ଭୁବନେଶ୍ବର: ଆଲୁମିନିୟମ ଉତ୍ପାଦରେ ସମୃଦ୍ଧ ଥିବା କାନାଡାର ଏକ ପ୍ରଦେଶ ‘କୁବେକ୍’ର କିଛି ପ୍ରତିନିଧି ବ୍ୟବସାୟ ସମ୍ଭାବନା ଖୋଜିବା ପାଇଁ ଓଡ଼ିଶା ଆସିଛନ୍ତି। କାନାଡା ବାଣିଜ୍ୟ ରାଷ୍ଟ୍ରଦୂତର ନିର୍ଦେଶକ ଡୋମିନିକ୍ ମାର୍କୋଟେଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ଆସିଛି। ତାଙ୍କ ସହିତ ସେହି ପ୍ରଦେଶର ଛଅଟି କଂପାନି ଆସି ଆନ୍ତର୍ଜାତିକ ଆଲୁମିନିୟମ ପ୍ରଦର୍ଶନୀରେ ଅଂଶଗ୍ରହଣ କରିଛନ୍ତି। ଆଲୁମିନିୟମ କଂପାନିଗୁଡ଼ିକ ନିମନ୍ତେ ଉପକରଣ ଏବଂ ପ୍ରଯୁକ୍ତିକୁ ସେମାନେ ପ୍ରଦର୍ଶିତ କରିଛନ୍ତି। ଭାରତୀୟ ଆଲୁମିନିୟମ କଂପାନିଗୁଡ଼ିକୁ ଏହି ସବୁ ସଂସ୍ଥା ସେମାନଙ୍କ ଉପକରଣ ଯୋଗାଇବାକୁ ଚାହୁଛନ୍ତି। କଂପାନିଗୁଡ଼ିକ ହେଉଛି ଆଡ୍ଭାନସଡ୍ ଡାଇନାମିକ୍ସ, କୋମାଇଣ୍ଟେଲ୍, ଗ୍ରୁପ୍ ଇଡିଏସ୍, ମେକ୍ଫୋର୍, ମାଷ୍ଟରିଆ ସଲ୍ୟୁସନ୍ସ ଏବଂ ଷ୍ଟାଟସ୍।
ଏହି ସବୁ କଂପାନିର ପ୍ରତିନିଧି ଭାରତର ତିନି ଆଲୁମିନିୟମ କଂପାନି ନାଲ୍କୋ, ବେଦାନ୍ତ ଓ ହିଣ୍ଡାଲ୍କୋର ଝାରସୁଗୁଡ଼ା, ଲପଙ୍ଗା, ହିରାକୁଦ, ଅନୁଗୁଳ ଏବଂ ଭୁବନେଶ୍ବର ଠାରେ ଥିବା କାରଖାନା ଓ କାର୍ଯ୍ୟାଳୟ ପରିଦର୍ଶନ କରି କଂପାନିଗୁଡ଼ିକର ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି। ଏଠାକାର୍ କଂପାନିଗୁଡ଼ିକର କ’ଣ ସବୁ ଆବଶ୍ୟକତା ରହିଛି ତାହାକୁ ବୁଝିବାକୁ କୁବେକ୍ ପ୍ରତିନିଧି ଦଳ ପ୍ରୟାସ କରୁଛନ୍ତି। ଶ୍ରୀ ମାର୍କୋଟେ କହିଛନ୍ତି ଯେ, କୁବେକ୍ରେ ୯ଟି ଆଲୁମିନିୟମ ସ୍ମେଲଟର୍ ରହିଛି ଓ ସେମାନେ ଉତ୍ପାଦନ କରୁଥିବା ଆଲୁମିନିୟମ୍କୁ ୧୪୦୦ଟି କଂପାନି ଅନ୍ୟାନ୍ୟ ଉତ୍ପାଦରେ ପରିଣତ କରୁଛନ୍ତି। ଆମ ପ୍ରଦେଶରେ ୮ ଆର୍ଆଣ୍ଡ୍ଡି କେନ୍ଦ୍ର ଓ ୫୩ଟି ଉପକରଣ ଯୋଗାଣକାରୀ ରହିଛନ୍ତି। ଭାରତୀୟ ଆଲୁମିନିୟମ କଂପାନିଗୁଡ଼ିକ କୁବେକ୍ରୁ ଅନେକ ପ୍ରକାର ଉପକରଣ ହାସଲ କରି ଲାଭବାନ ହୋଇପାରିବେ ବୋଲି ସେ କହିଛନ୍ତି। କୁବେକ୍ର ଭାରତ ସହିତ ବ୍ୟବସାୟ ସମ୍ପର୍କ ବହୁତ ଭଲ ରହିଛି। ଏହି ପ୍ରଦେଶ ଭାରତରୁ ସୋୟା, ଔଷଧ, ତୈଳ ଓ ଲୁବ୍ରିକ୍ୟାଣ୍ଟ୍, ଫ୍ରୋଜେନ୍ ଫୁଡ୍, ରାସାୟନିକ ସାମଗ୍ରୀ, ସିନ୍ଥେସିସ୍ ଫାଇବର୍ ଏବଂ ବୟନ ସାମଗ୍ରୀ ଆମଦାନି କରୁଛି। ସେଠାରେ ୫୩ ହଜାର ଭାରତୀୟ ବାସ କରୁଥିବା ବେଳେ ୨୫୦୦ରୁ ଅଧିକ ଭାରତୀୟ ଛାତ୍ରଛାତ୍ରୀ କୁବେକ୍ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ପାଠ ପଢ଼ୁଛନ୍ତି। ଏହି ଅବସରରେ ଆଲୁକୁବେକ୍ର ୱାର୍କିଂ ଗ୍ରୁପ୍ସ ଡାଇରେକ୍ଟର ମାରି ଏଲାଇନ୍ ଜାକୋମେ, ଆନ୍ତର୍ଜାତିକ ବାଣିଜ୍ୟ ଉପଦେଷ୍ଟା ଗୁଇଲେର୍ମୋ ମୋୟାନୋ ଓ ଟ୍ରେଡ୍ କମିସନର ରୁପାଲି ସାଭେ ଉପସ୍ଥିତ ଥିଲେ।