ଇରାନ ତେଲ ଆମଦାନୀ କଟକଣା, ବିକଳ୍ପ ଖୋଜୁଛି ଭାରତ

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନରୁ ତେଲ ଆମଦାନୀ ଉପରେ କଟକଣା ଲାଗୁ କରିବା ପରେ ଭାରତର ଚିନ୍ତା ବଢ଼ିଯାଇଛି। ଭାରତ ବର୍ଷକୁ ପ୍ରାୟ ୨୩.୫ ନିୟୁତ ଟନ୍ ଅଶୋଧିତ ତେଲ ଇରାନରୁ ଆମଦାନୀ କରିଥାଏ। ଭାରତର ମୋଟ ତେଲ ଆମଦାନୀରେ ଇରାନର ଯୋଗଦାନ ପ୍ରାୟ ୧୦ ପ୍ରତିଶତରୁ ଅଧିକ ରହିଥାଏ। ତେଣୁ ଏତେ ପରିମାଣର ତେଲ ଆମଦାନୀ ଅନୁମତି ଭାରତକୁ ନମିଳିବା ଫଳରେ ସରକାରଙ୍କ ଚିନ୍ତା ବଢ଼ିଯାଇଛି। ସରକାର ଏବେ ଇରାନ ପରିବର୍ତ୍ତେ ଅନ୍ୟ କୌଣସି ଦେଶରୁ ତେଲ ଆସିପାରିବ ସେ ନେଇ ମାନସ ମନ୍ଥନ ଆରମ୍ଭ କରିଦେଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ସରକାରୀ ଅଧିକାରୀମାନେ ପଶ୍ଚିମ ଏସୀୟ ଦେଶ ସାଉଦି ଆରବ, କୁଏତ୍ ଏବଂ ସଂଯୁକ୍ତ ଆରବ ଏମିରେଟ୍ସରୁ ଅଧିକ ମାତ୍ରାରେ ତେଲ ଆମଦାନୀ ପାଇଁ ଉଦ୍ୟମ ଚଳାଇଛନ୍ତି। ଏସବୁ ଦେଶ ଗୁଡ଼ିକ ସହିତ ଭାରତର ରହିଥିବା ଉତ୍ତମ ସମ୍ପର୍କକୁ ଆଧାର କରି ସରକାର ଏଭଳି ଯୋଜନା ଚଳାଇଛନ୍ତି। ତେଲ ଯୋଗାଣର ବାର୍ଷିକ ଚୁକ୍ତିନାମା ଯାହା ରହିଛି ସେହି ରାଜିନାମାରେ ଅତିରିକ୍ତ ତେଲ ଯୋଗାଣ ଉପରେ ଭାରତ ଗୁରୁତ୍ବ ଦେଉଛି। ଜଣେ ସରକାରୀ ଅଧିକାରୀ ନିଜ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି, ଆମେରିକା ଆସନ୍ତାମାସରୁ ଲଗାଉଥିବା କଟକଣାର କୌଣସି ପ୍ରଭାବ ଭାରତ ଉପରେ ପଡ଼ିବ ନାହିଁ। ଆମ ଦେଶର ତେଲ କମ୍ପାନି ଗୁଡ଼ିକ ସେମାନଙ୍କ ଯୋଗାଣକାରୀଙ୍କଠାରୁ ବାର୍ଷିକ ଯେତିକି ପରିମାଣର ତେଲ ଆଣିବା ଲାଗି ରାଜିନାମା କରିଛନ୍ତି ‌ତାହାଠାରୁ ଅଧିକ ପରିମାଣର ତେଲ ଆମଦାନୀ କରିବାର ବ୍ୟବସ୍ଥା ରହିଛି। ଅଧିକାରୀ ଜଣକ ଏହା ମଧ୍ୟ କହିଛନ୍ତି ଉପରୋକ୍ତ ଦେଶ ଗୁଡ଼ିକ ସହିତ କଥାବାର୍ତ୍ତା ଯଥେଷ୍ଟ ଅଗ୍ରସର ହୋଇଛି। ସେମାନେ ଭାରତକୁ ଦୀର୍ଘମିଆଦୀ ଭିତ୍ତିରେ ତେଲ ଯୋଗାଇ ଆସୁଛନ୍ତି। ତେଣୁ ପୁରୁଣା ସର୍ତ୍ତାବଳୀ ଅନୁସାରେ ସେମାନେ ଆମକୁ ଅତିରିକ୍ତ ତେଲ ଯୋଗାଇ ଦେବେ ବୋଲି ଅଧିକାରୀ ଜଣକ ଆଶା ପ୍ରକାଶ କରିଛନ୍ତି। ମୋଦୀ ସରକାର ଦ୍ବିତୀୟ ଥର ଶାସନ କ୍ଷମତାକୁ ଆସିବା ପାଇଁ ଉଦ୍ୟମ ଚଳାଇଛନ୍ତି। ଏବେ ଦେଶରେ ସାଧାରଣ ନିର୍ବାଚନ ଚାଲିଛି। ବର୍ତ୍ତମାନ ପରିସ୍ଥିତିରେ କଟକଣା ଲାଗୁ ହେଲେ ତେଲ ଯୋଗାଣ‌ ବ୍ୟାହତ ହେବ। ଫଳରେ ତେଲ ଦର ବୃଦ୍ଧି ମୋଦୀ ସରକାରଙ୍କୁ ଅଡ଼ୁଆରେ ପକାଇବ। କାରଣ ଭାରତ ଏହାର ମୋଟ ତେଲ ଆବଶ୍ୟକତାର ପ୍ରାୟ ୮୦ ଭାଗ ଆମଦାନୀ ମାଧ୍ୟମରେ ପୂରଣ କରିଥାଏ। ୨୦୧୭-୧୮ ଆର୍ଥିକ ବର୍ଷରେ ଭାରତ ବିଦେଶରୁ ୨୨୦.୪ ନିୟୁତ ଟନ୍ ‌ଅଶୋଧିତ ତେଲ ଆମଦାନୀ କରିଛି। ସେହିଭଳି ୨୦୧୮-୧୯ ଆର୍ଥିକ ବର୍ଷରେ ଇରାନରୁ ୨୩.୪ ନିୟୁତ ଟନ୍ ଅଶୋଧିତ ତେଲ ଆଣିଛି। ତେଣୁ ଭାରତ ଏହାର ମୋଟ ତେଲ ଆମଦାନୀର ୧୦ ପ୍ରତିଶତରୁ ଅଧିକ ତେଲ ଇରାନରୁ ହିଁ ଆମଦାନୀ କରିଆସୁଛି। ଭାରତ ତୈଳ ଉତ୍ପାଦନକାରୀ ରାଷ୍ଟ୍ର ସଂଘ (ଓପେକ)ର ଏକ ବଡ଼ ଗ୍ରାହକ। ବିଶ୍ବରେ ଯେତିକି ତେଲ ଉତ୍ପାଦନ ହୋଇଥାଏ ‌ଓପେକ୍ ତାହାର ପ୍ରାୟ ୪୦ ପ୍ରତିଶତ ଉତ୍ପାଦନ କରିଥାଏ। ଓପେକର ସଦସ୍ୟ ଦେଶ ଗୁଡ଼ିକ ମଧ୍ୟରେ ପୁଣି ସାଉଦି ଆରବ ଅଧିକ ପରିମାଣର ତେଲ ଉତ୍ପାଦନ କରିଥାଏ। ଅନ୍ୟପକ୍ଷରେ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ ଟ୍ବିଟ୍‌ରେ କହିଛନ୍ତି, ଭାରତୀୟ ବିଶୋଧନାଗାରଗୁଡ଼ିକୁ ଯଥେଷ୍ଟ ପରିମାଣର ଅଶୋଧିତ ତେଲ ଯୋଗାଇବାକୁ ନିଶ୍ଚିତ କରିବା ଲାଗି ଭାରତ ଏକ ବଳିଷ୍ଠ ଯୋଜନା ପ୍ରସ୍ତୁତ କରିଛି। ଅନ୍ୟ ପ୍ରମୁଖ ତୈଳ ଉତ୍ପାଦନକାରୀ ଦେଶ ଗୁଡ଼ିକରୁ ଅଧିକ ତେଲ ଆମଦାନୀ କରାଯିବ। ଭାରତର ପେଟ୍ରୋଲ, ଡିଜେଲ ଏବଂ ପେଟ୍ରୋଲିୟମ ଉତ୍ପାଦ ଚାହିଦା ପୂରଣ ପାଇଁ ଭାରତର ବିଶୋଧନାଗାର ଗୁଡ଼ିକ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ଅଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି।

