ଆଇସିଆଇସିଆଇ ବ୍ୟାଙ୍କ ଦେବ ୧୭୦୦ କୋଟିର ଋଣ

0 142

ଭୁବନେଶ୍ୱର: ଆଇସିଆଇସିଆଇ ବ୍ୟାଙ୍କ ଚଳିତ ଆର୍ଥିକ ବର୍ଷରେ ଓଡ଼ିଶାରେ ୧୭୦୦ କୋଟି ଟଙ୍କାର ଖୁଚୁରା ଋଣ ଆବଣ୍ଟନ କରିବ। ବ୍ୟାଙ୍କ ପକ୍ଷରୁ ସୁଲଭ ବାସଗୃହ କ୍ଷେତ୍ର ପାଇଁ ୮୦୦ କୋଟି ଟଙ୍କାର ଋଣ ପ୍ରଦାନ କରାଯିବ। ବଳକା ୯୦୦ କୋଟି ଟଙ୍କା ବ୍ୟକ୍ତିଗତ ଓ ଗାଡ଼ି ଋଣ ଆକାରରେ ପ୍ରଦାନ କରିବ। ରାଜ୍ୟରେ ଆମେ ଚଳିତ ବର୍ଷ ଦୁଇ ଗୁଣା ଅଧିକ ଖୁଚୁରା ଋଣ ଆବଣ୍ଟନ କରିବୁ ବୋଲି ବ୍ୟାଙ୍କର କାର୍ଯ୍ୟନିର୍ବାହୀ ନିର୍ଦେଶକ ଅନୁପ୍‌ ବାଗ୍‌ଚି କହିଛନ୍ତି। ସେ କହିଲେ, ଦେଶରେ କିଛି ହାତ ଗଣତି ରାଜ୍ୟ ମଧ୍ୟରୁ ଓଡ଼ିଶା ହେଉଛି ଅନ୍ୟତମ ଯେଉଁଠାରେ ଖୁଚୁରା ଋଣ ଆବଣ୍ଟନରେ ଜବରଦସ୍ତ ଅଭିବୃଦ୍ଧି ହୋଇଛି। ଏଠାରେ ଆମର ଅଭିବୃଦ୍ଧି ଜାତୀୟ ହାର ଠାରୁ ଅଧିକ। ଚଳିତ ବର୍ଷ ମଧ୍ୟ ସେହି ଧାରା ବଜାୟ ରହିବ ବୋଲି ସେ କହିଛନ୍ତି। ରାଜ୍ୟରେ ଆଇସିଆଇସିଆଇ ବ୍ୟାଙ୍କର ୧୪୦ଟି ଶାଖା ରହିଛି। ସେଥି ମଧ୍ୟରୁ ୧୦୦ରୁ ଅଧିକ ଶାଖା ଅର୍ଧ-ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ରହିଛି। ଏହି ସବୁ ଅଞ୍ଚଳରେ ଆମର ବ୍ୟବସାୟ ପରିମାଣ ଦ୍ରୁତ ଗତିରେ ବଢ଼ୁଛି ବୋଲି ଶ୍ରୀ ବାଗ୍‌ଚି କହିଛନ୍ତି। ଗୃହ ଋଣ ଆବଣ୍ଟନ ଲକ୍ଷ୍ୟ ହାସଲ କରିବା ପାଇଁ ବ୍ୟାଙ୍କ ରାଉରକେଲା, ଜୟପୁର, ସମ୍ବଲପୁର ଓ ବ୍ରହ୍ମପୁର ଭଳି ସହରକୁ ଗୁରୁତ୍ୱ ପ୍ରଦାନ କରିବ। ସେହିପରି ବାଲେଶ୍ୱର, ବ୍ରହ୍ମପୁର, ସମ୍ବଲପୁର, ରାଉରକେଲା, ଜୟପୁର, ଅନୁଗୁଳ ଓ ଭଦ୍ରକରେ ଦୁଇ ଚକିଆ ଯାନ ଋଣ ପ୍ରଦାନରେ ଉଲ୍ଲେଖନୀୟ ବୃଦ୍ଧି ହେବ ବୋଲି ବ୍ୟାଙ୍କ ଲକ୍ଷ୍ୟ ରଖିଛି। ରାଜ୍ୟରେ ବ୍ୟାଙ୍କ ଏହାର ବିତରଣ ନେଟଓ୍ଵର୍କକୁ ମଧ୍ୟ ବଢ଼ାଇବାକୁ ଯୋଜନା ରଖିଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.