ପ୍ରଥମ ଥର ଇଣ୍ଟରନେଟ୍‌ ବ୍ୟବହାରକାରୀ ଭାରତରେ ସବୁଠୁ ଅଧିକ

ନୂଆଦିଲ୍ଲୀ: ୟୁଏନ୍‌ କନ୍‌ଫରେନ୍ସ ଅନ୍‌ ଟ୍ରେଡ୍‌ ଆଣ୍ଡ୍‌ ଡେଭେଲପ୍‌ମେଣ୍ଟ୍‌ (ଅଙ୍କ୍‌ଟାଡ୍‌) ପକ୍ଷରୁ କୁହାଯାଇଛି ଯେ ୨୦୧୨ରୁ ୨୦୧୫ ମଧ୍ୟରେ ପ୍ରଥମ ଥର ପାଇଁ ଇଣ୍ଟରନେଟ୍‌ ବ୍ୟବହାର କରୁଥିବା ଲୋକଙ୍କ ସଂଖ୍ୟା ଭାରତରେ ଅଧିକ ଥିଲା। ଏହି ସମୟରେ ୧୭.୮ କୋଟି ଭାରତୀୟ ଇଣ୍ଟରନେଟ୍‌ ଦୁନିଆରେ ପ୍ରଥମ ଥର ପାଇଁ ପ୍ରବେଶ କରିଥିଲେ। ସେଭଳି ଲୋକଙ୍କ ସଂଖ୍ୟା ଚୀନ୍‌, ବ୍ରାଜିଲ୍‌, ଜାପାନ, ପାକିସ୍ତାନ ଏବଂ ବାଲାଂଦେଶର ପ୍ରଥମ ଥର ଇଣ୍ଟରନେଟ୍‌ ବ୍ୟବହାର କରିଥିବା ଲୋକଙ୍କ ସଂଖ୍ୟାଠାରୁ ଅଧିକ।

ଅଙ୍କ୍‌ଟାଡ୍‌ ପକ୍ଷରୁ ଜାରି କରାଯାଇଥିବା ଏକ ରିପୋର୍ଟରେ କୁହାଯାଇଛି ଯେ ଅଧିକରୁ ଅଧିକ ଲୋକ ଅନ୍‌୍‌୍‌୍‌ଲାଇନ୍‌ କ୍ଷେତ୍ରରେ ପ୍ରବେଶ କରିଥିବାରୁ ସାମଗ୍ରୀ ଏବଂ ସେବା କିଣିବା ପରିମାଣ ବୃଦ୍ଧି ପାଇବ। ଅଧିକ ଲୋକ ସରକାରଙ୍କ ସହ ସମ୍ପର୍କ ସ୍ଥାପନ କରିପାରିବେ ଏବଂ ଅର୍ଥନୈତିକ ଅଭିବୃଦ୍ଧି ପ୍ରକ୍ରିୟାରେ ଭାଗ ନେଇପାରିବେ ବୋଲି ରିପୋର୍ଟରେ କୁହାଯାଇଛି।

୨୦୧୨-୨୦୧୫ ଭିତରେ ସାରା ଦୁନିଆରେ ୭୫୦ ନିୟୁତ ଲୋକ ଅନ୍‌ଲାଇନ୍‌ ଦୁନଆରେ ପ୍ରଥମ ଥର ପାଇଁ ପ୍ରବେଶ କରିଥିଲେ। ସେଥି ମଧ୍ୟରୁ ୯୦% ହେଉଛନ୍ତି ବିକାଶଶୀଳ ରାଷ୍ଟ୍ରରେ ବାସ କରୁଥିବା ଲୋକ। ଏହି ସମୟରେ ସର୍ବାଧିକ ୧୭.୮ କୋଟି ଭାରତୀୟ ଏବଂ ୧୨.୨ କୋଟି ଚୀନ୍‌ ନାଗରିକ ଇଣ୍ଟରନେଟ୍‌ ଦୁନିଆରେ ପ୍ରବେଶ କରିଥିଲେ। ଭାରତ ସରକାର ଡିଜିଟାଲ୍‌ କାରବାରକୁ ବଢ଼ାଇବା ପାଇଁ ପ୍ରୟାସ କରୁଥିବା ବେଳେ ଇଣ୍ଟରନେଟ୍‌ ବ୍ୟବହାରକାରୀଙ୍କ ସଂଖ୍ୟା ଦେଶରେ ବଢ଼ିବା ଏକ ସକାରାତ୍ମକ ସଙ୍କେତ। ଏହି ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ ୨୦୧୨-୧୫ ଭିତରେ ଭାରତ, ମେକ୍ସିକୋ ଏବଂ ନାଇଜେରିଆରେ ଇଣ୍ଟରନେଟ୍‌ ବ୍ୟବହାରରେ ଅଭିବୃଦ୍ଧି ହାର ୪-୬% ସ୍ତରରେ ରହିଛି। ଏଭଳି ଅଭିବୃଦ୍ଧି ହାର ଜାପାନ ଭଳି ବିକଶିତ ରାଷ୍ଟ୍ରଗୁଡ଼ିକରେ କମ୍‌ । ବାଲାଂଦେଶ, ଇରାନ ଏବଂ ପାକିସ୍ତାନର ଅନେକ ନାଗରିକ ମଧ୍ୟ ଏହି ସମୟରେ ଅନଲାଇନ୍‌ ଦୁନିଆରେ ପ୍ରବେଶ କରିଛନ୍ତି। ବ୍ରାଜିଲ୍‌ ଏବଂ ଚୀନ୍‌ରେ ୫୦%ରୁ ଅଧିକ ଲୋକ ଇଣ୍ଟରନେଟ୍‌ ବ୍ୟବହାର କରୁଥିବା ବେଳେ ଭାରତରେ ଏକ ଚତୁର୍ଥାଂଶରୁ ସାମାନ୍ୟ କିଛି ଅଧିକ ଲୋକ ଇଣ୍ଟରନେଟ୍‌ ବ୍ୟବହାର କରୁଛନ୍ତି। ଆଗାମୀ ଦିନରେ ବିକାଶଶୀଳ ରାଷ୍ଟ୍ରଗୁଡ଼ିକରେ ଅଧିକ ପ୍ରଥମ ଥର ଇଣ୍ଟରନେଟ୍‌ ବ୍ୟବହାରକାରୀ ସୃଷ୍ଟି ହେବେ କାରଣ ଏହି ସବୁ ଦେଶରେ ସେଥିପାଇଁ ସୁଯୋଗ ରହିଛି। ବିକଶିତ ରାଷ୍ଟ୍ରଗୁଡ଼ିକରେ ଇଣ୍ଟରନେଟ୍‌ ବ୍ୟବହାର ପ୍ରାୟ ସମସ୍ତ ଲୋକଙ୍କ ପାଖରେ ପହଞ୍ଚିଗଲାଣି। ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ ପାରମ୍ପରିକ ଭାବେ ଡେବିଟ୍‌ କାର୍ଡ ଏବଂ କ୍ରେଡିଟ୍‌ କାର୍ଡକୁ ପେମେଣ୍ଟ୍‌ ପାଇଁ ବ୍ୟବହାର କରୁଥିବା ଲୋକମାନେ ଇ-ଓ୍ଵାଲେଟ୍‌ ଭଳି ସୁବିଧାକୁ ଅଧିକ ପସନ୍ଦ କରିବେ।

ସମ୍ବନ୍ଧିତ ଖବର