ଇରାନରୁ ‌ଆମଦାନୀରେ କ’ଣ ସୁବିଧା ମିଳିଥାଏ
ଇରାନରୁ ତେଲ ଆମଦାନୀ କରିବା ଭାରତ ପାଇଁ କେତେକ ଦୃଷ୍ଟିରୁ ସୁବିଧାଜନକ ହୋଇଥାଏ। ଏହି ଦେଶ ତୈଳ କ୍ଷେତ୍ରରୁ ବନ୍ଦର ପର୍ଯ୍ୟନ୍ତ ତେଲ ମାଗଣାରେ ପହଞ୍ଚାଇ ଦେଇଥାଏ। ଏଥିସହିତ ୬୦ ଦିନ ବାକି ସୁବିଧା ପ୍ରଦାନ କରିଥାଏ। ଏହାବାଦ୍ ମାଗଣା ବୀମା ମଧ୍ୟ ଯୋଗାଇ ଦେଇଥାଏ। ଫଳରେ ଇରାନରୁ ତେଲ ଆଣିବା ଭାରତ ପାଇଁ ଶସ୍ତା ଓ ସୁବିଧାଜନକ ହୋଇଥାଏ। ଇରାନଠାରୁ ଚଳିତମାସରେ ଭାରତ ଯେଉଁ ତେଲ ଆମଦାନୀ କରୁଛି ତାହାର ରାଜିନାମା ମାର୍ଚ୍ଚରେ ହୋଇଥିଲା। ଏହି ରାଜିନାମା ଶେଷ ହୋଇଯାଇଛି। କେତେକ ବୈଷୟିକ କାରଣ ଯୋଗୁ ଏହି ଦେଶ ସହିତ ନୂଆ ରାଜିନାମା ହୋଇ ପାରି ନଥିଲା। ଆମେରିକା ସରକାରଙ୍କ ପକ୍ଷରୁ କଟକଣା ବିଷୟରେ ଘୋଷଣା କରାଯିବା ବେଳେ ଏହି ଦେଶ ସହିତ ଭାରତ ଆଲୋଚନା ଜାରି ରଖିଥିଲା। ମୁଖ୍ୟତଃ କେତେ ତେଲ ଆମଦାନୀ କରିବ ଏବଂ ତାହାର ମୂଲ୍ୟ କେତେ ରହିବ ସେ ନେଇ କଥାବାର୍ତ୍ତା ହେଉଥିଲା।

ସମ୍ବନ୍ଧିତ ଖବର