୨୦୫୦ରେ ଆମେରିକାକୁ ଟପିବ ଭାରତ, ଚୀନ୍‌କୁ ଟପିପାରିବନି

ନୂଆଦିଲ୍ଲୀ: ଏସିଆ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଥିବା ୨୫ଟି ଦେଶକୁ ନେଇ ପ୍ରସ୍ତୁତ କରାଯାଇଥିବା ଏକ ରିପୋର୍ଟରେ ଆକଳନ କରାଯାଇଛି ଯେ ୨୦୫୦ ସୁଦ୍ଧା ଆମେରିକା ଅର୍ଥନୀତିକୁ ଟପିଯିବାର କ୍ଷମତା ଭାରତ ପାଖରେ ରହିଛି। ରିପୋର୍ଟରେ କୁହାଯାଇଛି ଯେ, ୨୦୫୦ ବେଳକୁ ଅଥନୈତିକ ମହାଶକ୍ତି ଭାବେ ଚୀନ୍‌ ଏକ ନମ୍ବର, ଭାରତ ଦ୍ୱିତୀୟ, ଆମେରିକା ତୃତୀୟ, ରୁଷିଆ ଚତୁର୍ଥ ଓ ଜାପାନ ପଞ୍ଚମ ସ୍ଥାନରେ ରହିବ। ଲାଓ୍ଵି ଇନଷ୍ଟିଚ୍ୟୁଟ୍‌ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ଏହି ରିପୋର୍ଟ କୁହାଯାଇଛି ଯେ, ୨୦୫୦ ବେଳକୁ ବିଶ୍ୱର ଚାରି ବଡ଼ ଅର୍ଥନୈତିକ ମହାଶକ୍ତି ଦେଶ ମଧ୍ୟରୁ ତିନିଟି ଦେଶ ଏସିଆ ମହାଦେଶର ହେବ। ବିଶ୍ୱର ଶକ୍ତି, ଅର୍ଥନୈତିକ କ୍ଷମତା ଓ ରଣନୀତିର କ୍ଷମତା ଧୀରେ ଧୀରେ ପ୍ରାଚ୍ୟ ଆଡ଼କୁ ମୁହାଁଉଛି ବୋଲି ଏଥିରେ ଉଲ୍ଲେଖ କରାଯାଇଛି। ତେବେ ଆମେରିକାକୁ ଟପିବାକୁ ହେଲେ ଭାରତକୁ ଅନେକ କ୍ଷେତରେ ଉତ୍କର୍ଷ ହାସଲ କରିବାକୁ ପଡ଼ିବ ବୋଲି ରିପୋର୍ଟରେ କୁହାଯାଇଛି। ବିଶ୍ୱ ସ୍ତରୀୟ କଂପାନି ସୃଷ୍ଟି କରିବାରେ ଅନ୍ୟ ଦେଶଗୁଡ଼ିକଠାରୁ ଭାରତ ବହୁ ପଛରେ ରହିଛି। ଆମେରିକାରେ ୫୬୪ଟି ବିଶ୍ୱ ସ୍ତରୀୟ କଂପାନି ଥିବା ବେଳେ ଭାରତରେ ମାତ୍ର ୫୮ଟି ସେଭଳି କଂପାନି ଅଛି। ବର୍ତ୍ତମାନ ସ୍ଥିତିରେ ଅର୍ଥନୀତି ପ୍ରତିରକ୍ଷା, କୂଟନୀତି ଓ ସଂସ୍କୃତି ଭଳି ୧୧୯ ପ୍ରକାର ମାନଦଣ୍ଡ ଆଧାରରେ ବିଭିନ୍ନ ଦେଶର ର‍୍ୟାଙ୍କ ପ୍ରସ୍ତୁତ କରାଯାଇଛି। ସେହି ତାଲିକାର ପ୍ରଥମ ପାଞ୍ଚଟି ସ୍ଥାନରେ ଅଛନ୍ତି ଆମେରିକା, ଚୀନ୍‌, ଜାପାନ, ଭାରତ ଓ ରୁଷିଆ। ଅଷ୍ଟ୍ରେଲିଆ ୬, ଦକ୍ଷିଣ କୋରିଆ ୭, ସିଙ୍ଗାପୁର ୮, ମାଲେସିଆ ୯, ଇଣ୍ଡୋନେସିଆ ୧୦, ପାକିସ୍ତାନ ୧୪, ଉତ୍ତର କୋରିଆ ୧୭, ବାଲାଂଦେଶ ୧୮, ମିଆଁମାର ଓ ଶ୍ରୀଲଙ୍କା ଯୁଗ୍ମ ଭାବେ ୨୦ ଓ ନେପାଳ ୨୫ତମ ସ୍ଥାନରେ ରହିଛି। ଏହି ରିପୋର୍ଟରେ କୁହାଯାଇଛି ଯେ ଭାରତର ଜନସଂଖ୍ୟା ଏବଂ ଗବେଷଣା ଓ ବିକାଶ କ୍ଷେତ୍ରରେ କମ୍‌ ପରିମାଣର ଖର୍ଚ୍ଚ ଏହାର ବିକାଶର ବାଧକ ହୋଇପାରେ। ଯଦି ଏହି ସମସ୍ୟାଗୁଡ଼ିକ ଭାରତ ସମାଧାନ କରିପାରିବ, ତେବେ ସହଜରେ ବିଶ୍ୱର ଏକ ପ୍ରମୁଖ ମହାଶକ୍ତି ଭାବେ ଉଭା ହେବ।

ସମ୍ବନ୍ଧିତ ଖବର