ସଂପେକ୍ଷରେ…

• ୧୧୭ କୋଟି ସମ୍ପତ୍ତି ଜବତ
ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ପକ୍ଷରୁ ରୋଟୋମ୍ୟାକ୍‌ ଗ୍ରୁପ୍‌ ଓ ଏହାର ନିର୍ଦେଶକମାନଙ୍କ ୧୭୭ କୋଟି ଟଙ୍କାର ସମ୍ପତ୍ତି ଜବତ କରାଯାଇଛି। ଉତ୍ତର ପ୍ରଦେଶର କାନପୁର, ଉତ୍ତରାଖଣ୍ଡର ଡେରାଡୁନ୍‌, ଗୁଜରାଟର ଅହମ୍ମଦାବାଦ ଓ ଗାନ୍ଧୀନଗର ଓ ମହାରାଷ୍ଟ୍ରର ମୁମ୍ବାଇଠାରେ ଥିବା ୧୭୭ କୋଟି ଟଙ୍କାର ସମ୍ପତ୍ତିକୁ ଇଡି ଜବତ କରିଛି। ରୋଟୋମ୍ୟାକ୍‌ ବିରୋଧରେ ଋଣ ଠକେଇ ମାମଲାର ତଦନ୍ତ ଚାଲିଛି। ଇଡି ଏକ ମନି ଲଣ୍ଡରିଂ ମାମଲା ଦାୟର କରି ତଦନ୍ତ କରୁଥିଲା। ସିବିଆଇ ପକ୍ଷରୁ ରୋଟୋମ୍ୟାକ୍‌ର ମାଲିକ ବିକ୍ରମ କୋଠାରିଙ୍କୁ କିଛି ମାସ ତଳେ ଗିରଫ କରାଯାଇଥିଲା।
• ରିଜର୍ଭ ବ୍ୟାଙ୍କ ଠାବ କଲା ଏନ୍‌ପିଏ
ଦେଶର ପାଞ୍ଚଟି ପ୍ରମୁଖ ସରକାରୀ ବ୍ୟାଙ୍କରେ ୪୭ ହଜାର କୋଟି ଟଙ୍କାର ଏନ୍‌ପିଏକୁ ଭାରତୀୟ ରିଜର୍ଭ ବ୍ୟାଙ୍କ ଠାବ କରିଛି। ବ୍ୟାଡ୍‌ ଲୋନ୍‌ ଆକଳନ ବେଳେ ବ୍ୟାଙ୍କଗୁଡ଼ିକ ଏହାକୁ ପ୍ରଦର୍ଶନ କରିନଥିଲେ।
• ଟିକଟ ଦର ବଢ଼ାଇଲା ଇଣ୍ଡିଗୋ
ସୁଲଭ ମୂଲ୍ୟରେ ବିମାନ ସେବା ପ୍ରଦାନ କରୁଥିବା ଇଣ୍ଡିଗୋ ପକ୍ଷରୁ ଟିକଟ ଦର ବୃଦ୍ଧି କରାଯାଇଛି। ଇନ୍ଧନ ମୂଲ୍ୟ ବୃଦ୍ଧିକୁ ଦୃଷ୍ଟିରେ ରଖି କଂପାନି ଏଭଳି ନିଷ୍ପତ୍ତି ନେଇଛି। କମ୍‌ ଦୂରତା ଯାତ୍ରା କରୁଥିବା ବିମାନ ଟିକଟର ମୂଲ୍ୟ ୨୦୦ ଟଙ୍କା ଓ ଦୂରଗାମୀ ବିମାନ ଟିକଟର ମୂଲ୍ୟ ୪୦୦ ଟଙ୍କା ବଢ଼ିଛି। ଆଗାମୀ ଦିନରେ ଅନ୍ୟ ବିମାନ କଂପାନିଗୁଡ଼ିକ ମଧ୍ୟ ଟିକଟ ମୂଲ୍ୟ ବଢ଼ାଇବେ ବୋଲି ଚର୍ଚା ହେଉଛି।
• ବିଲିଓନେୟାର ସଂଖ୍ୟା ୩ ଗୁଣ ବଢ଼ିବ
୨୦୨୭ ସୁଦ୍ଧା ଭାରତର ବିଲିଓନେୟାର (୧୦୦ କୋଟିରୁ ଅଧିକ ସମ୍ପତ୍ତିର ମାଲିକ) ତିନି ଗୁଣ ବଢ଼ିଯିବ ବୋଲି ଆକଳନ କରାଯାଇଛି। ଭାରତରେ ଏବେ ୧୧୯ ଜଣ ବିଲିଓନେୟାର ରହିଛନ୍ତି। ୨୦୨୭ ବେଳକୁ ସେମାନଙ୍କ ସଂଖ୍ୟା ୩୫୭ରେ ପହଞ୍ଚିବ ବୋଲି ଆଶା କରାଯାଉଛି।
• ବିମାନବନ୍ଦରରେ ପ୍ରଥମ ରୋବଟ୍‌ ‘ରାଡା’
ଭିସ୍ତାରା ପକ୍ଷରୁ ଦିଲ୍ଲୀ ବିମାନ ବନ୍ଦରରେ ପ୍ରଥମ ରୋବଟ୍‌ ‘ରାଡା’କୁ ନିୟୋଜିତ କରାଯାଇଛି। ଆଟିର୍ଫିସିଆଲ୍‌ ଇଣ୍ଟେଲିଜେନ୍‌ସ (କୁତ୍ରିମ ବୁଦ୍ଧିମତା) ଦ୍ୱାରା ପରିଚାଳିତ ଏହି ରୋବଟ୍‌ ଯାତ୍ରୀମାନଙ୍କୁ ସ୍ୱାଗତ କରିବ ଓ ସେମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେବ। ଏହା ବୋର୍ଡିଂ ପାସ୍‌ ସ୍କାନ୍‌ କରିପାରିବ, ପାଣିପାଗ ସୂଚନା ଦେବ ଓ କେଉଁ ଗେଟ୍‌ରେ ବିମାନ ଲାଗିବ ତାହା ମଧ୍ୟ ଜଣାଇବ। ଜୁଲାଇ ୫ରୁ ଏହା ସେବା ପ୍ରଦାନ କରିବା ଆରମ୍ଭ କରିବ।

ଦେଶ

ସମ୍ବନ୍ଧିତ ଖବର