ଅନ୍ତର୍ଜାତୀୟ ବାଣିଜ୍ୟ ଉପରେ ଆଇସିସି ଇଣ୍ଡିଆର ଆଲୋଚନାଚକ୍ର: ବ୍ୟବସାୟୀମାନେ ନିୟମ ମାନିଲେ ବିବାଦ କମିବ

ଭୁବନେଶ୍ୱର: ବ୍ୟବସାୟୀମାନେ ଅନ୍ତର୍ଜାତୀୟ ବାଣିଜ୍ୟ କ୍ଷେତ୍ରରେ ଥିବା ନିୟମକୁ ପୂର୍ଣ୍ଣମାତ୍ରାରେ ମାନିଲେ ଏ କ୍ଷେତ୍ରରେ ଦେଖାଦେଉଥିବା ବିବାଦ ହ୍ରାସ ପାଇବ। ଅନ୍ତର୍ଜାତୀୟ ବାଣିଜ୍ୟ ସଂଘ ପକ୍ଷରୁ ପ୍ରସ୍ତୁତ ନିୟମକୁ ବ୍ୟବସାୟ ସହ ଜଡ଼ିତ ସବୁ ପକ୍ଷ ଅକ୍ଷରେ ଅକ୍ଷରେ ପାଳନ କରିବା ଆବଶ୍ୟକ ବୋଲି ଆଜି ପୂର୍ବାହ୍ନରେ ହୋଟେଲ ମେ ଫେୟାର ଠାରେ ଅନ୍ତର୍ଜାତୀୟ ବାଣିଜ୍ୟ ଏବଂ ମୁଦ୍ରା ସମ୍ବନ୍ଧୀୟ କାରବାରରେ ନୈତିକତାର ମହତ୍ତ୍ବ ଶୀର୍ଷକ ଆଲୋଚନାଚକ୍ରରେ ଯୋଗଦେଇ ବକ୍ତାମାନେ ଏଭଳି ମତ ରଖିଛନ୍ତି। ଭାରତୀୟ ଷ୍ଟେଟ ବ୍ୟାଙ୍କ ସହଯୋଗରେ ଆଇସିସି ଇଣ୍ଡିଆ ପକ୍ଷରୁ ଅନୁଷ୍ଠିତ ଏହି ଆଲୋଚନାଚକ୍ରରେ ଭାରତୀୟ ଷ୍ଟେଟ ବ୍ୟାଙ୍କ- ଭୁବନେଶ୍ୱରର ସିଜିଏମ୍ ପ୍ରବୀଣା କାଲା ମୁଖ୍ୟ ଅତିଥିଭାବେ ଯୋଗଦେଇ ରପ୍ତାନି ଏବଂ ଆମଦାନି ଆଦି କ୍ଷେତ୍ରରେ କାର୍ଯ୍ୟ କରୁଥିବା ବ୍ୟବସାୟୀମାନେ ଆଇସିସିର ନିୟମକୁ ପୂର୍ଣ୍ଣପ୍ରାଣରେ ପାଳନ କରିବା ପାଇଁ କହିଥିଲେ। ଫିକି ଓଡ଼ିଶା ପରିଷଦର ସହ-ଅଧ୍ୟକ୍ଷା ତଥା ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡର ଏମ୍‌ଡି ମୋନିକା ନୈୟାର ପଟ୍ଟନାୟକ ସ୍ବାଗତ ଭାଷଣ ଦେଇଥିଲେ। ସେ ତାଙ୍କ ବକ୍ତବ୍ୟରେ କହିଥିଲେ, ଆସନ୍ତା ୫ ବର୍ଷ ମଧ୍ୟରେ ଭାରତକୁ ୫ ଲକ୍ଷ କୋଟି ଡଲାର ଅର୍ଥନୀତିରେ ପରିଣତ କରିବା ଲାଗି ଲକ୍ଷ୍ୟ ରଖାଯାଇଛି । ଏହି ଲକ୍ଷ୍ୟ ହାସଲ କରିବାକୁ ହେଲେ ବାଣିଜ୍ୟ କ୍ଷେତ୍ରକୁ ଋଣ ଏବଂ ଅର୍ଥ ଯୋଗାଣରେ ଯେଉଁ ନିଅଣ୍ଟିଆ ପରିସ୍ଥିତି ରହିଛି ତାହାକୁ ଦୂର କରିବା ପାଇଁ ପଡ଼ିବ। କେବଳ ବଡ଼ କର୍ପୋରେଟ୍ ସଂସ୍ଥା ନୁହେଁ, ଏମ୍‌ଏସ୍‌ଏମ୍‌ଇ ଗୁଡ଼ିକର ଉକ୍ତ ସମସ୍ୟାକୁ ମଧ୍ୟ ସମାଧାନ କରିବାକୁ ପଡ଼ିବ ବୋଲି ସେ କହିଥିଲେ। ଉଦଘାଟନୀ ଉତ୍ସବରେ ଅନ୍ତର୍ଜାତୀୟ ବାଣିଜ୍ୟ ଏବଂ ଫାଇନାନ୍ସ ବିଶେଷଜ୍ଞ କେ. ପରମେଶ୍ୱରନ୍, ଗଣେଶ ବିଶ୍ୱନାଥନ୍, ଭାରତୀୟ ଷ୍ଟେଟ ବ୍ୟାଙ୍କର ମହା ପ୍ରବନ୍ଧକ ରଜୟ ସିହ୍ନା ପ୍ରମୁଖ ଅନ୍ତର୍ଜାତୀୟ ବାଣିଜ୍ୟର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ଦିବସବ୍ୟାପୀ ଏହି କାର୍ଯ୍ୟକ୍ରମରେ ୫୦ରୁ ଅଧିକ ଅଂଶଗ୍ରହଣକାରୀ ଯୋଗଦେଇଥିଲେ।

ସମ୍ବନ୍ଧିତ ଖବର