ଅର୍ଥମନ୍ତ୍ରୀଙ୍କ ଇଙ୍ଗିତ, ବଜେଟ୍‌ରେ ମିଳିବ ଆୟକର ରିହାତି

ନୂଆଦିଲ୍ଲୀ,: ଚଳିତ ଆର୍ଥିକ ବର୍ଷର ଦ୍ବିତୀୟ ତ୍ରୟମାସର ବିକାଶ ହାର ୪.୫ ପ୍ରତିଶତକୁ ଖସିଆସିଛି। ତେଣୁ ବିକାଶ ହାରରେ ସୁଧାର ଆଣିବା ଲାଗି ସରକାର ଆଗାମୀ ଦିନରେ ଅଧିକ କିଛି ପଦକ୍ଷେପ ନେବାକୁ ଯାଉଛନ୍ତି। ଏହା ମଧ୍ୟରେ ଆୟକର ହ୍ରାସ ମଧ୍ୟ ରହିଛି। ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ହିନ୍ଦୁସ୍ତାନ ଟାଇମ୍ସ ଲିଡର୍ସ ସମ୍ମିଳନୀରେ ଯୋଗଦେଇ ଏଭଳି ସୂଚନା ଦେଇଛନ୍ତି। ଜୁଲାଇ-ସେପ୍ଟେମ୍ବର ତ୍ରୟମାସରେ ଦେଶର ଜିଡିପି ଅଭିବୃଦ୍ଧି ଗତ ୨୬ଟି ତ୍ରୟମାସର ସର୍ବନିମ୍ନ ସ୍ତରରେ ପହଞ୍ଚିଛି। ଏହାର ପୂର୍ବ ତ୍ରୟମାସରେ ଜିଡିପି ଅଭିବୃଦ୍ଧି ୫ ପ୍ରତିଶତ ରହିଥିଲା। ଜିଡିପି ଅଭିବୃଦ୍ଧି କମୁଥିବାବେଳେ ଏଥିରେ ସୁଧାର ଆଣିବା ଲାଗି ସରକାର ଗତ ଅଗଷ୍ଟ ଏବଂ ସେପ୍ଟେମ୍ବର ମାସରେ ଏକାଧିକ ପଦକ୍ଷେପ ଘୋଷଣା କରିଛନ୍ତି। ଏଥିସହିତ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଗୁଡ଼ିକ ଗ୍ରାମାଞ୍ଚଳରେ ଚାହିଦା ବୃଦ୍ଧି ପାଇଁ ଗତ ଦୁଇ ମାସରେ ୫ ଲକ୍ଷ କୋଟି ଟଙ୍କାର ଋଣ ପ୍ରଦାନ କରିଛନ୍ତି। ତେଣୁ ବିଭିନ୍ନ ଉପାୟରେ ଖର୍ଚ୍ଚକୁ ପ୍ରୋତ୍ସାହିତ କରାଯାଉଛି। ସିଧାସଳଖ ପଦ୍ଧତି ସହିତ ଆମେ ଭିତ୍ତିଭୂମି କ୍ଷେତ୍ରରେ ମଧ୍ୟ ନିବେଶ କରୁଛୁ। ଏହାର ପ୍ରଭାବ ପ୍ରମୁଖ ଭିତ୍ତିଭୂମି କ୍ଷେତ୍ରର ଶ୍ରମିକ ଓ ଅନ୍ୟମାନଙ୍କ ଉପରେ ମଧ୍ୟ ଅନୁଭୂତ ହେବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ଅର୍ଥନୀତିକୁ ଗତିଶୀଳ କରିବା ପାଇଁ ଆଗାମୀ ଦିନରେ ଅଧିକ ‌ପଦକ୍ଷେପ ଘୋଷଣା ହୋଇପାରେ କି ବୋଲି ପ୍ରଶ୍ନ ହେବାରୁ ଅର୍ଥମନ୍ତ୍ରୀ କହିଛନ୍ତି, ସେ ଏ ନେଇ ବଜେଟ୍‌ରେ କିଛି ଘୋଷଣା ହୋଇପାରେ ବୋଲି ଇଙ୍ଗିତ କରିଛନ୍ତି। ବ୍ୟକ୍ତିଗତ ଆୟକରକୁ ଯୁକ୍ତିଯୁକ୍ତ କରିବା ପାଇଁ ସରକାର ବିଚାର କରୁଛନ୍ତି କି ବୋଲି ପ୍ରଶ୍ନ ହେବାରୁ ସେ କହିଥିଲେ ଆମେ ଯେଉଁସବୁ ପଦକ୍ଷେପ ବିଷୟରେ ବିଚାର କରୁଛୁ ତାହା ମଧ୍ୟରୁ ଏହା ଗୋଟିଏ।

