‘ଆୟକର ବିଭାଗ ସୋସିଆଲ୍ ମିଡିଆ ଉପରେ ନଜର ରଖେନି’

ନୂଆଦିଲ୍ଲୀ: ଲୋକମାନଙ୍କ ଆୟ ବର୍ହିଭୂତ ସମ୍ପତ୍ତି ବିଷୟରେ ଜାଣିବା ପାଇଁ ସେମାନଙ୍କ ସୋସିଆଲ ମିଡିଆ ପୋଷ୍ଟ୍ ଉପରେ ଆୟକର ବିଭାଗ ନଜ‌ର ରଖୁଥିବା କଥା ଏକ ଭ୍ରାନ୍ତ ଧାରଣା। କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ (ସିବିଡିଟି)ର ମୁଖ୍ୟ ପି ସି ମୋଦୀ ଏହା କହିଛନ୍ତି।

ଆୟ ସମ୍ପର୍କିତ ଗୁପ୍ତ ସୂଚନା ହାସଲ କରିବା ପାଇଁ ଆୟକର ବିଭାଗ ପକ୍ଷରୁ ଲୋକମାନଙ୍କ ଫେସବୁକ୍, ଟ୍ବିଟର, ଇନଷ୍ଟାଗ୍ରାମ ଓ ଅନ୍ୟାନ୍ୟ ‌ସୋସିଆଲ ମିଡ଼ିଆ ଉପରେ ନଜର ରଖାଯାଉଛି ବୋଲି ଅତୀତରେ ଗଣମାଧ୍ୟମରେ ଅନେକ ରିପୋର୍ଟ ପ୍ରକାଶ ପାଇଥିଲା। ବିଶେଷ କରି ‌ଲୋକମାନଙ୍କ ବିଦେଶ ଭ୍ରମଣ, ଦାମୀ ଗାଡ଼ି ଆଦି ବିଷୟରେ ଗୁପ୍ତ ସୂଚନା ହାସଲ କରିବା ପାଇଁ ସୋସିଆଲ ମିଡିଆ ଉପରେ ନଜର ରଖାଯାଉଛି ବୋଲି ପ୍ରଚାର କରାଯାଇଥିଲା। ଏକ ସାକ୍ଷାତକାର ବେଳେ ମୋଦୀଙ୍କୁ ଏ ସଂକ୍ରାନ୍ତୀୟ ଏକ ପ୍ରଶ୍ନ ପଚରା ଯିବାରୁ ତାହାର ଉତ୍ତରରେ ସେ କହିଥିଲେ ଯେ, ଆମ ପାଖରେ ଲୋକମାନଙ୍କ ଆୟ ସମ୍ପର୍କିତ ଗୁପ୍ତ ସୂଚନା ହାସଲ କରିବାର ଅନେକ ବ୍ୟବସ୍ଥା ରହିଛି। ବିଭିନ୍ନ ପ୍ରକାର ଏଜେନ୍ସି ଠାରୁ ଆମ ପାଖକୁ ତଥ୍ୟ ଆସିଥାଏ। ଏହା ବାଦ ଆମ ପାଖରେ ଡାଟା ଆନାଲିଟିକ୍ସର ଏକ ଦୃଢ଼ ବ୍ୟବସ୍ଥା ରହିଛି। ‌ସୋସିଆଲ ମିଡିଆ ଉପରେ ଟିକସ ଅଧିକାରୀ ନଜର ରଖୁଥିବା ଖବର ହେଉଛି ଏକ ଭ୍ରାନ୍ତ ଧାରଣା। ଆମେ କାହିଁକି ସୋସିଆଲ ମିଡିଆ ଉପରେ ନଜର ରଖିବୁ ବୋଲି ସେ ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧିତ ଖବର