ଆଧାର, ୟୁପିଆଇକୁ ଗେଟ୍‌ସଙ୍କ ପ୍ରଶଂସା, ଭାରତକୁ ନେଇ ଆଶାବାଦୀ

ନୂଆଦିଲ୍ଲୀ: ମାନ୍ଦାବସ୍ଥା ଦେଇ ଗତି କରୁଥିବା ଭାରତୀୟ ଅର୍ଥନୀତିକୁ ନେଇ ଗୁରୁତ୍ବପୂର୍ଣ୍ଣ ଆକଳନ କରିଛନ୍ତି ବିଶ୍ବର ଏକ ନମ୍ବର ଧନୀ ବ୍ୟକ୍ତି ବିଲ୍ ଗେଟ୍‌ସ। ଦ୍ରୁତ ଗତିରେ ଆଗକୁ ବଢ଼ିବା ପାଇଁ ଭାରତ ପାଖରେ ସୁଯୋଗ ରହିଛି ବୋଲି ସେ କହିଛନ୍ତି। ସେ କହିଛନ୍ତି, ନିକଟ ଭବିଷ୍ୟତରେ କ’ଣ ହେବ ମୁଁ କହିପାରୁନି। କିନ୍ତୁ ଦୀର୍ଘମିଆଦୀ ଭିତ୍ତିରେ ଦ୍ରୁତ ଗତିରେ ଆଗକୁ ବଢ଼ିବାର ସୁଯୋଗ ଭାରତ ପାଖରେ ରହିଛି। ଏହା ଦ୍ବାରା ଆସନ୍ତା ଦଶନ୍ଧିରେ ଅନେକ ଲୋକ ଦାରିଦ୍ର୍ୟରୁ ମୁକ୍ତ ହୋଇପାରିବେ। ସ୍ବାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରରେ ପୁଞ୍ଜିନିବେଶ ବଢ଼ାଇବା ପାଇଁ ମଧ୍ୟ ସରକାରଙ୍କ ପାଖରେ ବିଶେଷ ସୁଯୋଗ ରହିବ। ତିନି ଦିନିଆ ଭାରତ ଗସ୍ତରେ ଆସିଥିବା ଗେଟ୍‌ସ ‘ଆଧାର’ ପରିଚୟ ବ୍ୟବସ୍ଥାକୁ ପ୍ରଶଂସା‌ କରିଛନ୍ତି। ଆର୍ଥିକ ସେବା ଓ ଫାର୍ମାସ୍ୟୁଟିକାଲ୍ କ୍ଷେତ୍ରର ପ୍ରଦର୍ଶନକୁ ନେଇ ମଧ୍ୟ ସେ ଖୁସି ବ୍ୟକ୍ତ କରିଛନ୍ତି। ସେ କହି‌ଛନ୍ତି, ଆର୍ଥିକ ସେବା କ୍ଷେତ୍ରରେ ଅଭିନବ ଚିନ୍ତାଧାରାକୁ କାର୍ଯ୍ୟକାରୀ କରିବାରେ ଭାରତ ସଫଳତା ହାସଲ କରିଛି। ୟୁନିଫାଏଡ୍‌ ପେମେଣ୍ଟ୍‌ ଇଣ୍ଟରଫେସ୍‌ (ୟୁପିଆଇ)ର ଗ୍ରହଣୀୟତା ଯେଉଁଭଳି ଭାବେ ବଢ଼ିଛି ତାହା ବେଶ୍‌ ଉଲ୍ଲେଖନୀୟ। ଏହା ଆମ ପାଇଁ ଏକ ଉଦାହରଣ। ଆର୍ଥିକ ସେବା ଓ ଡିଜିଟାଲ୍‌ ପରିଚୟ କ୍ଷେତ୍ରରେ ଭାରତ ଯେଉଁ ସଫଳତା ହାସଲ କରିଛି ତାହାକୁ କିଭଳି ଅନ୍ୟ ଦେଶଗୁଡ଼ିକରେ ଲାଗୁ କରାଯାଇପାରିବ ସେ ନେଇ ଆମେ ନନ୍ଦନ ନିଲେକାନିଙ୍କ ଭଳି ବ୍ୟକ୍ତିଙ୍କ ସହିତ ସହଯୋଗିତା ସ୍ଥାପନ କରିଛୁ ବୋଲି ସେ କହିଛନ୍ତି। ଟିକା ଉତ୍ପାଦନରେ ଭାରତ ହାସଲ କରିଥିବା ସଫଳତାକୁ ମଧ୍ୟ ସେ ପ୍ରଶଂସା କରିଛନ୍ତି।

ସମ୍ବନ୍ଧିତ ଖବର