ଭାରତରେ ବର୍ଷକୁ ୮୧ ଲକ୍ଷ ଚାକିରି ସୃଷ୍ଟି ହେବା ଜରୁରୀ : ବିଶ୍ୱ ବ୍ୟାଙ୍କ

ବିଶ୍ୱବ୍ୟାଙ୍କ : ନିଜର ଆର୍ଥିକ ଅଭିବୃଦ୍ଧିର ସୁଫଳ ସମସ୍ତଙ୍କ ପାଖରେ ପହଞ୍ଚାଇବାକୁ ହେଲେ ଭାରତକୁ ପ୍ରତିବର୍ଷ ପ୍ରାୟ ୮୧ ଲକ୍ଷ ନିଯୁକ୍ତି ସୃଷ୍ଟି କରିବାକୁ ହେବ ବୋଲି ବିଶ୍ୱ ବ୍ୟାଙ୍କ କହିଛି । ବିଶ୍ୱ ବ୍ୟାଙ୍କ ପକ୍ଷରୁ କୁହାଯାଇଛି ଯେ ୨୦୦୫ରୁ ୨୦୧୫ ମଧ୍ୟରେ କରାଯାଇଥିବା ନିଯୁକ୍ତି ସଂପର୍କିତ ବିଶ୍ଳେଷଣରୁ ଜଣାପଡିଛି ଯେ ଭାରତରେ ପ୍ରତିବର୍ଷ ହାରାହାରି ପ୍ରାୟ ୧୩ ଲକ୍ଷ ଯୁବକ ଯୁବତୀ ନିଯୁକ୍ତି ଆଶାୟୀ ତାଲିକାରେ ଯୋଗ ଦେଉଚଛନ୍ତି । ସମସ୍ତଙ୍କ ପାଇଁ ସୁଯୋଗ ସୃଷ୍ଟି କରିବାକୁ ହେଲେ ଭାରତକୁ ବର୍ଷକୁ ୮୧ ଲକ୍ଷ ନିଯୁକ୍ତି ସୃଷ୍ଟି କରିବାକୁ ହେବ । ନିଜର ଦ୍ୱି-ବାର୍ଷିକ ଦକ୍ଷିଣ ଏସିଆ ଅର୍ଥନୈତିକ ଫୋକସ୍‌ ରିପୋର୍ଟରେ ବିଶ୍ୱବ୍ୟାଙ୍କ କହିଛି ଯେ ଚଳିତ ଆର୍ଥିକ ବର୍ଷରେ ଭାରତର ଆର୍ଥିକ ଅଭିବୃଦ୍ଧି ହାର ୭.୩ ପ୍ରତିଶତ ରହିବ । ପରବର୍ତ୍ତି ଦୁଇ ଆର୍ଥିକ ବର୍ଷରେ ଅଭିବୃଦ୍ଧି ୭.୫ ପ୍ରତିଶତକୁ ବୃଦ୍ଧି ପାଇବ । ଭାରତୀୟ ଅର୍ଥନୀତି ଏବେ ୨୦୧୬ ନଭେମ୍ବରରେ ହୋଇଥିବା ବିମୁଦ୍ରିକରଣ ଓ ୨୦୧୭ ଜୁଲାଇ ୧ରୁ ଲାଗୁ ହୋଇଥିବା ଜିଏସଟିର ପ୍ରଭାବରୁ ଧୀରେ ଧୀରେ ମୁକୁଳି ସ୍ୱାଭାବିକତା ଆଡକୁ ଗତି କରୁଛି ବୋଲି ଏହି ରିପୋର୍ଟରେ କୁହାଯାଇଛି । ରିପୋର୍ଟରେ ଆହୁରି ମଧ୍ୟ କୁହାଯାଏ ଭାରତର ଅଭିବୃଦ୍ଧି ବଳରେ ସମଗ୍ର ଦକ୍ଷିଣ ଏସିଆର ଅଭିବୃଦ୍ଧି ହାର ବିଶ୍ୱରେ ଦ୍ରୁତ ଅଭିବୃଦ୍ଧିଶୀଳ ଅଂଚଳରେ ପରିଣତ ହେବ । ଅନ୍ୟପକ୍ଷରେ ବିଶ୍ୱ ଅର୍ଥନୀତିରେ ଆସୁଥିବା ସୁଧାରର ଫାଇଦା ଉଠାଇ ଭାରତ ପୁଞ୍ଜିନିବେଶ ଓ ରପ୍ତାନି ବଢାଇବା ଉଚିତ ।

ସମ୍ବନ୍ଧିତ ଖବର