ମୁଣ୍ଡ ନୁଅାଁଇବ ଭାରତ, ଇରାନରୁ ତେଲ ଆମଦାନି କମ୍‌ କରିବ

ନୂଆଦିଲ୍ଲୀ: ଆମେରିକା ଚାପ ଆଗରେ ଭାରତ ମୁଣ୍ଡ ନୁଆଁଇବ। ଇରାନରୁ କମ୍‌ ତେଲ ଆମଦାନି କରିବ। ନଭେମ୍ବର ସୁଦ୍ଧା ଇରାନ୍‌ରୁ ତେଲ ଆମଦାନି ସମ୍ପୂର୍ଣ୍ଣ ବନ୍ଦ କରିବାକୁ ଗତକାଲି ଆମେରିକା ପକ୍ଷରୁ ଭାରତ ସମେତ ବିଭିନ୍ନ ଦେଶକୁ ଧମକ ଦିଆଯାଇଥିଲା। ଏହି ନିର୍ଦେଶ ନମାନିଲେ ବାଣିଜ୍ୟ କଟକଣା ଲାଗୁ କରାଯିବ ବୋଲି ଆମେରିକା କହିଥିଲା। ଇରାନରୁ କମ୍‌ ତେଲ ଆମଦାନି କରିବା ନିମନ୍ତେ ପ୍ରସ୍ତୁତ ରହିବା ପାଇଁ ତୈଳ ମନ୍ତ୍ରଣାଳୟ ପକ୍ଷରୁ ତେଲ କଂପାନିଗୁଡ଼ିକୁ କୁହାଯାଇଥିବା ଜଣାପଡ଼ିଛି। ଦରକାର ପଡ଼ିଲେ ଇରାନ୍‌ରୁ ତେଲ ଆମଦାନି ସମ୍ପୂର୍ଣ୍ଣ ବନ୍ଦ କରିବାକୁ ପଡ଼ିବ ବୋଲି ମନ୍ତ୍ରଣାଳୟ କଂପାନିଗୁଡ଼ିକୁ ଜଣାଇ ଦେଇଛି। ଇରାନ ପାଇଁ ଆମେରିକା ଭଳି ଦେଶ ସହିତ ଭାରତ ଏହାର ସମ୍ପର୍କ ବିଗାଡ଼ିବାକୁ ଚାହୁଁନାହିଁ। ଆମେରିକାର ଆର୍ଥିକ ବ୍ୟବସ୍ଥା ସହିତ ଭାରତୀୟ ଅର୍ଥନୀତିର ଗଭୀର ସମ୍ପର୍କ ରହିଛି। ଏହାକୁ ଦୃଷ୍ଟିରେ ରଖି ଭାରତ ସରକାର ଇରାନ୍‌ରୁ କମ୍‌ ତେଲ ଆଣିବା ଉପରେ ବିଚାର କରୁଥିବା ଜଣାପଡ଼ିଛି।

ଏ ସମ୍ପର୍କରେ ବୈଦେଶିକ ମନ୍ତ୍ରଣାଳୟର ପ୍ରବକ୍ତା ରଭୀଶ କୁମାର କହିଛନ୍ତି ଯେ, ଆମର ଶକ୍ତି ନିରାପତ୍ତାକୁ ନିଶ୍ଚିତ କରିବା ପାଇଁ ଆମେ ସବୁ ଅଂଶୀଦାରମାନଙ୍କ ସହ ଆଲୋଚନା କରି ଯାହା କିଛି ପଦକ୍ଷେପ ଗ୍ରହଣ କରିବୁ। ପୂର୍ବରୁ, ଇରାନ ଉପରେ ଆମେରିକା ଓ ୟୁରୋପୀୟ ସଂଘ କଟକଣା ଲଗାଇଥିବା ବେଳେ ଭାରତ ଇରାନରୁ ତେଲ ଆମଦାନି ବନ୍ଦ କରାଯାଇନଥିଲା। କିନ୍ତୁ ଏଥର ପରିସ୍ଥିତି ଭିନ୍ନ ରହିଛି ବୋଲି ଜଣେ ବରିଷ୍ଠ ସରକାରୀ ଅଧିକାରୀ କହିଛନ୍ତି। ଏବେ ଲଢ଼େଇର ଗୋଟିଏ ପାର୍ଶ୍ୱରେ ଭାରତ, ଚୀନ୍‌ ଓ ୟୁରୋପ ଥିବା ବେଳେ ଅନ୍ୟ ପାର୍ଶ୍ୱରେ ଏକାକୀ ଆମେରିକା ରହିଛି। ବର୍ତ୍ତମାନ ପରିସ୍ଥିତିରେ କ’ଣ କରାଯିବ, ସେ ନିଷ୍ପତ୍ତି ସରକାର ନେଇପାରୁନାହାନ୍ତି। ଆମେରିକାର ଧମକ ପରେ ଘରୋଇ ତେଲ କଂପାନି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଓ ନୟାରା ଏନର୍ଜି ପକ୍ଷରୁ ଇରାନ୍‌ରୁ ତେଲ ଆମଦାନି ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି। ନୟାରା ଏନର୍ଜି ଏବେଠାରୁ ଆମଦାନି ପରିମାଣ କମ୍‌ କରିବା ଆରମ୍ଭ କଲାଣି। ଇରାନ୍‌ରୁ ତେଲ ଆମଦାନି ସମ୍ପୂର୍ଣ୍ଣ ବନ୍ଦ ହୋଇଯିବା ପରେ ଭାରତୀୟ ତେଲ କଂପାନିଗୁଡ଼ିକ ଓପେକ୍‌ ରାଷ୍ଟ୍ରଗୁଡ଼ିକ ଉପରେ ନଜର ପକାଇବେ। ବିଶେଷ କରି ସାଉଦି ଆରବ, କୁଏତ୍‌ ଓ ରୁଷିଆରୁ ଅଧିକ ତେଲ କିଣିବାକୁ ଉଦ୍ୟମ କରିବେ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର