ଇମ୍ଫାର ରାଜସ୍ବ ୩୯୨ କୋଟି

ଭୁବନେଶ୍ବର: ଇଣ୍ଡିଆନ୍ ମେଟାଲ୍ସ ଆଣ୍ଡ୍‌ ଫେରୋ ଆଲଏଜ୍ (ଇମ୍ଫା) ପକ୍ଷରୁ ୨୦୧୮-୧୯ ଆର୍ଥିକ ବର୍ଷର ତୃତୀୟ ତ୍ରୟମାସ ବ୍ୟାବସାୟିକ ଫଳାଫଳ ଘୋଷଣା କରାଯାଇଛି। ଏହି ତିନି ମାସରେ କଂପାନିର ରାଜସ୍ବ ୩୯୨.୪୨ କୋଟି ଟଙ୍କା ହୋଇଥିବା ବେଳେ ରପ୍ତାନି ୩୪୮.୯୫ କୋଟି ଟଙ୍କା ଓ ନିଟ୍ ଲାଭ ୩୪.୬୮ କୋଟି ଟଙ୍କା ହୋଇଛି। କଂପାନି ଏହି ସମୟରେ ୬୦,୫୦୩ ଟନ୍ ଫେରୋକ୍ରୋମ୍ ଉତ୍ପାଦନ କରିଥଇବା ବେଳେ ୫୨,୯୪୪ ଟନ୍ ବିକ୍ରି କରିଛି। ଏହି ତିନି ମାସରେ କଂପାନି ୨୩୬ ନିୟୁତ ୟୁନିଟ୍‌ ବିଦ୍ୟୁତ ଉତ୍ପାଦନ କରିଛି। କଂପାନିର ଆର୍ଥିକ ପ୍ରଦର୍ଶନ ବିଷୟରେ ପରିଚାଳନା ନିର୍ଦେଶକ ଓ ସିଇଓ ଶୁଭ୍ରକାନ୍ତ ପଣ୍ଡା କହିଛନ୍ତି ଯେ, ନିର୍ଧାରିତ ରକ୍ଷଣାବେକ୍ଷଣ ଓ ବିଶ୍ବ ସ୍ତରରେ ସୃଷ୍ଟି ହୋଇଥିବା ପରିସ୍ଥିତି ଯୋଗୁ ଫେରୋକ୍ରୋମ ମୂଲ୍ୟରେ ହ୍ରାସ ସତ୍ତ୍ବେ କଂପାନି ସ୍ଥିର ପ୍ରଦର୍ଶନ କରିଛି। ଚଳିତ ତ୍ରୟମାସରେ ଦରରେ ଉନ୍ନତି ହେବ ବୋଲି ସେ ଆଶା ପ୍ରକଟ କରିଛନ୍ତି। ଉଲ୍ଲେଖଯୋଗ୍ୟ, ୨୦୧୮-୧୯ର ପ୍ରଥମ ୯ ମାସରେ କଂପାନିର ରାଜସ୍ବ ୧୧୯୯.୭୨ କୋଟି ଟଙ୍କା, ରପ୍ତାନି ୧୦୭୪.୯୦ କୋଟି ଟଙ୍କାଏବଂ ନିଟ୍ ଲାଭ ୮୪.୯୧ କୋଟି ଟଙ୍କା ରହିଛି। ଥେରୁବାଲି ଠାରେ କଂପାନି ଏହାର ୧.୫ ମେଗାୱାଟ୍ ସୌର ଶକ୍ତି ପ୍ଲାଣ୍ଟ୍‌ କାର୍ଯ୍ୟକ୍ଷମ କରିଛି।

ସମ୍ବନ୍ଧିତ ଖବର