‘ବିଶ୍ବ ଅଭିବୃଦ୍ଧି ହ୍ରାସ ପାଇଁ ଭାରତ ୮୦% ଦାୟୀ’: ଗୀତା ଗୋପୀନାଥ

ସରକାରଙ୍କୁ ତାଚ୍ଛଲ୍ୟ କଲେ ଚିଦମ୍ବରମ୍‌

ଡାଭୋସ୍‌: ଭାରତ ସମେତ ବିଶ୍ବ ଅର୍ଥନୀତିରେ ଏବେ ମାନ୍ଦାବସ୍ଥା ଦେଖାଦେଇଛି। ଭାରତର ଅଭିବୃଦ୍ଧି ଚଳିତବର୍ଷ ୪.୮%କୁ କମିଯିବ ବୋଲି ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍‌ଏଫ୍‌) ଗତକାଲି ନୂଆ ଆକଳନରେ କହିଛି। ସେହିଭଳି ବିଶ୍ବର ଅଭିବୃଦ୍ଧି ମଧ୍ୟ ୨୦୧୯ରେ ୨.୯%କୁ ଏବଂ ୩.୩ ପ୍ରତିଶତକୁ ହ୍ରାସ ପାଇବ। ଅକ୍ଟୋବରରେ ଆଇଏମ୍‌ଏଫ୍‌ କରିଥିବା ଆକଳନରେ ଭାରତର ଅଭିବୃଦ୍ଧି ୬.୧% ଏବଂ ବିଶ୍ବର ଅଭିବୃଦ୍ଧି ୩% ରହିବ ବୋଲି ଦର୍ଶାଇଥିଲା। ତେବେ ବିଶ୍ବ ଅଭିବୃଦ୍ଧି ହ୍ରାସରେ ଭାରତର ପ୍ରମୂଖ ଭୂମିକା ରହିବ। ଆଇଏମ୍‌ଏଫ୍‌ର ମୁଖ୍ୟ ଅର୍ଥନୀତିଜ୍ଞ ଗୀତା ଗୋପୀନାଥ ଏହା ସ୍ପଷ୍ଟ କରିଛନ୍ତି। ଏକ ସ୍ବତନ୍ତ୍ର ସାକ୍ଷାତକାରରେ ଭାରତର ଅଭିବୃଦ୍ଧି ହ୍ରାସ ବିଶ୍ବ ଅଭିବୃଦ୍ଧିର ହ୍ରାସ ଆକଳନକୁ କେତେମାତ୍ରାରେ ପ୍ରଭାବିତ କରିବ ବୋଲି ପଚରାଯିବାରୁ ସେ ୮୦%ରୁ ଅଧିକ ବୋଲି କହିଛନ୍ତି। ତାଙ୍କର ଏହି ମନ୍ତବ୍ୟରୁ ବିଶ୍ବ ଅର୍ଥନୀତି ପାଇଁ ଭାରତୀୟ ଅର୍ଥନୀତିର ଗୁରୁତ୍ବ କେତେ ତାହା ସ୍ପଷ୍ଟ ହୋଇଯାଇଛି। ଭାରତୀୟ ଅର୍ଥନୀତିରେ ସୁଧାର ଆଣିବା ଲାଗି ରାସ୍ତା କ’ଣ ବୋଲି ପ୍ରଶ୍ନରେ ଗୀତା କହିଛନ୍ତି ଆମେ ଏବେ ସୁଧାର ଦେଖୁଛୁ। ଆସନ୍ତା ଆର୍ଥିକ ବର୍ଷରେ ମଧ୍ୟ ଯଥେଷ୍ଟ ସୁଧାର ଆସିବ। ଅର୍ଥନୀତି ପାଇଁ ଭଲ ଆର୍ଥିକ ପ୍ୟାକେଜ ଘୋଷଣା କରାଯାଇଛି। ଉଦ୍ୟୋଗ ଜଗତ ପାଇଁ ଟିକସ ମଧ୍ୟ ହ୍ରାସ କରାଯାଇଛି। ତେଣୁ ଏସବୁ ସୁଧାରରେ ସହାୟକ ହେବା ଆଶା ରହିଛି। ତେବେ ବ୍ୟାଙ୍କ ଗୁଡ଼ିକର ଅନାଦାୟ ଋଣ ସମସ୍ୟାକୁ ଅଧିକ ହେବାକୁ ନଦେଇ ଅଭିବୃଦ୍ଧିକୁ କିଭଳି ଉଚ୍ଚସ୍ତରକୁ ନିଆଯାଇ ପାରିବ ତାହା ବଡ଼ ଚ୍ୟାଲେଞ୍ଜ ବୋଲି ସେ କହିଛନ୍ତି।

ସରକାରଙ୍କୁ ତାଚ୍ଛଲ୍ୟ କଲେ ଚିଦମ୍ବରମ୍‌
ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍‌ଏଫ୍‌) ଏବଂ ଏହାର ମୁଖ୍ୟ ଅର୍ଥନୀତିଜ୍ଞ ଭାରତର ଅଭିବୃଦ୍ଧି ଆକଳନକୁ ୪.୮%କୁ କମାଇ ଦେଇଛନ୍ତି। ଏହି ରିପୋର୍ଟ ପ୍ରକାଶ ପାଇବା ପରେ ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ତଥା ବରିଷ୍ଠ ‌କଂଗ୍ରେସ ନେତା ପି ଚିଦମ୍ବରମ। ସରକାରଙ୍କୁ ଏ ନେଇ ତାଚ୍ଛଲ୍ୟ ମଧ୍ୟ କରିଛନ୍ତି। ଆଇଏମ୍‌ଏଫ୍‌ ଏବଂ ଗୀତାଙ୍କୁ ସମାଲୋଚନା କରିବା ଆସନ୍ନ ବୋଲି ସେ ବ୍ୟଙ୍ଗୋକ୍ତି କରିଛନ୍ତି। ଚିଦମ୍ବରମ୍ ଏହା ମଧ୍ୟ କହିଛନ୍ତି ଯେ ଅନେକ ବାହ୍ୟ ସାଜସଜ୍ଜା ପରେ ଆଇଏମଏଫ ଭାରତର ଅଭିବୃଦ୍ଧି ୪.୮% ରହିବ ବୋଲି ଆକଳନ କରିଛନ୍ତି। କିନ୍ତୁ ଅଭିବୃଦ୍ଧି ଯଦି ଏହାଠାରୁ ଆହୁରି ତଳକୁ ଯାଏ ତାହେଲେ ଏଥିରେ କିଛି ଆଶ୍ଚର୍ଯ୍ୟ ହେବାର ନାହିଁ ବୋଲି ଚିଦମ୍ବରମ୍ କହିଛନ୍ତି। ଉଲ୍ଲେଖଯୋଗ୍ୟ, ପୂର୍ବରୁ ଗୀତା ଗୋପୀନାଥ ସରକାରଙ୍କ ବିମୁଦ୍ରୀକରଣକୁ ସମାଲୋଚନା କରିଥିଲେ।

ସମ୍ବନ୍ଧିତ ଖବର