ଦେଶରେ ପିଆଜ ଅଭାବ, ତୁର୍କୀରୁ ଆଉ ୪ ହଜାର ଟନ ପିଆଜ ମଗାଇଲେ ଭାରତ ସରକାର

ନୂଆଦିଲ୍ଲୀ : ଦେଶରେ ପିଆଜର ଆକାଶଛୁଆଁ ଦରବୃଦ୍ଧି ଖାଉଟିଙ୍କୁ କନ୍ଦାଉଛି । ଦେଶରେ ଅନେକ ଭାଗରେ ପିଆଜ ଦର ଏବେ କିଲୋଗ୍ରାମ ପିଛା ୧୦୦ ଟଙ୍କା ଉପରେ ରହିଛି । ଏହା ସରକାରଙ୍କୁ ଚିନ୍ତାରେ ପକାଇଦେଇଛି । ଦେଶରେ ପିଆଜର ଉପଲବ୍ଧତା ବୃଦ୍ଧି ପାଇଁ କେନ୍ଦ୍ର ସରକାର ଆଜି ଆଉ ୪ ହଜାର ଟନ ପିଆଜ ଆମଦାନୀ କରିବାକୁ ନିଷ୍ପତ୍ତି ନେଇଛନ୍ତି । ତୁର୍କୀରୁ ଏହି ପିଆଜ ଆମଦାନୀ କରାଯିବ ଓ ଏହା ଆସନ୍ତା ମାସରେ ଭାରତରେ ପହଞ୍ଚିବ ।

ପୂର୍ବରୁ ମଧ୍ୟ ସରକାର ମୋଟ ୧୭୦୯୦ ଟନ ପିଆଜ ଆମଦାନୀ ପାଇଁ ଅର୍ଡର ଦେଇସାରିଛନ୍ତି । ଏହି ପିଆଜ ଇଜିପ୍ଟ ଓ ତୁର୍କୀରୁ ଆସିବ । ଇଜିପ୍ଟରୁ ଆମଦାନୀ ହୋଇଥିବା ୬୦୯୦ ଟନ ପିଆଜ ଡିସେମ୍ବର ୨ୟ ସପ୍ତାହରେ ଓ ତୁର୍କୀରୁ ମଗାଯାଇଥିବା ୧୧୦୦୦ ଟନ ପିଆଜ ଆସନ୍ତା ମାସରେ ଭାରତରେ ପହଞ୍ଚିବ । ଦେଶର ମୁଖ୍ୟ ପିଆଜ ଉତ୍ପାଦନକାରୀ ରାଜ୍ୟ ମହାରାଷ୍ଟ୍ର, କର୍ଣ୍ଣାଟକ ଓ ମଧ୍ୟପ୍ରଦେଶରେ ଏବର୍ଷ ଲଗାଣ ବର୍ଷା ଯୋଗୁଁ ପିଆଜ ଉତ୍ପାଦନ ହ୍ରାସ ପାଇଛି । ଏହି କାରଣରୁ ଦେଶରେ ପିଆଜ ନିଅଣ୍ଟ ହେବା ସହ ଦରବୃଦ୍ଧି ପାଇଛି ।

ସମ୍ବନ୍ଧିତ ଖବର