ଦଶ ମାସରେ ୨୦୦୦ ଏଟିଏମ୍‌ ବନ୍ଦ

ନୂଆଦିଲ୍ଲୀ: ଦେଶରେ ଦଶ ମାସ ମଧ୍ୟରେ ପ୍ରାୟ ଦୁଇ ହଜାର ଏଟିଏମ୍‌ ବନ୍ଦ ହୋଇଗଲାଣି। ୨୦୧୭ ମେ ମାସରୁ ୨୦୧୮ ଫେବ୍ରୁଆରି ମଧ୍ୟରେ ଦେଶର ବିଭିନ୍ନ ସ୍ଥାନରେ ଏସବୁ ଏଟିଏମ୍‌କୁ ବନ୍ଦ କରି ଦିଆଯାଇଛି ବୋଲି ରିଜର୍ଭ ବ୍ୟାଙ୍କ ତଥ୍ୟରୁ ଜଣାଯାଇଛି। ୨୦୧୭ ମେ ମାସରେ ଦେଶରେ ୧ ଲକ୍ଷ ୧୦ ହଜାର ୧୧୬ଟି ଅନ୍‌ସାଇଟ୍‌ ଏଟିଏମ୍‌ ଥିବାବେଳେ ୨୦୧୮ ଫେବ୍ରୁଆରି ବେଳକୁ ଏହା ୧ ଲକ୍ଷ ୭ ହଜାର ୬୩୦କୁ ଖସିଆସିଛି। କିନ୍ତୁ ଅଫ୍‌ସାଇଟ୍‌ ଏଟିଏମ୍‌ ଗୁଡ଼ିକ ସଂଖ୍ୟା ଏହି ସମୟ ମଧ୍ୟରେ ବୃଦ୍ଧି ଘଟିଛି। ୨୦୧୭ ମେ’ରେ ଅଫ୍‌ସାଇଟ୍‌ ଏଟିଏମ୍‌ ସଂଖ୍ୟା ୯୮ ହଜାର ୩୬୦ ରହିଥିଲା। ୨୦୧୮ ଫେବ୍ରୁଆରି ବେଳକୁ ଏହି ସଂଖ୍ୟା ୯୯ ହଜାର ୨୯ରେ ପହଞ୍ଚିଛି। ଉଲ୍ଲେଖଯୋଗ୍ୟ ଯେ, ବ୍ୟାଙ୍କ ଶାଖା ପରିସରରେ ରହିଥିବା ଏଟିଏମ୍‌ ଗୁଡ଼ିକୁ ଅନ୍‌ସାଇଟ୍‌ ଏଟିଏମ୍‌ କୁହାଯାଉଥିବା ବେଳେ ବ୍ୟାଙ୍କ ଶାଖା ଠାରୁ ଦୂରରେ ଖୋଲିଥିବା ଏଟିଏମ୍‌ଗୁଡ଼ିକୁ ଅଫ୍‌ସାଇଟ୍‌ ଏଟିଏମ୍‌ କୁହାଯାଇଥାଏ। ରିଜର୍ଭ ବ୍ୟାଙ୍କ ତଥ୍ୟରୁ ଏହା ଜଣାଯାଇଛି ଏହି ସମୟ ମଧ୍ୟରେ ଷ୍ଟେଟ ବ୍ୟାଙ୍କର ଅନ୍‌ସାଇଟ୍‌ ଏଟିଏମ୍‌ ସଂଖ୍ୟା ୨୯ ହଜାର ୧୫୦ରୁ ୨୬ ହଜାର ୫୦୫କୁ ହ୍ରାସ ଘଟିଛି। କିନ୍ତୁ ଷ୍ଟେଟ ବ୍ୟାଙ୍କର ଅଫ୍‌ସାଇଟ୍‌ ଏଟିଏମ୍‌ ସଂଖ୍ୟା ଏହି ସମୟ ମଧ୍ୟରେ ୨୯ ହଜାର ୯୧୭ରୁ ୩୨ ହଜାର ୬୮୦କୁ ବୃଦ୍ଧି ଘଟିଛି। ପଞ୍ଜାବ ନ୍ୟାସନ୍ୟାଲ ବ୍ୟାଙ୍କର ଅନ୍‌ସାଇଟ୍‌ ଏଟିଏମ୍‌ ସଂଖ୍ୟାରେ ୬୫୫ଟି ହ୍ରାସ ଘଟିଥିବାବେଳେ ଅଫ୍‌ସାଇଟ୍‌ ଏଟିଏମ୍‌ ସଂଖ୍ୟାରେ ୪୬୭ଟି ହ୍ରାସ ଘଟିଛି। ଏଟିଏମ୍‌ ସ୍ଥାପନ ସମେତ ରକ୍ଷଣାବେକ୍ଷଣ ବାବଦ ଖର୍ଚ୍ଚ ବୃଦ୍ଧି ଘଟୁଥିବାରୁ ବ୍ୟାଙ୍କ ଗୁଡ଼ିକ ଏଟିଏମ୍‌ ବନ୍ଦ କରୁଛନ୍ତି ବୋଲି ସର୍ବ ଭାରତୀୟ ବ୍ୟାଙ୍କ ଅଫିସର ମହାସଂଘର ସାଧାରଣ ସମ୍ପାଦକ ଡି. ଟି. ଫ୍ରାଙ୍କୋ ମତ ଦେଇଛନ୍ତି।

ସମ୍ବନ୍ଧିତ ଖବର