ଆଇଏଲ୍ ଆଣ୍ଡ୍ ଏଫ୍‌ଏସ୍ ମାମଲା: ନିର୍ଦ୍ଦେଶକଙ୍କ ୫୭୦ କୋଟି ସମ୍ପତ୍ତି ଜବତ

ମୁମ୍ବାଇ: ଆଇଏଲ୍ ଆଣ୍ଡ୍ ଏଫ୍‌ଏସ୍‌ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପ୍ରଥମ ଚାର୍ଜସିଟ୍ ଦାଖଲ କରିଛି। ମୁମ୍ବାଇର ଏକ ସ୍ବତନ୍ତ୍ର ଅଦାଲତରେ ପିଏମଏଲଏ ଅଧୀନରେ ଏହି ଚାର୍ଜସିଟ୍ ଶୁକ୍ରବାର ଦାଖଲ ହୋଇଛି। ଏଥିସହିତ ଆଇଏଲ୍ ଆଣ୍ଡ ଏଫଏସ ନିର୍ଦ୍ଦେଶକଙ୍କ ପ୍ରାୟ ୫୭୦ କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଛି। ଅଭିଯୋଗଫର୍ଦ୍ଦରେ ନିର୍ଦ୍ଦେଶକଙ୍କ ଭୂମିକା ଏବଂ ସେମାନଙ୍କ ଦୁର୍ନୀତି ସମ୍ପର୍କରେ ବିସ୍ତୃତ ଅଭିଯୋଗ ରହିଛି। ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ ଏବଂ ବେଲଜିୟମର ବ୍ରସେଲ୍ସଠାରେ ଥିବା ସ୍ଥାବର ସମ୍ପତ୍ତି ଏବଂ ବ୍ୟାଙ୍କ ଆକାଉଣ୍ଟ ଗୁଡ଼ିକ ଜବତ ହୋଇଛି। ଜବତ ହୋଇଥିବା ସ୍ଥାବର ସମ୍ପତ୍ତି ଆଇଏଲ୍ ଆଣ୍ଡ ଏଫଏସ ଫାଇନାନ୍ସିଆଲ ସର୍ଭିସେସ୍ ଲିମିଟେଡ (ଆଇଏଫଆଇଏନ)ର ନିର୍ଦ୍ଦେଶକ ରବି ପାର୍ଥସାରଥୀ, ରମେଶ ବାୱା, ହରି ଶଙ୍କରମ୍, ଅରୁଣ ଶାହା ଏବଂ ଚାମଚନ୍ଦ୍ର କରୁଣାକରନଙ୍କ ନାମରେ ରହିଛି । ଉଲ୍ଲେଖଯୋଗ୍ୟ ଯେ, ଶାହା ଏବଂ କରୁଣାକରନ୍‌ଙ୍କୁ ଗତ ଜୁନରେ ଗିରଫ କରାଯାଇଥିଲା। ଏୟାରସେଲ୍‌ର ପ୍ରତିଷ୍ଠାତା ସି. ଶିବଶଙ୍କରନଙ୍କ ପରିବାର ସଦସ୍ୟ ଏବଂ ଗ୍ରୁପ କମ୍ପାନି ନାମରେ ଥିବା ବ୍ୟାଙ୍କ ଆକାଉଣ୍ଟ ଏବଂ ସ୍ଥାବର ସମ୍ପତ୍ତିକୁ ମଧ୍ୟ ଇଡି ଜବତ କରିଛି। ଏହି ମାମଲାରେ ଇଡି ଚଳିତବର୍ଷ ଫେବ୍ରୁଆରିରେ ମନି ଲଣ୍ଡରିଂ ମାମଲା ରୁଜୁ କରିଥିଲା। ଦିଲ୍ଲୀ ପୁଲିସର ଅର୍ଥନୈତିକ ଅପରାଧ ଶାଖାର ଅଭିଯୋଗକ୍ରମେ ଏହି ମାମଲା ରୁଜୁ ହୋଇଥିଲା। ଆଗାମୀ ଦିନରେ ଇଡି ଏହି ମାମଲାରେ‌ ଆହୁରି ଅଧିକ ଚାର୍ଜସିଟ୍ ଦାଖଲ କରିବା ସମ୍ଭାବନା ରହିଛି।

ସମ୍ବନ୍ଧିତ ଖବର