ବିଦେଶରୁ ଧନ ପଠାଇବାରେ ନମ୍ବର ୱାନ୍‌

ୱାସିଂଟନ: ବିଦେଶରେ ରହୁଥିବା ଭାରତୀୟମାନେ ଦେଶକୁ ଟଙ୍କା ପଠାଇବାରେ ବିଶ୍ବରେ ସବୁଠୁ ଆଗରେ ରହିଛନ୍ତି। ୨୦୧୮ ବର୍ଷରେ ପ୍ରବାସୀ ଭାରତୀୟମାନେ ମୋଟ ୭୯ ବିଲିଅନ ଡଲାର ବା ୫,୫୩,୦୦୦ କୋଟି ଟଙ୍କା ପ୍ରେରଣ କରିଛନ୍ତି। ବିଶ୍ବବ୍ୟାଙ୍କ ପକ୍ଷରୁ ସୋମବାର ଏହି ରିପୋର୍ଟ ପ୍ରକାଶ ପାଇଛି। ଭାରତ ପଛକୁ ଦ୍ବିତୀୟ ସ୍ଥାନରେ ଚୀନ୍ ରହିଛି। ଚୀନର ପ୍ରବାସୀ ନାଗରିକମାନେ ସେମାନଙ୍କ ଦେଶକୁ ୬୭ ବିଲିଅନ ଡଲାର ଅର୍ଥ ପଠାଇଛନ୍ତି। ଏହାପଛକୁ ମେକ୍ସିକୋ ୩୬ ବିଲିଅନ ଡଲାର, ଫିଲିପାଇନ୍ସ ୩୪ ବିଲିଅନ ଡଲାର, ଇଜିପ୍ଟ ୨୯ ବିଲିଅନ ଡଲାର ଅର୍ଥ ସହିତ ଯଥାକ୍ରମେ ତୃତୀୟ, ଚତୁର୍ଥ ଏବଂ ପଞ୍ଚମ ସ୍ଥାନରେ ରହିଛନ୍ତି।
କେବଳ‌ ସେତିକି ନୁହେଁ, ଗତ ତିନି ବର୍ଷ ହେଲା ପ୍ରବାସୀ ଭାରତୀୟମାନେ ଭାରତକୁ ଅଧିକରୁ ଅଧିକ ମାତ୍ରା‌ରେ ଟଙ୍କା ପଠାଇବାରେ ଲାଗିଛନ୍ତି। ପୂର୍ବରୁ ୨୦୧୬ରେ ଭାରତୀୟମାନେ ୬୨.୭ ବିଲିଅନ ଡଲାର ଏବଂ ୨୦୧୭ରେ ୬୫.୩ ବିଲିଅନ ଡଲାର ଅର୍ଥ ପଠାଇଥିଲେ। ତେଣୁ ୨୦୧୭ ତୁଳନାରେ ୨୦୧୮ରେ ପ୍ରବାସୀ ଭାରତୀୟମାନେ ଦେଶକୁ ଅଧିକ ୧୪ ପ୍ରତିଶତ ଅର୍ଥ ପ୍ରେରଣ କରିଛନ୍ତି। ତେବେ ପ୍ରବାସୀ ପାକିସ୍ତାନୀମାନେ ସେମାନଙ୍କ ଦେଶକୁ ଚଳିତବର୍ଷ ମାତ୍ର ୭ ପ୍ରତିଶତ ଅଧିକ ଅର୍ଥ ପ୍ରେରଣ କରିଥିବାବେଳେ ପ୍ରବାସୀ ବାଂଲାଦେଶୀମାନେ ବାଂଲାଦେଶକୁ ଅଧିକ ୧୫ ପ୍ରତିଶତ ଅର୍ଥ ପ୍ରେରଣ କରିଛନ୍ତି। ରିପୋର୍ଟ ଅନୁଯାୟୀ, ନିମ୍ନରୁ ମଧ୍ୟମ ଆୟବର୍ଗର ଦେଶ ଗୁଡ଼ିକୁ ୨୦୧୮ରେ ମୋଟ ୫୨୯ ବିଲିଅନ ଅର୍ଥ ପଠାଯାଇଛି। ୨୦୧୭ରେ ଏହି ଦେଶଗୁଡ଼ିକୁ ମୋଟ ୪୮୩ ବିଲିଅନ ଡଲାର ଅର୍ଥ ଆସିଥିଲା। ତେବେ ଉଚ୍ଚ ଆୟବର୍ଗର ଦେଶଗୁଡ଼ିକୁ ମିଶାଇଲେ ୨୦୧୮ରେ ମୋଟ ୬୮୯ ବିଲିଅନ ଡଲାର ଅର୍ଥ ପ୍ରେରଣ କରାଯାଇଛି, ଯାହାକି ୨୦୧୭ରେ ୬୩୩ ବିଲିଅନ ଡଲାର ଥିଲା। ଦକ୍ଷିଣ ଏସିଆକୁ ୨୦୧୮ରେ ମୋଟ ୧୩୧ ବିଲିଅନ ଡଲାର ଅର୍ଥ ଆସିଛି। ୨୦୧୭ରେ ଦକ୍ଷିଣ ଏସିଆକୁ ଆସିଥିବା ଅର୍ଥ ତୁଳନାରେ ତୁଳନାରେ ଏହା ୧୨ ପ୍ରତିଶତ ଅଧିକ। ତେବେ ୨୦୧୭ରେ ୬ ପ୍ରତିଶତ ଅଧିକ ଅର୍ଥ ଦକ୍ଷିଣ ଏସିଆକୁ ଆସିଥିଲା।

ଭାରତ ବଢ଼ିବ, ଚୀନ୍ ଖସିବ:ଆଇଏମ୍ଏଫ୍‌
ୱାସିଂଟନ: ଭାରତର ଜିଡିପି ଅଭିବୃଦ୍ଧି ନେଇ କିଛି ଦିନ ପୂର୍ବେ ବିଶ୍ବ ବ୍ୟାଙ୍କ ଯେଉଁ ଆକଳନ କରିଥିଲା ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍‌ଏଫ୍‌) ଆଜି ଠିକ୍ ସମାନ ଆକଳନ କରିଛି। ୨୦୨୦ରେ ଭାରତର ଜିଡିପି ଅଭିବୃଦ୍ଧି ୭.୫ ପ୍ରତିଶତ ରହିବ ବୋଲି ବିଶ୍ବର ଏହି ଦୁଇଟି ସଂସ୍ଥା ଆକଳନ କରିଛନ୍ତି। ତେବେ ୨୦୧୯ ନିମନ୍ତେ ଏହି ଦୁଇଟି ସଂସ୍ଥା ଭାରତ ପାଇଁ କରିଥିବା ଆକଳନରେ ସାମାନ୍ୟ ପ୍ରାର୍ଥକ୍ୟ ରହିଛି। ୨୦୧୯ରେ ଭାରତର ଜିଡିପି ଅଭିବୃଦ୍ଧି ୭.୨ ପ୍ରତିଶତ ରହିବ ବୋଲି ବିଶ୍ବବ୍ୟାଙ୍କ ଆକଳନ କରିଥିବାବେଳେ ଆଇଏମଏଫ ୭.୩ ପ୍ରତିଶତ ରହିବ ବୋଲି ଦର୍ଶାଇଛି। ବ୍ୟୟ ଏବଂ ନିବେଶରେ ବଡ଼ ଧରଣର ସୁଧାର ଯୋଗୁ ଭାରତ ଏହି ଅଭିବୃଦ୍ଧି ହାସଲ କରିବ ବୋଲି ଆଇଏମଏଫ୍ କହିଛି।
୨୦୧୮ରେ ଭାରତର ଅଭିବୃଦ୍ଧି ୭.୧ ପ୍ରତିଶତ ରହିଥିଲା। ତେବେ ଚୀନ ଏହି ବର୍ଷ ୬.୬ ପ୍ରତିଶତ ହାରରେ ଆଗକୁ ବଢ଼ିଥିଲା। ୨୦୧୯ ଏବଂ ୨୦୨୦ରେ ଚୀନର ଅଭିବୃଦ୍ଧି କମି ଯଥାକ୍ରମେ ୬.୩ ପ୍ରତିଶତ ଏବଂ ୬.୧ ପ୍ରତିଶତ ରହିବ ବୋଲି ଆଇଏମଏଫ ଏବଂ ବିଶ୍ବବ୍ୟାଙ୍କର ବାର୍ଷିକ ବୈଠକ ପୂର୍ବରୁ ପ୍ରକାଶ ପାଇଥିବା ସଦ୍ୟତମ ବିଶ୍ବ ଅର୍ଥନୈତିକ ଦୃଶ୍ୟପଟ ଆକଳନରେ କୁହାଯାଇଛି। ତେଣୁ ଏହି ଆକଳନକୁ ଦେଖିଲେ ଚୀନର ଅଭିବୃଦ୍ଧି ତଳକୁ ଖସିବାକୁ ଥିବାବେଳେ ଭାରତର ଅଭିବୃଦ୍ଧି ଉପରକୁ ଉଠିବ। ମଧ୍ୟମ ଅବଧିରେ ଭାରତର ଅଭିବୃଦ୍ଧି ୭.୭୫ ପ୍ରତିଶତ ପାଖାପାଖିରେ ରହିବ।

ସମ୍ବନ୍ଧିତ ଖବର