ବିଶ୍ୱାସ ପ୍ରକଟ କଲା ଆଇଏମ୍‌ଏଫ୍‌ : ଆସନ୍ତା ବର୍ଷ ଭାରତର ଅଭିବୃଦ୍ଧି ୭% ହେବ

ସିଙ୍ଗାପୁର : ଦେଶର ଅଭିବୃଦ୍ଧି ୫% ଭଳି ନିମ୍ନ ସ୍ତରକୁ ଖସିଯାଇଥିଲେ ମଧ୍ୟ ଭାରତର ଅର୍ଥନୀତି ଉପରେ ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍) ବିଶ୍ବାସ ପ୍ରକଟ କରିଛି। ଆସନ୍ତାବର୍ଷ ଭାରତର ଅଭିବୃଦ୍ଧି ହାର ୭% ହେବ ବୋଲି ଏହି ଖ୍ୟାତନାମା ଆନ୍ତର୍ଜାତିକ ସଂସ୍ଥା ଆକଳନ କରିଛି। ଚଳିତ ଆର୍ଥିକ ବର୍ଷ (୨୦୧୯-୨୦)ରେ ଭାରତର ଅଭିବୃଦ୍ଧି ୬.୧% ହେବ ବୋଲି ଆଇଏମ୍ଏଫ୍ ଜଣାଇଛି।

ଅର୍ଥନୀତିରୁ ମାନ୍ଦାବସ୍ଥା ଦୂର କରିବା ଲାଗି ସରକାର ଘୋଷଣା କରିଥିବା ବିଭିନ୍ନ ପ୍ୟାକେଜ୍ ଓ କର୍ପୋରେଟ୍ ଟିକସରେ କରାଯାଇଥିବା ହ୍ରାସର ଲାଭ ଖୁବ୍‌ଶୀଘ୍ର ମିଳିବ। ଏହି ସବୁ ପଦକ୍ଷେପ ପ୍ରଭାବରେ ଭାରତୀୟ ଅର୍ଥନୀତି ଆହୁରି ଦ୍ରୁତ ଗତିରେ ଆଗକୁ ବଢ଼ିବ ବୋଲି ଆଇଏମ୍ଏଫ୍‌ର ଡେପୁଟି ଡାଇରେକ୍ଟର ଜୋନାଥନ୍ ଓଷ୍ଟ୍ରି କହିଛନ୍ତି।

ଆର୍ଥିକ କ୍ଷେତ୍ରରେ ଯେଉଁ ଦୁର୍ବଳତା ରହିଛି ତାହାକୁ ଦୂର କରିବା ଲାଗି ସରକାର ଗ୍ରହଣ କରିଥିବା ପଦକ୍ଷେପର ପ୍ରଭାବ ଶୀଘ୍ର ଅନୁଭୂତ ହେବ। ତେବେ ଭାରତୀୟ ଅର୍ଥନୀତିରେ ଦେଖାଦେଇଥିବା ମାନ୍ଦାବସ୍ଥାକୁ ନେଇ ସେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ସେ କହିଛନ୍ତି, ଭାରତରେ ମାନ୍ଦାବସ୍ଥାର କୌଣସି କାରଣ ଆମେ ଖୋଜି ପାଉନୁ। ଆମେ ମଧ୍ୟ ଏହା ଜାଣି ଆଶ୍ଚର୍ଯ୍ୟ ହେଉଛୁ। ତେବେ ଭାରତରେ କର୍ପୋରେଟ୍ ଏବଂ ନିୟାମକ ବ୍ୟବସ୍ଥା, ଆର୍ଥିକ କ୍ଷେତ୍ରରେ ଏନ୍‌ପିଏ ଏବଂ ଗ୍ରାମାଞ୍ଚଳ ଅର୍ଥନୀତିରେ ସଙ୍କଟ ଭଳି ଅଲଗା ପ୍ରକାର ସମସ୍ୟା‌ ରହିଥିବା ସେ କହିଛନ୍ତି।

ଆଞ୍ଚଳିକ ବ୍ୟାପକ ଅର୍ଥନୈତିକ ସହଯୋଗିତା (ଆର୍‌ଇସିପି) ଉପରେ ମତ ରଖି ସେ କହିଛନ୍ତି ଯେ, ଏହି ଚୁକ୍ତି ଆସନ୍ତା ମାସ ସୁଦ୍ଧା ସ୍ବାକ୍ଷରିତ ହେବାର ସମ୍ଭାବନା ରହିଛି। ଏହି ମୁକ୍ତ ବାଣିଜ୍ୟ ରାଜିନାମାକୁ ନେଇ ଭାରତ ସତର୍କତା ଅବଲମ୍ବନ କରିଛି। ଏହି ରାଜିନାମାରେ କେବଳ ସାମଗ୍ରୀ କାରବାର ଉପରେ ଗୁରୁତ୍ବ ନଦେଇ ସେବାକୁ ମଧ୍ୟ ସମାନ ପ୍ରାଧାନ୍ୟ ଦେବାକୁ ସେ ଆହ୍ବାନ ଦେଇଛନ୍ତି।

ସମ୍ବନ୍ଧିତ ଖବର