ଭାରତକୁ ଲାଭ ପହଞ୍ଚାଇବ ବାଣିଜ୍ୟ ଲଢ଼େଇ

ନୂଆଦିଲ୍ଲୀ: ବିଶ୍ବରେ ଆରମ୍ଭ ହୋଇଥିବା ବାଣିଜ୍ୟ ଲଢ଼େଇ ଯୋଗୁ ଭାରତ ଲାଭରେ ରହିବ। ପ୍ରାରମ୍ଭିକ ପର୍ଯ୍ୟାୟରେ ଏହା ଅସ୍ଥିରତା ସୃଷ୍ଟି କରିପାରେ। କିନ୍ତୁ ପରେ ଏହା ଭାରତ ପାଇଁ ଏହା ସୁଯୋଗ ସୃଷ୍ଟି କରିବ। ଏହା ଭାରତକୁ ଏକ ବଡ଼ ବାଣିଜ୍ୟ ଓ ଉତ୍ପାଦନ କେନ୍ଦ୍ରରେ ପରିଣତ କରିବ ବୋଲି ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ କହିଛନ୍ତି। ପିଏଚଡି ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିଜର ବାର୍ଷିକ ଅଧିବେଶନକୁ ଭିଡିଓ କନଫେରେନ୍ସିଂ ମାଧ୍ୟମରେ ଉଦବୋଧନ ଦେଇ ଜେଟଲୀ ଏହା କହିଛନ୍ତି। ବ୍ୟବସାୟ ପ୍ରତିଷ୍ଠାନ ଗୁଡ଼ିକ ନୈତିକତା ଅବଲମ୍ବନ କରିବା ସହିତ ସେମାନଙ୍କ ଟିକସ ଭାଗ ସରକାରଙ୍କୁ ଦେବାକୁ ଜେଟଲୀ ପରାମର୍ଶ ଦେଇଛନ୍ତି। ଦେବାଳିଆ କୋଡ ବା ଆଇବିସି ଆସିବା ପରେ ରାତାରାତି ଉଭାନ ହୋଇ ଯାଉଥିବା ସଂସ୍ଥା ପାଇଁ ସ୍ଥିତି ଜଟିଳ ହୋଇପଡ଼ିବ ବୋଲି ସେ କହିଛନ୍ତି। ଆମେରିକା ଓ ଚୀନ୍ ମଧ୍ୟରେ ବାଣିଜ୍ୟ ଲଢ଼େଇ ଆରମ୍ଭ ହେବା ପରେ ଭାରତରେ ନିର୍ମାଣ ହେଉଥିବା ବିଭିନ୍ନ ଯନ୍ତ୍ରାଂଶ, ଇଲେକ୍ଟିକ ଉପକରଣ, ଗାଡ଼ି, ପରିବହନ ଉପକରଣ, ରାସାୟନିକ, ପ୍ଲାଷ୍ଟିକ ଓ ରବର ସାମଗ୍ରୀ ଆଦି ଆମେରିକା ବଜାରରେ ପ୍ରତିଯୋଗିତା ମୂଳକ ମୂଲ୍ୟରେ ଉପଲବ୍ଧ ହୋଇପାରିବ। ତେବେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ବୃଦ୍ଧି ଭାରତ ପାଇଁ ଚାଲେଞ୍ଜ ଆଣିଥିଲେ ମଧ୍ୟ ଆଗାମୀ ଦିନରେ ଆଗକୁ ବଢ଼ିବା ପାଇଁ ଭାରତ ନିକଟରେ ଅନେକ ସୁଯୋଗ ରହିଛି ବୋଲି ଜେଟଲୀ କହିଛନ୍ତି।

ସମ୍ବନ୍ଧିତ ଖବର