ବ୍ୟାଙ୍କଗୁଡ଼ିକ ପାଇଁ ଆଇବିସି ଆଣିଛି ସଫଳତା, ଆଦାୟ ହେଲାଣି ୮୧ ହଜାର କୋଟି ଋଣ

ଭୁବନେଶ୍ୱର: ଦୀର୍ଘଦିନ ଧରି ଋଣଗ୍ରହୀତାଙ୍କ ନିକଟରେ ଫସି ରହିଥିବା ୮୧ ହଜାର କୋଟି ଟଙ୍କାର ଋଣ ଅର୍ଥକୁ ଇନ୍‌ସଲ୍‌ଭେନ୍ସି ବା ଦେବାଳିଆ ଆଇନ କାର୍ଯ୍ୟକାରୀ ହେବା ଫଳରେ ଆଦାୟ କରାଯାଇ ପାରିଛି। ଖୁବ୍‌ କମ୍‌ ସମୟ ଭିତରେ ବ୍ୟାଙ୍କ ଗୁଡ଼ିକୁ ଏହି ସଫଳତା ମିଳିଛି। ଆଗାମୀ ଦିନରେ ଏହି ସଫଳତା ଆହୁରି ବ୍ୟାପକ ହେବ ବୋଲି ଇନସଲ୍‌ଭେନ୍ସି ଆଣ୍ଡ୍‌ ବ୍ୟାଙ୍କରପ୍‌ସି ବୋର୍ଡ ଅଫ୍‌ ଇଣ୍ଡିଆ (ଆଇବିବିଆଇ)ର ଅଧକ୍ଷ ଏମ୍‌ ଏସ୍‌ ସାହୁ କହିଛନ୍ତି। ଇଣ୍ଡିଆନ୍‌ ଚାମ୍ବର ଅଫ୍‌ କମର୍ସ ଆଣ୍ଡ୍‌ ଇଣ୍ଡଷ୍ଟ୍ରିଜ୍‌ (ଆଇସିସି) ପକ୍ଷରୁ ଭୁବନେଶ୍ୱରରେ ଆୟୋଜିତ ଇନ୍‌ସଲ୍‌ଭେନ୍ସି ଆଣ୍ଡ୍‌ ବ୍ୟାଙ୍କରପ୍‌ସି ସଂସ୍କାର: କୋଡ୍‌ ଡିମିଷ୍ଟିଫାଏଡ୍‌ ଶୀର୍ଷକ ଜାତୀୟ ସମ୍ମିଳନୀରେ ଯୋଗ ଦେଇ ଶ୍ରୀ ସାହୁ ଏହା କହିଛନ୍ତି।

ସେ ଏହା ମଧ୍ୟ କହିଛନ୍ତି ଯେ, ଦେଶରେ ଏବେ ୩୦୦ କଂପାନି ସ୍ୱେଚ୍ଛାକୃତ ଭାବେ କାରବାର ବନ୍ଦ କରିବା ପାଇଁ ଆବେଦନ କରିଛନ୍ତି। ସେହିପରି ୧୦୦୦ କର୍ପୋରେଟ୍‌ ଋଣଗ୍ରହୀତା କର୍ପୋରେଟ୍‌ ଇନସଲ୍‌ଭେନ୍ସି ପ୍ରକ୍ରିୟାରେ ଭାଗ ନେଇଛନ୍ତି। ଆଇବିସି ଯୋଗୁ ଋଣ ନେଇ ପରିଶୋଧ କରୁନଥିବା କଂପାନିଗୁଡ଼ିକ ମଧ୍ୟରେ ଭୟ ସୃଷ୍ଟି ହୋଇଛି। ଏନ୍‌ସିଏଲ୍‌ଟିକୁ ଟଣା ହେବା ଭୟରେ କେତେକ କଂପାନି ୮୩ ହଜାର କୋଟି ଟଙ୍କାର ଋଣ ପରିଶୋଧ କରିଦେଇଛନ୍ତି ବୋଲି ସେ କହିଛନ୍ତି। ଯେଉଁମାନେ ଜାଣିଶୁଣି ଋଣ ଖିଲାପ କରୁଛନ୍ତି ସେମାନଙ୍କୁ ଚେତାବନୀ ଦେଇ ଶ୍ରୀ ସାହୁ କହିଛନ୍ତି ଥରେ ଏନ୍‌ସିଏଲ୍‌ଟିରେ ମାମଲା ଦାୟର ହୋଇଗଲେ ନିଜର କଂପାନିକୁ ଫେରିପାଇବା କଷ୍ଟକର ହୋଇପଡ଼ିବ। ଏଭଳିକି ଏକ ସମାଧାନ ପ୍ରସ୍ତାବ ଦାଖଲ କରିବାର ମଧ୍ୟ ସୁଯୋଗ ମିଳିବ ନାହିଁ। ସମ୍ମିଳନୀରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା କହିଛନ୍ତି, ୨୦୧୭-୧୮ର ରାଜ୍ୟର ଅଭିବୃଦ୍ଧି ହାର ୭.୧୪% ଥିଲା ଯାହା ଜାତୀୟ ହାର ୬.୫% ଠାରୁ ଅଧିକ। ରାଜ୍ୟରେ ଶିଳ୍ପାୟନ ଯୋଗୁ ୨୦୧୭ ମାର୍ଚ ସୁଦ୍ଧା ରାଜ୍ୟରେ ୨୫୨ଟି ବଡ଼ ଓ ମଧ୍ୟ ଧରଣର ଶିଳ୍ପ ସଂସ୍ଥା ୨୨ଟି ଜିଲ୍ଲାରେ ସ୍ଥାପନ କରାଯାଇଛି ଯେଉଁଥିରେ ୯୨,୭୮୮ କୋଟି ଟଙ୍କାର ନିବେଶ ହୋଇଥିବା ବେଳେ ୧.୧୮ ଲକ୍ଷ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି। ଏହି ସମ୍ମିଳନୀରେ ଆଇସିସି ଓଡ଼ିଶା ଏକ୍ସପର୍ଟ କମିଟିର ସହ ଅଧ୍ୟକ୍ଷ ଜେ ବି ପାଣି ସ୍ୱାଗତ ଭାଷଣ ଦେଇଥିବା ବେଳେ ଆଇସିସି ଓଡ଼ିଶାର ଅର୍ଥ ଓ ଟିକସ ପ୍ୟାନେଲ ଆବାହକ ଏ. କେ. ସାବତ୍‌ ଧନ୍ୟବାଦ ଦେଇଥିଲେ। ସମ୍ମିଳନୀରେ ଆଇସିସିର ଆଇବିସି ଏକ୍ସପର୍ଟ କମିଟି ଅଧ୍ୟକ୍ଷ ଆଶିଷ ଛଛାରିଆ, ଜେ. ପି. ପାଲ୍‌ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର