ବିଶ୍ବ ମାନ୍ଦାବସ୍ଥାରୁ ବର୍ତ୍ତି ଯାଇପାରନ୍ତି ଭାରତ, ଚୀନ୍: ଅଙ୍କଟାଡ୍

ଜେନେଭା: କୋଭିଡ-୧୯ ପ୍ରଭାବରେ ସାରା ବିଶ୍ବ ଏବେ ମାନ୍ଦାବସ୍ଥାରେ ପଡ଼ିଛି। ଅନୁନ୍ନତ ଦେଶଠାରୁ ଆରମ୍ଭ କରି ବିକାଶଶୀଳ ଏବଂ ବିକଶିତ ଦେଶଗୁଡ଼ିକର ଅର୍ଥନୀତି ଠପ୍ ହୋଇଯାଇଛି। ବିଶ୍ବ ଅର୍ଥନୀତିକୁ ଲକ୍ଷ ‌ଲକ୍ଷ କୋଟି ଡଲାରର ଆର୍ଥିକ କ୍ଷତି ହେବ ବୋଲି ବିଭିନ୍ନ ସଂସ୍ଥା ଆକଳନ କରୁଛନ୍ତି। ‌ବିକାଶଶୀଳ ଦେଶଗୁଡ଼ିକ ପାଇଁ ‌କୋଭିଡ-୧୯ ଗୁରୁତର ସମସ୍ୟା ସୃଷ୍ଟି‌ କରିଲେ ମଧ୍ୟ ଭାରତ ଏବଂ ଚୀନ ଏଥିରୁ ବାଦ୍ ପଡ଼ିପାରନ୍ତି ବୋଲି ଜାତିସଂଘର ବାଣିଜ୍ୟ ସଂସ୍ଥା ଏହାର ନୂଆ ରିପୋର୍ଟରେ କହିଛି। ବିଶ୍ବର ଦୁଇ ତୃତୀୟାଂଶ ଲୋକ ବିକାଶଶୀଳ ଦେଶଗୁଡ଼ିକରେ ବାସ କରୁଛନ୍ତି। ଏମାନେ ‌କରୋନା ପାଇଁ ଗୁରୁତର ସମସ୍ୟାରେ ପଡ଼ିଛନତି। ଏହି ଅର୍ଥନୀତି ଗୁଡ଼ିକ ପାଇଁ ୨.୫ ଲକ୍ଷ କୋଟି ଡଲାର ମୂଲ୍ୟର ପ୍ୟାକେଜ ଆବଶ୍ୟକତା ରହିଛି ବୋଲି ଜାତିସଂଘ କହିଛି। କିନ୍ତୁ ଜାତିସଂଘ ବାଣିଜ୍ୟ ଏବଂ ବିକାଶ ସମ୍ମିଳନୀ (ଅଙ୍କଟାଡ) ପକ୍ଷରୁ କୋଭିଡ ସଂକ୍ରାନ୍ତ ଏକ ନୂଆ ଆକଳନରେ କୁହାଯାଇଛି, ବିଶ୍ବକୁ ଅଧିକ ପରିମାଣର ଉତ୍ପାଦ ରପ୍ତାନି କରୁଥିବା ଦେଶଗୁଡ଼ିକ ଆସନ୍ତା ୨ ବର୍ଷ ମଧ୍ୟରେ ୨ ଲକ୍ଷ କୋଟି ଡଲାରରୁ ୩ ଲକ୍ଷ କୋଟି ଡଲାର ପର୍ଯ୍ୟନ୍ତ ବିଦେଶୀ ନିବେଶ ହ୍ରାସ ପାଇବ। ଆମେରିକା, ଚୀନ୍ ସମେତ ଜି-୨୦ ରାଷ୍ଟ୍ରଗୁଡ଼ିକ ଆର୍ଥିକ ପ୍ୟାକେଜ ଆକାରରେ ସେମାନଙ୍କ ଅର୍ଥନୀତିକୁ ୫ ଲକ୍ଷ କୋଟି ଡଲାର ମୂଲ୍ୟର ପ୍ୟାକେଜ ପ୍ରଦାନ କରିବେ। କୋଭିଡ-୧୯ ପାଇଁ ଚଳିତବର୍ଷ ବିଶ୍ବ ଅର୍ଥନୀତିରେ ଯଦିଓ ମାନ୍ଦାବସ୍ଥା ଦେଖାଦେବ ତଥାପି ଭାରତ ଏବଂ ଚୀନ୍ ଏଥିରୁ ବର୍ତ୍ତିଯିବେ ବୋଲି କୁହାଯାଇଛି। ତେବେ କାହିଁକି ଏବଂ କିଭଳି ଏହି ଦୁଇ ଦେଶ ମାନ୍ଦାବସ୍ଥାରୁ ବର୍ତ୍ତିଯିବେ ସେ ନେଇ ରିପୋର୍ଟରେ କିଛି କୁହାଯାଇନାହିଁ।

ସମ୍ବନ୍ଧିତ ଖବର