ବଢ଼ିଲା ମାଲ୍ୟା, ନିରବଙ୍କ ସଙ୍କଟ

• ନିରବଙ୍କ ପାଖରେ ୬ଟି ପାସ୍‌ପୋର୍ଟ • ମାଲ୍ୟାଙ୍କ ବିରୋଧରେ ଇଡି ଦାଖଲ କରିବ ଚାର୍ଜସିଟ୍‌

ନୂଆଦିଲ୍ଲୀ,: କୋଟି କୋଟି ଟଙ୍କାର ବ୍ୟାଙ୍କ ଋଣ ଠକେଇ କରି ଦେଶ ଛାଡ଼ି ଚାଲିଯାଇଥିବା ଦୁଇ ବ୍ୟବସାୟୀ ବିଜୟ ମାଲ୍ୟା ଓ ନିରବ ମୋଦିଙ୍କ ସଙ୍କଟ ଆହୁରି ବଢ଼ିବ। ମାଲ୍ୟାଙ୍କ ବିରୋଧରେ ମନି ଲଣ୍ଡରିଂ ନିୟମ ଅନୁଯାୟୀ ଚାର୍ଜସିଟ୍‌ ଦାଖଲ କରାଯିବ। ସେହିପରି, ଏକାଧିକ ପାସ୍‌ପୋର୍ଟ ରଖିଥିବାରୁ ନିରବ ମୋଦିଙ୍କ ନାମରେ ନୂଆ ମାମଲା ଦାୟର କରାଯିବ। ମାଲ୍ୟାଙ୍କ ବିରୋଧରେ ମନି ଲଣ୍ଡରିଂକୁ ନେଇ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ପକ୍ଷରୁ କୋର୍ଟରେ ଚାର୍ଜସିଟ୍‌ ଦାଖଲ କରାଯିବ। ମାଲ୍ୟା ଓ ତାଙ୍କ କଂପାନିର ଥିବା ୯୦୦୦ କୋଟି ଟଙ୍କାର ସମ୍ପତ୍ତିକୁ ତୁରନ୍ତ ଜବତ କରିବାକୁ ଇଡି କୋର୍ଟଙ୍କ ଅନୁମତି ମାଗିବ। କିଛି ମାସ ତଳେ କାର୍ଯ୍ୟକାରୀ ହୋଇଥିବା ପଳାତକ ଅର୍ଥନୈତିକ ଅପରାଧ ଆଇନ ଅନୁଯାୟୀ ଇଡି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯାଉଛି। ଏହି ନିୟମ ଅନୁଯାୟୀ ମାଲ୍ୟାଙ୍କୁ ବିଧିବଦ୍ଧ ଭାବେ ପଳାତକ ଘୋଷଣା କରାଯିବ। ଅନ୍ୟ ପକ୍ଷରେ, ପିଏନ୍‌ବିରୁ ୧୩ ହଜାର କୋଟି ଟଙ୍କାର ଠକେଇ କରିଥିବା ନିରବ ମୋଦିଙ୍କ ନାମରେ ପୁଣି ଏକ ମାମଲା ଦାୟର କରାଯିବା ନେଇ ଚର୍ଚା ହେଉଛି। ସେ ଏକାଧିକ ପାସପୋର୍ଟ ରଖିଥିବାରୁ ତାଙ୍କ ବିରୋଧରେ ମାମଲା ଦାୟର କରାଯିବ। ପିଏନ୍‌ବି ଠକେଇର ପର୍ଦାଫାଶ ହେବା ପୂର୍ବରୁ ନିରବ ଦେଶ ଛାଡ଼ି ଚାଲିଯାଇଥିଲେ। ଏହା ପରେ ତାଙ୍କ ଭାରତୀୟ ପାସପୋର୍ଟକୁ ସରକାର ରଦ୍ଦ କରିଦେଇଥିଲେ। ଏବେ ତାଙ୍କ ପାଖରେ ଅତି କମ୍‌ରେ ୬ଟି ପାସପୋର୍ଟ ରହିଛି। ଚାରିଟି ନିଷ୍କ୍ରିୟ ହୋଇପଡ଼ିଥିବା ବେଳେ ଦୁଇଟି ପାସପୋର୍ଟ ସକ୍ରିୟ ରହିଛି। ଗୋଟିଏ ପାସପୋର୍ଟରେ ନିରବ ମୋଦିଙ୍କ ପୂରା ନାମ ରହିଥିବା ବେଳେ ଅନ୍ୟଟିରେ କେବଳ ତାଙ୍କ ପ୍ରଥମ ନାମ ରହିଛି। ତାଙ୍କ ପାଖରେ ୪୦ ସପ୍ତାହର ବ୍ରିଟେନ୍‌ ଭିସା ମଧ୍ୟ ଅଛି। କିଛି ସ୍ୱତନ୍ତ୍ର ବ୍ୟକ୍ତିଙ୍କୁ ବାଦ ଦେଲେ ଅନ୍ୟମାନଙ୍କ ପାଇଁ ଏକାଧିକ ପାସପୋର୍ଟ ରଖିବା ଅପରାଧ। ରଦ୍ଦ କରାଯାଇଥିବା ପାସପୋର୍ଟ ଜରିଆରେ ଯାତାୟାତ କରିବା ମଧ୍ୟ ବେଆଇନ। ଏଥିପାଇଁ ନିରବଙ୍କ ବିରୋଧରେ ଅପରାଧିକ ମାମଲା ଦାୟର କରାଯିବ।

ସମ୍ବନ୍ଧିତ ଖବର