ଆଇଏଲ୍ ଆଣ୍ଡ ଏଫ୍‌ଏସ୍‌ ପୂର୍ବତନ ସିଇଓ ଗିରଫ

ନୂଆଦିଲ୍ଲୀ: ଆଇଏଲ୍ ଆଣ୍ଡ ଏଫଏସ୍‌ ମାମଲାରେ ଗୁରୁତର ଅପରାଧ ତଦନ୍ତ କାର୍ଯ୍ୟାଳୟ (ଏସଏଫଆଇଓ) ପକ୍ଷରୁ ଆଜି ଆଉ ଜଣେ ବରିଷ୍ଠ ଅଧିକାରୀଙ୍କୁ ଗିରଫ କରାଯାଇଛି। ଆଇଏଲ ଆଣ୍ଡ ଏଫଏସ ମାମଲାରେ ଏହା ଦ୍ବିତୀୟ ବଡ଼ ଗିରଫ। ପୂର୍ବରୁ ଏହି ମାମଲାରେ ଏସଏଫଆଇଓ ଆଇଏଲ୍ ଆଣ୍ଡ ଏଫଏସର ଉପାଧ୍ୟକ୍ଷ ହରି ଶଙ୍କରନଙ୍କୁ ଗିରଫ କରିସାରି ଥିବା‌ବେଳେ ଆଜି ଆଇଏଲ୍ ଆଣ୍ଡ ଏଫଏସ ଫାଇନାନ୍ସିଆଲ ସର୍ଭିସେସ୍‌ର ପୂର୍ବତନ ସିଇଓ ରମେଶ ଚନ୍ଦ୍ର ବାୱାଙ୍କୁ ଗିରଫ କରାଯାଇଛି। କମ୍ପାନିରେ କ୍ଷମତାର ଦୂରୁପଯୋଗ କରିଥିବା ଅଭିଯୋଗରେ ସେ ଗିରଫ ହୋଇଛନ୍ତି। ଏଥିସହିତ ବିଶ୍ବସନୀୟତା ନଥିବା କମ୍ପାନି ଗୁଡ଼ିକୁ ମଧ୍ୟ ସେ ଋଣ ପ୍ରଦାନ କରିଥିବା ଅଭିଯୋଗ ଆସିଛି। ଫଳରେ ସେ କମ୍ପାନି ଏବଂ କମ୍ପାନିକୁ ଋଣ ଯୋଗାଇଥିବା ସଂସ୍ଥା ଗୁଡ଼ିକୁ କ୍ଷତି ପହଞ୍ଚାଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ଆଇଏଲ୍ ଆଣ୍ଡ ଏଫଏସ ଫାଇନାନ୍ସିଆଲ ସର୍ଭିସେସ୍ ଲିମିଟେଡ ଉପରେ ବିଭିନ୍ନ ବ୍ୟାଙ୍କର ପ୍ରାୟ ୧୭୫୦୦ କୋଟି ଟଙ୍କାର ଋଣ ରାଶି ଓ ଅନ୍ୟାନ୍ୟ ଡେବ୍‌ଟ ପାଣ୍ଠି ପଡ଼ିରହିଛି। ଏହି ଡେବ୍‌ଟ ପାଣ୍ଠି‌ରେ ଭବିଷ୍ୟନିଧି ପାଣ୍ଠି, ପେନସନ ପାଣ୍ଠି, ଗ୍ରାଚ୍ୟୁଇଟି ପାଣ୍ଠି, ମ୍ୟୁଚୁଆଲ ଫାଣ୍ଠି ଏବଂ ଘରୋଇ ଏବଂ ସରକାରୀ ବ୍ୟାଙ୍କର ନିବେଶ ସାମିଲ ରହିଛି। ଗତବର୍ଷ ଆଇଏଲ ଆଣ୍ଡ ଏଫଏସର ଆର୍ଥିକ ଅନିୟମିତତା ପଦାକୁ ଆସିଥିଲା। ଏହି ଗ୍ରୁପ୍‌ର କେତେକ କମ୍ପାନି ସେମାନଙ୍କ ଋଣ ରାଶି ପରିଶୋଧ କରିବାରେ ବିଫଳ ହେବା ଦ୍ବାରା ସରକାର ଏଥିରେ ହସ୍ତକ୍ଷେପ କରିଥିଲେ। ପୁରୁଣା ମ୍ୟାନେଜମେଣ୍ଟକୁ ବଦଳାଇ ଏକ ନୂଆ ମ୍ୟାନେଜମେଣ୍ଟ ଗଠନ କରିଥିଲେ। ଏହି କମ୍ପାନି ଏବେ ରିଜଲ୍ୟୁସନ ‌ପ୍ରକ୍ରିୟାରେ ଏବେ ରହିଛି। ଆଇଏଲ ଆଣ୍ଡ ଏଫଏସ ଏବଂ ଏହାର ଗ୍ରୁପ କମ୍ପାନି ଗୁଡ଼ିକର ତଦନ୍ତ ଏସଏଫଆଇଓ କରୁଛି।

ସମ୍ବନ୍ଧିତ ଖବର