ଲାଞ୍ଜିଗଡ଼ କାରଖାନାର କ୍ଷମତା ୬ ନିୟୁତ ଟନ୍‌କୁ ବଢ଼ାଇବ ବେଦାନ୍ତ

ନୂଆଦିଲ୍ଲୀ: ଅନିଲ ଅଗ୍ରଓ୍ଵାଲଙ୍କ ବେଦାନ୍ତ ଲିମିଟେଡ ଏହାର ଲାଞ୍ଜିଗଡ଼ସ୍ଥିତ କାରଖାନାର ବାର୍ଷିକ ଆଲୁମିନା ବିଶୋଧନ କ୍ଷମତା ୨୦୨୧ ସୁଦ୍ଧା ୬ ନିୟୁତ ଟନ୍‌କୁ ବୃଦ୍ଧି କରିବ। ନିୟମଗିରି ପରିବର୍ତ୍ତେ ବିକଳ୍ପ ସୂତ୍ରରୁ ବକ୍ସାଇଟ୍‌ ସଂଗ୍ରହ କରି କମ୍ପାନି ଏହି କାରଖାନାର ବିଶୋଧନ କ୍ଷମତା ବୃଦ୍ଧି କରିବ ବୋଲି କମ୍ପାନିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ନିୟମଗିରିରୁ ବକ୍ସାଇଟ୍‌ ସଂଗ୍ରହ ନକରି ମଧ୍ୟ ଏହି ସମ୍ପ୍ରସାରଣ କାର୍ଯ୍ୟ କରାଯାଇ ପାରିବ ବୋଲି ଅଧିକାରୀ ଜଣକ କହିଛନ୍ତି। ଲାଞ୍ଜିଗଡ଼ କାରଖାନାର ବାର୍ଷିକ କ୍ଷମତା ୨ ନିୟୁତ ଟନ୍‌ ରହିଥିବା ବେଳେ ଗତ ଆର୍ଥିକ ବର୍ଷ ପ୍ରାୟ ୧.୨ ନିୟୁତ ଟନ୍‌ ଆଲୁମିନା ଉତ୍ପାଦନ କରିଛି। କମ୍ପାନିର ସିଇଓ (ଆଲୁମିନା ଓ ଶକ୍ତି ବ୍ୟବସାୟ) ଅଜୟ କୁମାର ଦୀକ୍ଷିତ କୁହନ୍ତି, ଏହି ପ୍ଲାଣ୍ଟକୁ ଏବେ ବର୍ଷକୁ ଅଢ଼େଇରୁ ତିନି ନିୟୁତ ଟନ୍‌ ବକ୍ସାଇଟ୍‌ ଆମଦାନି କରାଯାଉଥିବା ବେଳେ ଘରୋଇ ଉତ୍ସରୁ ପ୍ରାୟତଃ ସମାନ ପରିମାଣର ବକ୍ସାଇଟ୍‌ ସଂଗ୍ରହ କରାଯାଉଛି। ସମ୍ପ୍ରସାରଣ ପରେ କମ୍ପାନି ପାଇଁ ବାର୍ଷିକ ୧୮ ନିୟୁତ ଟନ୍‌ର ବକ୍ସାଇଟ୍‌ ଆବଶ୍ୟକ ହେବ।

ସମ୍ବନ୍ଧିତ ଖବର