମୟରେ କର୍ପୋରେଟ ଟାକ୍ସ କମାଇ ମୋଦୀ ଆମେରିକୀୟ କମ୍ପାନିଙ୍କୁ ଆମନ୍ତ୍ରଣ ଜଣାଇଛନ୍ତି । କହିବା ବାହୁଲ୍ୟ, କୌଣସି ବଡ଼ ଆମେରିକୀୟ କମ୍ପାନିର ପୁଞ୍ଜିନିବେଶ ସଂପର୍କରେ ଟ୍ରମ୍ପ ଘୋଷଣା କରିପାରନ୍ତି । ଏପରି ହେଲେ ଭାରତୀୟ ଅର୍ଥନୀତି ବେଶ ଲାଭରେ ରହିବ ଓ ବିପୁଳ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।

ସମ୍ବନ୍ଧିତ ଖବର