ଭାରତର ସଂସ୍କାରକୁ ଆଇଏମ୍‌ଏଫ୍‌ର ପ୍ରଶଂସା

ଓ୍ଵାସିଂଟନ୍‌: ଭାରତ ପକ୍ଷରୁ ଗ୍ରହଣ କରାଯାଇଥିବା ଆର୍ଥିକ ସଂସ୍କାର କାର୍ଯ୍ୟକ୍ରମ ଗୁଡ଼ିକୁ ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି (ଆଇଏମ୍‌ଏଫ୍‌) ପ୍ରଶଂସା କରିଛି। ଆର୍ଥିକ ସଂସ୍କାର ଗୁଡ଼ିକ ଫଳପ୍ରଦ ହୋଇଛି ଏବଂ ଲୋକେ ଏହାଦ୍ୱାରା ଲାଭବାନ ହୋଇଛନ୍ତି। ତେଣୁ ଆଗାମୀ ଦିନରେ ଅଧିକ ସଂସ୍କାରଧର୍ମୀ ପଦକ୍ଷେପ ନେବାକୁ ଆଇଏମ୍‌ଏଫ୍‌ର ଜଣେ ବରିଷ୍ଠ ଅଧିକାରୀ ମତ ଦେଇଛନ୍ତି। ପ୍ରତିବନ୍ଧକ ସତ୍ତ୍ୱେ ଭାରତରେ ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) କାର୍ଯ୍ୟକାରୀ ହୋଇଛି। ଭାରତର ସରକାରୀ ଅର୍ଥ ବ୍ୟବସ୍ଥାକୁ ଏହା ସୁଦୃଢ଼ କରିବ ବୋଲି ଆଇଏମ୍‌ଏଫ୍‌ର ଉପର ପରିଚାଳନା ନିର୍ଦେଶକ (ପ୍ରଥମ) ଡେଭିଡ ଲିପ୍ଟନ କହିଛନ୍ତି। ସେହିଭଳି ବ୍ୟାଙ୍କ ସମସ୍ୟାର ସମାଧାନ ପାଇଁ ନିକଟରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି। ସେହିଭଳି ଡିଜିଟାଲ ପରିଚୟପତ୍ର ପ୍ରଯୁକ୍ତି ଓ ଅନ୍ୟ ଢାଞ୍ଚାଗତ ସଂସ୍କାର ଅନ୍ତର୍ଭୁକ୍ତୀକରଣ ଅଭିବୃଦ୍ଧି ଓ ଭାରତକୁ ଅର୍ଥନୈତିକ ଶକ୍ତିରେ ପରିଣତ କରିବା ଲାଗି ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି। ଆଇଏମ୍‌ଏଫ୍‌ ଓ ବିଶ୍ୱ ବ୍ୟାଙ୍କର ବୈଠକ ଅବସରରେ ସେ ଏହା କହିଛନ୍ତି। ଗତବର୍ଷ ଭାରତର ଅଭିବୃଦ୍ଧି ୬.୭ ପ୍ରତିଶତ ରହିଥିବାବେଳେ ଚଳିତ ବର୍ଷ ଏହା ୭.୪ ପ୍ରତିଶତ ଏବଂ ଆସନ୍ତାବର୍ଷ ୭.୮ ପ୍ରତିଶତ ରହିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର