ନୂଆ ସଫ୍ଟଓୟାରକୁ ବିରୋଧ, ଧର୍ମଘଟକୁ ଓହ୍ଲାଇବେ ଆୟକର କର୍ମଚାରୀ

ନୂଆଦିଲ୍ଲୀ: ଆୟକର ବିଭାଗ ପକ୍ଷରୁ କାର୍ଯ୍ୟକାରୀ କରାଯାଇଥିଲା ନୂଆ ସଫ୍ଟଓୟାର-ଆଇଟି ବିଜ୍‌ ଆପ୍ଲିକେସନ୍‌ (ଆଇଟିବିଏ)କୁ ବିଭାର କର୍ମଚାରୀ ଓ ଅଧିକାରୀମାନେ ଘୋର ବିରୋଧ କରିଛନ୍ତି। ବିଭାଗ ପକ୍ଷରୁ ଏହି ସଫ୍ଟଓୟାରକୁ ଅକ୍ଟୋବର ୧ରୁ କାର୍ଯ୍ୟକାରୀ କରାଯାଉଛି। କିନ୍ତୁ ଏହାର କାର୍ଯ୍ୟକାରିତାକୁ ଅତିକମ୍‌ରେ ୩ ମାସ ଘୁଞ୍ଚାଇ ଆସନ୍ତା ଜାନୁଆରି ୧ ତାରିଖରୁ କାର୍ଯ୍ୟକାରୀ କରିବା ପାଇଁ କର୍ମଚାରୀ ଓ ଅଫିସର ସଂଘଗୁଡ଼ିକ ଦାବି କରିଛନ୍ତି। ଦାବି ପୂରଣ ପାଇଁ ସଂଘ ପକ୍ଷରୁ ବିଭାଗକୁ ଅକ୍ଟୋବର ୩୧କୁ ଶେଷ ଦିନ ଭାବେ ଦିଆଯାଇଛି। ନୂଆ ସଫ୍ଟଓୟାର ସମ୍ପର୍କରେ ସେମାନଙ୍କୁ ଶିଖିବା ଲାଗି ସମୟ ଦେବା ସହିତ ବାହାରର ଠିକା କର୍ମଚାରୀଙ୍କ ମାଧ୍ୟମରେ ଏହି କାର୍ଯ୍ୟ କରିବାକୁ ବନ୍ଦ କରିବା ଲାଗି କୁହାଯାଇଛି। ଆୟକର କର୍ମଚାରୀ ମହାସଂଘ ଏବଂ ଆୟକର ଗେଜେଟେଡ ଅଫିସର ସଂଘ ପକ୍ଷରୁ ଏହି ଧର୍ମଘଟ ଧମକ ଦିଆଯାଇଛି। କିନ୍ତୁ ନିର୍ଦ୍ଦିଷ୍ଟ ଭାବେ କେବେ ଧର୍ମଘଟ ହେବ ସେ ନେଇ ତାରିଖ ଧାର୍ଯ୍ୟ ହୋଇନାହିଁ। ସିବିଡିଟି ଅଧ୍ୟକ୍ଷ ସୁଶୀଲ ଚନ୍ଦ୍ରା ଏବଂ ସଦସ୍ୟ ବି. ଡି. ବିଷ୍ଣୋଇଙ୍କ ସହିତ ଆଲୋଚନା ସଫଳ ନହେବା ପରେ ସଂଘ ଆନ୍ଦୋଳନକୁ ଓହ୍ଲାଇବାକୁ ନିଷ୍ପତ୍ତି ନେଇଛି। ସୂଚନାଯୋଗ୍ୟ ଯେ, ବିଭାଗ ପକ୍ଷରୁ ଏଏସ୍‌ଟି ସଫ୍ଟଓୟାର ସ୍ଥାନରେ ଆଇଟିବିଏ ସଫ୍ଟଓୟାରକୁ ଦେଶର ୭ଟି ବୃହତ୍‌ ମେଟ୍ରୋରେ ପର୍ଯ୍ୟାୟକ୍ରମେ କାର୍ଯ୍ୟକାରୀ କରାଯାଇଛି।

ସମ୍ବନ୍ଧିତ ଖବର