ଉଲ୍ଲେଖଯୋଗ୍ୟ, ଗତ ସେପ୍ଟେମ୍ବରରେ ଅର୍ଥମନ୍ତ୍ରୀ କର୍ପୋରେଟ୍ ଟିକସ ହ୍ରାସ କରି ସାରିଛନ୍ତି। ଗତ ୨୮ ବର୍ଷ ମଧ୍ୟରେ ଏହା ସର୍ବବୃହତ୍ ହ୍ରାସ। ଏହି ଟିକସ ହ୍ରାସ ବାବଦରେ ସରକାରଙ୍କୁ ୧ ଲକ୍ଷ ୪୫ ହଜାର କୋଟି ଟଙ୍କାର ଆର୍ଥିକ ବୋଝ ବହନ କରିବାକୁ ପଡ଼ିଛି। ବର୍ତ୍ତମାନ ବ୍ୟବସାୟ କରୁଥିବା କମ୍ପାନି ଗୁଡ଼ିକର ମୂଳ କର୍ପୋରେଟ୍ ଟିକସ ୩୦ ପ୍ରତିଶତରୁ ୨୨ ପ୍ରତିଶତକୁ କମାଇ ଦିଆଯାଇଛି। ଏଥିସହିତ ୨୦୧୯ ଅକ୍ଟେବାର ୧ ପରେ ପଞ୍ଜୀକୃତ ହୋଇଥିବା ଏବଂ ୨୦୨୩ ମାର୍ଚ୍ଚ ୩୧ ପୂର୍ବରୁ ଉତ୍ପାଦନ କରିବାକୁ ଥିବା କମ୍ପାନି ଗୁଡ଼ିକର ଟିକସ ହାରକୁ ୨୫ ପ୍ରତିଶତ ପରିବର୍ତ୍ତେ ୧୫ ପ୍ରତିଶତକୁ କମାଇ ଦିଆଯାଇଛି। ଏହି ଘୋଷଣା ପରେ ବିଭିନ୍ନ ମହଲରୁ ଆୟକର ହ୍ରାସ ପାଇଁ ଦାବି ହେଉଛି। ଲୋକଙ୍କ ହାତରେ ଅଧିକ ଟଙ୍କା ରହିଲେ ସେମାନେ ଅଧିକ ମାତ୍ରାରେ ଖର୍ଚ୍ଚ କରିବାକୁ ସକ୍ଷମ ହେବେ ବୋଲି ଯୁକ୍ତିରେ ଏଭଳି ଦାବି କରାଯାଉଛି। ଟିକସଦାତାମାନେ ଯେଭଳି ଟିକସ ଅଧିକାରୀଙ୍କ ଦ୍ବାରା କୌଣସି ପ୍ରକାର ହଇରାଣ ନହୁଅନ୍ତି ସେଥିପାଇଁ ଫେସଲେସ୍ ଆକଳନ ବ୍ୟବସ୍ଥା ପୂର୍ବରୁ ଲାଗୁ କରାଯାଇଛି। ପରୋକ୍ଷ ଟିକସ କ୍ଷେତ୍ରରେ ମଧ୍ୟ ଏଭଳି ବ୍ୟବସ୍ଥା କରାଯିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ତେବେ ଜିଏସଟି ସଂକ୍ରାନ୍ତ ଜିଏସଟି ପରିଷଦ ଦ୍ବାରା ନିଆଯିବ ବୋଲି ସେ ସ୍ପଷ୍ଟ କରିଦେଇଛନ୍ତି। ସମ୍ପୂର୍ଣ୍ଣ ଟିକସ ବ୍ୟବସ୍ଥାକୁ ସରଳ କରାଯିବ ବୋଲି ଅର୍ଥମନ୍ତ୍ରୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର